୫୦ ବର୍ଷର ଅପେକ୍ଷା ପରେ ମିଳିଲା ରାଜସ୍ୱ ଗ୍ରାମର ମାନ୍ୟତା

ଛେଣ୍ଡିପଦା ବ୍ଲକ୍ର ବଡମୂଳ ଗ୍ରାମରେ ଖୁସିର ଲହରୀ

ଅନୁଗୁଳ : ଦୀର୍ଘ ବର୍ଷର ପ୍ରୟାସ ପରେ ମିଳିଛି ସଫଳତା। ଗାଁକୁ ରାଜସ୍ୱ ଗ୍ରାମର ମାନ୍ୟତା ମିଳିବା ପରେ ଲୋକଙ୍କ ଖୁସି କହିଲେ ନ ସରେ। ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ର ବଡମୂଳ ଗ୍ରାମ। ଏଠାରେ ଡେରାଜାଙ୍ଗ ମଧ୍ୟମ ଜଳସେଚନ ପ୍ରକଳ୍ପ ନିର୍ମାଣ ପରେ ଦୀର୍ଘ ୫୦ ବର୍ଷ ହେବ ବିସ୍ଥାପିତ ହୋଇ ଏମାନେ ବଡମୂଳରେ ରହି ଅାସୁଛନ୍ତି।

ହେଲେ ଏଯାଏ ଗାଁକୁ ମିଳିନଥିଲା ରାଜସ୍ୱ ଗ୍ରାମର ମାନ୍ୟତା। ଏମାନଙ୍କ ପାଇଁ ସରକାରଙ୍କ ସବୁ ଯୋଜନା ଅପହଞ୍ଚ ଥିଲା। ଗାଁକୁ ରାସ୍ତାଘାଟ, ନଳକୂପ ଖନନ ଠାରୁ ଅାରମ୍ଭ କରି କୃଷି ଋଣ ଭଳି ଅନେକ ଯୋଜନାରୁ ବଞ୍ଚିତ ହେଉଥିଲେ ଲୋକେ ।  ଜମି ପଟ୍ଟା ନଥିବାରୁ ସରକାରଙ୍କ ଅାବାସ ଯୋଜନା, ପାଇଖାନା ଭଳି ସୁବିଧା ମିଳି ପାରୁନଥିଲା। ଏବେ ବଡମୂଳ ଗ୍ରାମକୁ ରାଜସ୍ୱ ଗ୍ରାମର ମାନ୍ୟତା ମିଳିବା ପରେ ଲୋକଙ୍କୁ ସବୁ ପ୍ରକାର ସୁବିଧା ମିଳିବ।

୧୯୬୮ ମସିହାଠାରୁ ବିସ୍ଥାପିତ ହୋଇ ବଡମୂଳ ଗ୍ରାମରେ ରହି ଅାସୁଥିଲେ ଲୋକେ। ଗ୍ରାମକୁ ରାଜସ୍ୱ ଗ୍ରାମର ମାନ୍ୟତା ଲାଗି ବାରମ୍ବାର ଦାବି କରି ଅାସୁଥିଲେ। ଗତବର୍ଷ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ବଡମୂଳକୁ ରାଜସ୍ୱ ଗ୍ରାମର ମାନ୍ୟତା ଲାଗି ପ୍ରକ୍ରିୟା ଅାରମ୍ଭ ହୋଇଥିଲା।

ଚଳିତ ବର୍ଷ ଅଗଷ୍ଟ ୨୭ରେ ରାଜସ୍ୱ ପରିଷଦ ଜଙ୍ଗଲ ଅଧିକାର ଅାଇନ ୨୦୦୬ ଅନୁସାରେ , ଏହାକୁ ରାଜସ୍ୱ ଗ୍ରାମର ମାନ୍ୟତା ପ୍ରଦାନ କରିଛନ୍ତି। ଏହାପରେ ଜିଲ୍ଲାପାଳଙ୍କୁ ଭେଟି ଧନ୍ୟବାଦ ଜଣାଇଛନ୍ତି ବଡମୂଳବାସୀ।

You might also like