ବନ୍ୟା ବିଭୀଷିକା ପରେ ଅଣ୍ଟା ସଳଖୁଛନ୍ତି କେରଳବାସୀ
ଏର୍ଣ୍ଣାକୁଲମରେ ଓଡ଼ିଆ କହିଲେ କାଳରାତିର ଛାତିଥରା ଅନୁଭୂତି
ଭୁବନେଶ୍ୱର : କେରଳରେ ପ୍ରଳୟର କରୁଣ ଚିତ୍ର ସ୍ପଷ୍ଟ ସୂଚାଇ ଦିଏ ତ୍ରିସୁର ଜିଲ୍ଲାର ଏକ ବୃଦ୍ଧାଶ୍ରମ ‘କରୁଣା’କୁ ଦେଖିଲେ। ଅବିଶ୍ରାନ୍ତ ବର୍ଷା ପରେ ଅଗଷ୍ଟ ୧୬ ତାରିଖ ରାତିରେ ହଠାତ୍ ଚାଲକୁଡ଼ି ନଦୀରୁ ମାଡ଼ି ଅାସିଥିଲା ୧୦ଫୁଟ୍ ଉଚ୍ଚର ପାଣି। ୫ ଦିନ ଧରି ସବୁ ବୁଡ଼ାଇ ରଖିବା ପରେ ଛାଡ଼ିଯାଇଛି ଏମିତି ଦୁର୍ଦ୍ଦଶା। ଘର ଭିତରେ ଏବେ ବି ପାଦେ ଉଚ୍ଚର କାଦୁଅ ।
ଭସାଇ ନେଇଛି ୩୦ରୁ ଅଧିକ ଅନ୍ତେବାସୀଙ୍କ ବିଛଣାପତ୍ର ଓ ଲୁଗାପଟା। ଖଟ ଓ କାନ୍ଥରେ ଏବେ ବି ଲାଖିଛି ବନ୍ୟାରେ ଭାସି ଅାସିଥିବା ଗଛପତ୍ର । ଅନ୍ୟ ଅାସବାବପତ୍ର ଓ ସାଜ ସରଞ୍ଜାମ କଥା ନକହିବା ଭଲ। ଅଧିକାଂଶ ଅାଉ ବ୍ୟବହାର ଉପଯୋଗୀ ଅବସ୍ଥାରେ ନାହିଁ। ତେଣେ କାହା ସାହାଯ୍ୟକୁ ଅପେକ୍ଷା ନକରି ପୁଣି ସ୍ଥିତି ସ୍ୱାଭାବିକ କରିବାକୁ ଚାଲିଛି ଉଦ୍ୟମ।
ଜାଣିଲେ ତ ପ୍ରଳୟଙ୍କରୀ ବନ୍ୟା ଦେଖି କେତେ ଅାତଙ୍କିତ ଥିଲେ ଏର୍ଣ୍ଣାକୁଲମରେ ରହୁଥିବା ଓଡ଼ିଆ ପରିବାର। ସେଦିନର ବନ୍ୟା ଛାଡ଼ିବା ପରେ ଛାଡ଼ିଯାଇଛି ଅକଥନୀୟ ଦୁର୍ଦ୍ଦଶା। ସବୁଠୁ ଅଧିକ ସମସ୍ୟା ପିଇବା ପାଣିର। ୭ଦିନ ହେଲାଣି ବିଜୁଳି ନାହିଁ। ଅତ୍ୟାବଶ୍ୟକ ସାମଗ୍ରୀ ବି ଠିକ୍ରେ ମିଳୁନି। ଏମିତିକି ଓଡ଼ିଶା ସରକାର କେରଳରେ ରହୁଥିବା ଓଡ଼ିଆଙ୍କ ପାଇଁ ସହାୟତା ପଠାଇଥିବା ଶୁଣିଥିଲେ ବି ସେମାନଙ୍କ ପାଖରେ କିଛି ପହଞ୍ଚିନଥିବା କହିଛନ୍ତି ବନ୍ୟାପୀଡ଼ିତ।
ବନ୍ୟା ସିନା ଦୁର୍ଦ୍ଦଶା ଦେଇଗଲା, ହେଲେ ମାନସିକ ସ୍ତରରେ କିନ୍ତୁ ଭାଙ୍ଗି ପଡ଼ିନାହାନ୍ତି କେରଳବାସୀ । ପୁଣି ଜୀବନଯାତ୍ରା ସ୍ୱାଭାବିକ କରିବାକୁ ଚାଲିଛି ଜୋରଦାର ଉଦ୍ୟମ।