ଚିକେନ୍‌ ପିଆଜ କଷା

ଚିକେନ୍‌ରେ ତିଆରି ବହୁତ ପ୍ରକାର ଆଇଟମ୍‌ ତ ଆପଣ ଖାଇଥିବେ। ପ୍ରାୟ ସବୁବେଳେ ବହୁତ ମସଲା ଦିଆ ହୋଇ ଚିକେନ୍‌ର ବିଭିନ୍ନ ପ୍ରକାରର ଆଇଟମ୍‌ ପ୍ରସ୍ତୁତ କରାଯାଇଥାଏ। କିନ୍ତୁ କେବେ ଚିକେନ୍‌ ପିଆଜ କଷା ଖାଇଛନ୍ତି କି? ଏଥିରେ ଅଳ୍ପ ମସଲା ବ୍ୟବହାର ହେବା ସହ ସ୍ୱାଦିଷ୍ଟ ମଧ୍ୟ ହୋଇଥାଏ। ତା’ହାଲେ ଜାଣନ୍ତୁ କିପରି ପ୍ରସ୍ତୁତ କରିବେ ଚିକେନ୍‌ ପିଆଜ କଷା ।

ଆବଶ୍ୟକୀୟ ସାମଗ୍ରୀ

ଚିକେନ୍‌, ପିଆଜ, ଟମାଟୋ, କଞ୍ଚାଲଙ୍କା, ହଳଦୀ ଗୁଣ୍ଡ,ଗରମ ମସଲା, ଲଙ୍କା ଗୁଣ୍ଡ, ତେଲ ଏବଂ ସ୍ୱାଦ ଅନୁସାରେ ଲୁଣ

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଏକ ପ୍ୟାନ୍‌ ଗରମ କରି ସେଥିରେ ତେଲ ପକାନ୍ତୁ। ତେଲ ଟିକେ ଗରମ ହୋଇ ଆସିଲା ପରେ ସେଥିରେ ପିଆଜ ପକାଇ ଭାଜନ୍ତୁ। ଯେହେତୁ ଏହି ବ୍ୟଞ୍ଜନର ନାମ ଚିକେନ୍‌ କଷା ପିଆଜ ସେଥିପାଇଁ ଏଥିରେ ଅଧିକ ପରିମାଣରେ ପିଆଜ ବ୍ୟବହାର କରିବେ। ପିଆଜ ଭାଜି ହୋଇ ବାଦାମୀ ରଙ୍ଗ ହୋଇ ଆସିଲେ ସେଥିରେ କଞ୍ଚାଲଙ୍କା ଏବଂ ଚିକେନ୍‌ ପକାଇ କଷନ୍ତୁ। ତା’ ପରେ ସେଥିରେ ହଳଦୀ ଗୁଣ୍ଡ, ଲୁଣ, ଲଙ୍କା ଗୁଣ୍ଡ ଏବଂ ଟମାଟୋ ପକାଇ ଭଲଭାବରେ କଷନ୍ତୁ। ଚିକେନ୍‌ କଷି ହୋଇଗଲା ପରେ ସେଥିରେ ଅଳ୍ପ ପାଣି ଦେଇ କିଛି ସମୟ ସିଝିବାକୁ ଛାଡ଼ି ଦିଅନ୍ତୁ। ଚିକେନ୍‌ ସିଝି ହୋଇ ଆସିଲେ ଅଳ୍ପ ଗ୍ରେଭି ରହିବା ଯାଏ ଫୁଟାନ୍ତୁ। ଫଳରେ ଏଥିରେ ଅଧିକ ପାଣି ରହିବ ନାହିଁ କି ପୂରା ଶୁଖିଲା ମଧ୍ୟ ହେବ ନାହିଁ। ଶେଷରେ ଗରମ ମସଲା ପକାଇ ଏହାକୁ ପରଷନ୍ତୁ। ଏହାକୁ ରୁଟି କିମ୍ବା ପରଟା ନହେଲେ ଭାତ ସହ ମଧ୍ୟ ଖାଇପାରିବେ।

 

You might also like