କୋରାପୁଟର ଆଉ ଦୁଇଟି ଗାଁ ଉପରେ ଆନ୍ଧ୍ରର ନଜର

କୋରାପୁଟ: କୋଟିଆ ପରେ କୋରାପୁଟ ଜିଲ୍ଲାର ଆଉ ଦୁଇଟି ଗାଁ ଉପରେ ଆନ୍ଧ୍ରର ଏବେ ନଜର। ନନ୍ଦପୁର ବ୍ଲକର ସୀମାନ୍ତବର୍ତ୍ତୀ ଗାଁ ଜୟନ୍ତଗିରି ଓ ତୋଟାଗୁଡ଼ାରେ ଓଡ଼ିଶା ସରକାରଙ୍କ ନିରବତାର ସୁଯୋଗ ନେଇଛି ଆନ୍ଧ୍ର। ଲୋକଙ୍କ ଦୁଃଖ ସୁଖରେ ଭାଗୀ ହେବାକୁ ଉଦ୍ୟମ କରିଛି ଆନ୍ଧ୍ର ସରକାର। ଏମିତିକି ଦୁଇ ଗାଁ ଲୋକଙ୍କ ପାଇଁ ସାମାଜିକ ଯୋଜନା ଆରମ୍ଭ କରି ପ୍ରଲୋଭିତ କରୁଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଅଭିଯୋଗ ପରେ କୋରାପୁଟ ଉପଜିଲ୍ଲାପାଳ ଏହି ଦୁଇ ଗାଁକୁ ଯିବା ସହ ବାସ୍ତବ ସ୍ଥିତି ଅନୁଧ୍ୟାନ କରିଛନ୍ତି।

ଓଡ଼ିଶା ସରକାରଙ୍କ ଦୁର୍ବଳତାର ଫାଇଦା ନେଇ ସିଧା ଅନୁପ୍ରବେଶ କରିଛି ପଡ଼ୋଶୀ ଆନ୍ଧ୍ର ପ୍ରଶାସନ। କୋରାପୁଟ ଜିଲା ନନ୍ଦପୁର ବ୍ଲକ ପାନ୍ତୁଲୁମ୍ ପଞ୍ଚାୟତର ଜୟନ୍ତଗିରି ଗାଁରେ ଲାଗିଛି ତେଲୁଗୁ ଭାଷାରେ ଫଳକ। ନିକଟରରେ ଏହି ଗାଁରେ ଏକ ପାନୀୟ ଜଳ ପ୍ରକଳ୍ପର ଶୁଭାରମ୍ଭ କରିବା ସହ ଫଳକ ବି ମାରିଛନ୍ତି ଆନ୍ଧ୍ର ସରକାର। ଗାଁ ଲୋକଙ୍କ ପାଣି ସମସ୍ୟାକୁ ସୁଯୋଗ ନେଇ ଏକ ଏନଜିଓ ସଂସ୍ଥା ମାଧ୍ୟମରେ ଏପରି କରିଛି ଆନ୍ଧ୍ର।

ଜୟନ୍ତଗିରି ଓ ତୋଟାଗୁଡ଼ା ଗାଁରେ ରୁହନ୍ତି ୩୫ ପରିବାର। ଏମାନଙ୍କ ମଧ୍ୟରୁ ଅଧିଂକାଶ ଭୂମିହୀନ ହୋଇଥିବାରୁ ଜଙ୍ଗଲ ଜମିରେ ହିଁ ଘର କରି ଚଳି ଆସୁଛନ୍ତି। ଶ୍ରମିକ ଶ୍ରେଣୀର ଏହି ଲୋକଙ୍କ ପାଇଁ MGNREGS ଯୋଜନାରେ କାମ ମିଳୁନଥିବା ସେମାନେ ଅଭିଯୋଗ କରିଛନ୍ତି। ତେଣୁ ବାଧ୍ୟ ହୋଇ ଆନ୍ଧ୍ରପ୍ରଦେଶ ବନ ବିଭାଗ ନିକଟରେ ଦୈନିକ କୁଲି କାମ କରି ପେଟ ପୋଷୁଛନ୍ତି। ତେଣୁ ଅନ୍ୟ ସହାୟତା ପାଇଁ ବି ଏମାନେ ଓଡ଼ିଶା ଅପେକ୍ଷା ଆନ୍ଧ୍ର ପ୍ରଶାସନକୁ ଜଣାଇବାକୁ ବାଧ୍ୟ ହେଉଥିବା କହିଛନ୍ତି।

ସେପଟେ ଗାଁରେ ଆନ୍ଧ୍ର ପ୍ରଶାସନର ଫଳକ ଲଗାଯିବା ଘଟଣା ପରେ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଓ ନନ୍ଦପୁର ତହସିଲଦାର ଜୟନ୍ତିଗିରି ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଗାଁରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଯଥାସମ୍ଭବ ଯୋଜନା କାର୍ଯ୍ୟକରୀ କରାଯାଉଥିବା ପଞ୍ଚାୟତ କାର୍ଯ୍ୟ ନିର୍ବାହୀ କହିଛନ୍ତି।

(ଜଗତ ଜୀବନ କାଚିମ)

You might also like