ମିଠା, ଖଟା ସ୍ୱାଦ ସହ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ବ୍ୟଞ୍ଜନ ଦହି ଛୁଙ୍କ ରସଗୋଲା

ମିଠା ଜିନିଷ ଖାଇବାକୁ ସମସ୍ତଙ୍କୁ ଭଲ ଲାଗେ। ଆଉ ଯଦି ରସଗୋଲା କଥା ଉଠେ ତେବେ ଏହା ସମସ୍ତଙ୍କ ଅତି ପ୍ରିୟ। କିନ୍ତୁ ଆପଣ କେବେ ଖଟା ମିଠା ରସଗୋଲା ଖାଇଛନ୍ତି କି? ଏଠି ଆପଣ ନିଶ୍ଚୟ ଭାବୁଥିବେ ରସଗୋଲା ତ ମିଠା ଲାଗେ, ତେବେ ଏଥିରେ ଖଟାର ପ୍ରଶ୍ନ କେଉଁଠି ଉଠୁଛି। ହଁ ଆଜ୍ଞା, ଆପଣଙ୍କ ଭାବନା ପୂରାପୂରି ଠିକ୍‌। ମାତ୍ର ଆମେ ଏଠି ରସଗୋଲାକୁ ନେଇ ଏମିତି ଏକ ସ୍ୱାଦିଷ୍ଟ ବ୍ୟଞ୍ଜନ କଥା କହୁଛୁ ଯାହା ଆପଣ କେବେ ଖାଇନଥିବେ। ସେହି ସ୍ୱାଦିଷ୍ଟ ବ୍ୟଞ୍ଜନ ହେଲା ଦହି ଛୁଙ୍କ ରସଗୋଲା। ଏଥିରେ ରସଗୋଲାର ମିଠା ସ୍ୱାଦ ସହ ଦହିର ଖଟା ଏବଂ ଲଙ୍କାର ଚଟ୍‌ପଟା ସ୍ୱାଦର ମଜା ନେଇପାରିବେ।

ଆବଶ୍ୟକୀୟ ସାମଗ୍ରୀ- ରସଗୋଲା, ବସାଦହି, ଭୃଷଙ୍ଗ ପତ୍ର, କଟା କଞ୍ଚାଲଙ୍କା, ସୋରିଷ, ଜିରା, କଳାଜିରା, ହେଙ୍ଗୁ, କଟା ଅଦା,ଲଙ୍କାଗୁଣ୍ଡ, ମେଥି, ଲୁଣ, ତେଲ।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ରସଗୋଲାକୁ ପାଣିରେ ବୁଡ଼ାଇ ଭଲ ଭାବରେ ଚିପୁଡ଼ି ରଖନ୍ତୁ। ଏହାଦ୍ୱାରା ରସଗୋଲାର ମିଠା ଅଂଶ କିଛି ମାତ୍ରାରେ କମିଯିବ। ଏହା ପରେ ପାଣିରୁ ରସଗୋଲାକୁ ଚିପୁଡି ବାହାର କରି ଏକ ପାତ୍ରରେ ରଖନ୍ତୁ।

ଗ୍ୟାସ୍‌ରେ ଏକ ପ୍ୟାନ୍‌ ଗରମ କରି ସେଥିରେ ଅଳ୍ପ ତେଲ ପକାନ୍ତୁ। ତେଲ ଗରମ ହେଲା ପରେ ସେଥିରେ ଅଳ୍ପ କଳାଜିରା, ଜିରା, ସୋରିଷ,କଞ୍ଚାଲଙ୍କା, ହେଙ୍ଗୁ, ଭୃଷଙ୍ଗ ପତ୍ର, ଅଦା ଓ ଲଙ୍କା ଗୁଣ୍ଡ ପକାନ୍ତୁ। ତା ପରେ ଦହିରେ ସ୍ୱାଦ ଅନୁସାରେ ଲୁଣ ପକାଇ ଛୁଙ୍କରେ ପକାନ୍ତୁ। ଏଇଠି ଗୋଟିଏ କଥା ଧ୍ୟାନ ଦେବେ ଛୁଙ୍କ ଗରମ ହୋଇଥିବା ବେଳେ ଦହିକୁ ଏଥିରେ ପକାଇବେ ନାହିଁ। କାରଣ ଏହା ନଷ୍ଟ ହୋଇଯିବ। ତେଣୁ ଟିକେ ଥଣ୍ଡା ହୋଇଗଲା ପରେ ଦହିକୁ ଛୁଙ୍କରେ ପକାଇବେ। ଏହାପରେ ସେଥିରେ ଚିପୁଡା ହୋଇଥିବା ରସଗୋଲା ପକାନ୍ତୁ। ଆପଣ ଚାହିଁଲେ ଏଥିରେ ଚିନି ବି ମଧ୍ୟ ପକାଇ ପାରିବେ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ଦହି ଛୁଙ୍କ ରସଗୋଲା।

You might also like
Comments
Loading...