ବିନା ମସଲାରେ ପ୍ରସ୍ତୁତ କରନ୍ତୁ ମାଛ ସାକରା

ମାଛର ଅନେକ ପ୍ରକାର ତରକାରୀ ଆମେ ଖାଉ। କେତେବେଳେ ସୋରିଷ ଦିଆ ହୋଇ ହୁଏ ତ କେତେବେଳେ ପିଆଜ ରସୁଣ ମସଲା ଦିଆ ହୋଇଥାଏ। ତେଣୁ ଆପଣ କେବେ ବିନା ମସଲାରେ ପ୍ରସ୍ତୁତ ମାଛର ବ୍ୟଞ୍ଜନ ଖାଇଛନ୍ତି କି? ଏହାର ଖଟା ମିଠା ସ୍ୱାଦ ପାଟିକୁ ବହୁତ ସୁଆଦିଆ ଲାଗିଥାଏ। ଜାଣନ୍ତୁ କେମିତି ପ୍ରସ୍ତୁତ କରିବେ ମାଛ ସାକରା।

ଆବଶ୍ୟକୀୟ ସାମଗ୍ରୀ: ମାଛ, ତେନ୍ତୁଳି ରସ,ଗୁଡ଼, ଜିରା ଲଙ୍କା ଗୁଣ୍ଡ, ହଳଦୀ, ଭୃଷଙ୍ଗ ପତ୍ର, ଲୁଣ, ଶୁଖିଲା ଲଙ୍କା, ପଞ୍ଚ ଫୁଟଣ, ରସୁଣ ଛେଚା ଏବଂ ତେଲ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥରେ ଗ୍ୟାସ୍‌ରେ ପ୍ୟାନ୍‌ ବସାଇ ସେଥିରେ ଅଳ୍ପ ତେଲ ପକାଇ ପୂର୍ବରୁ ଲୁଣ ହଳଦୀ ଗୋଳା ହୋଇ ରଖା ହୋଇଥିବା ମାଛକୁ ତେଲରେ ପକାଇ ଭାଜନ୍ତୁ। ଅଳ୍ପ ଟକେ ଭାଜି ହୋଇ ଆସିଲେ ଏହାକୁ ଏକ ପାତ୍ରରେ କାଢ଼ି ରଖନ୍ତୁ। ମାଛକୁ କଡ଼ା ଭାଜିବେନାହିଁ। ତା’ପରେ ସାକରା ପ୍ରସ୍ତୁତ କରିବା ପାଇଁ ତେଲରେ ଅଳ୍ପ ପଞ୍ଚ ଫୁଟଣ ଓ ଶୁଖିଲା ଲଙ୍କା ପକାନ୍ତୁ। ଏହା ପରେ ସେଥିରେ ତେନ୍ତୁଳି ରସ ପକାନ୍ତୁ। ଆବଶ୍ୟକୀୟ ଅନୁସାରେ ତେନ୍ତୁଳି ରସ ଦେବେ ନ ହେଲେ ସାକରା ଅଧିକ ଖଟା ହୋଇଯିବ। ଏହା ପରେ ସେଥିରେ ଅଳ୍ପ ପାଣି ପକାନ୍ତୁ। ତେନ୍ତୁଳି ରସ ଫୁଟି ଆସିଲେ ସେଥିରେ ରସୁଣ ଛେଚା, ଭୃଷଙ୍ଗ ପତ୍ର, ଜିରା ଲଙ୍କା ଗୁଣ୍ଡ ଏବଂ ଆବଶ୍ୟକୀୟ ଅନୁସାରେ ଗୁଡ଼ ପକାଇ ଏହାକୁ କିଛି ସମୟ ଫୁଟାନ୍ତୁ। ସାକରା ଟିକେ ଗ୍ରେଭି ହୋଇ ଆସିଲେ ସେଥିରେ ଭଜା ହୋଇଥିବା ମାଛ ପକାନ୍ତୁ। ଏହା ପରେ ସ୍ୱାଦ ଅନୁସାରେ ଲୁଣ ପକାଇ ଫୁଟିବାକୁ ଛାଡ଼ି ଦିଅନ୍ତୁ। ଫୁଟି ସାରିଲା ପରେ ପ୍ରସ୍ତୁତ ହୋଇଯିବ ମାଛ ସାକରା।

ଟିପ୍ସ: ଲଙ୍କା ଗୁଣ୍ଡକୁ ଅଧିକ ଦିନ ପର୍ଯ୍ୟନ୍ତ ରଖିଲେ ଏହା ଖରାପ ହୋଇଯାଇଥାଏ। ତେଣୁ ଏଥିରେ ଅଳ୍ପ ଟିକେ ଲୁଣ ପକାଇ ରଖିଲେ ଏହା ଖରାପ ହୋଇନଥାଏ। ବେଶୀ ଦିନ ପର୍ଯ୍ୟନ୍ତ ରୁହେ।

You might also like