ଚାଷୀଙ୍କ ନାଁରେ ଅର୍ଥ ଆତ୍ମସାତ୍ କରୁଛନ୍ତି
ଗରିବ ଚାଷୀଙ୍କୁ ଠକି ଟଙ୍କା ଲୁଟ୍
ରାୟଗଡା: କୃଷି ଓ କୃଷକଙ୍କ ଉନ୍ନତି ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଉନ୍ନତ ମାନର କୃଷି ଯନ୍ତ୍ରପାତି କିଣିବା ପାଇଁ ଆତ୍ମା ଯୋଜନା ମାଧ୍ୟମରେ ସବସିଡି ଯୋଗାଇ ବି ଦେଉଛନ୍ତି। ହେଲେ କୃଷି ବିଭାଗର ଆସିଷ୍ଟାଣ୍ଟ ଟେକ୍ନୋଲେଜି ମ୍ୟାନେଜର୍ କୃଷି ଉପକରଣ ଯୋଗାଇ ଦେବା ନାଁରେ ଗରିବ ଚାଷୀଙ୍କୁ ଠକି ଟଙ୍କା ଲୁଟ୍ କରୁଥିବା ଅଭିଯୋଗ ହୋଇଛି। ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଳକ ଡାଙ୍ଗସୋରଡା ପଞ୍ଚାୟତ ଚାଷୀ ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି।
ରାୟଗଡା ଜିଲ୍ଳା ଚନ୍ଦ୍ରପୁର ଡାଙ୍ଗସୋରଡା ପଂଚାୟତର ଚାଷୀ କୃଷି ଯନ୍ତ୍ରପାତି କିଣିବା ପାଇଁ ସରକାରୀ ଯୋଜନାରେ ସବ୍ସିଡି କରାଇଦେବା ନାଁରେ ଠକେଇର ଶିକାର ହୋଇଛନ୍ତି। କେବଳ କୃଷ୍ଣଚନ୍ଦ୍ର ନୁହନ୍ତି ପଞ୍ଚାୟତର ଅନେକ ଚାଷୀଙ୍କୁ ଆତ୍ମା ଯୋଜନାରେ ପାଣିପମ୍ପ ଓ ମିନି ରାଇସ ମିଲ୍ ଯୋଗାଇ ଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ହଡପ୍ କରିଥିବା ଅଭିଯୋଗ୍ ହୋଇଛି। କୃଷି ବିଭାଗର କର୍ମଚାରୀ ପ୍ରଭାତ କୁମାର ସାହୁଙ୍କ ନାଁରେ ଏଭଳି ଅଭିଯୋଗ ଆଣିଛନ୍ତି ପଞ୍ଚାୟତର ଚାଷୀ। ଚାଷୀଙ୍କୁ ପ୍ରଲୋଭନ ଦେଖାଇ ସେମାନଙ୍କ ଅଜ୍ଞତାର ସୁଯୋଗ ନେଇ ଚାଷୀଙ୍କ ନାଁରେ ବ୍ୟାଙ୍କକୁ ଆସୁଥିବା ସବସିଡି ଟଙ୍କା ହଡପ କରି ନେଇଥିବା କହିଛନ୍ତି ଚାଷୀ। ଫଳରେ ବର୍ଷ ବର୍ଷ ବିତି ଯାଇଥିଲେ ମଧ୍ୟ ଚାଷୀ ଏଯାଏଁ ନିଜର ସବସିଡି ଅର୍ଥ ପାଇନାହାନ୍ତି ।
ସେପଟେ ଚନ୍ଦ୍ରପୁର ବ୍ଲକ ଡାଙ୍ଗସୋରଡା କୃଷି ବିଭାଗରେ କାର୍ଯ୍ୟରତ ପ୍ରଭାତ କୁମାର ସାହୁ ବିଭିନ୍ନ ବ୍ୟାଙ୍କ କାଗଜପତ୍ର ଓ ଚେକବୁକରେ ଚାଷୀଙ୍କଠାରୁ ଦସ୍ତଖତ କରାଇ ନେଇଥିଲେ। ଚାଷୀଙ୍କ ଫର୍ମ ପୁରଣ ବେଳେ ନିଜର ମୋବାଇଲ ନମ୍ବର ଦେଇ ଓଟିପି ହାସଲ କରିବା ପରେ ଚଂଚକତା କରି ଡିବିଟି ମାଧ୍ୟମରେ ନିଜ ଆକାଉଣ୍ଟକୁ ସବସିଡି ଟଙ୍କା ଟ୍ରାନ୍ସଫର କରୁଥିବା ଅଭିଯୋଗ ମଧ୍ୟ ହୋଇଛି। କେବଳ ସେତିକି ନୁହେଁ, ଜାଲ କାଗଜପତ୍ର ଓ ଚାଷୀଙ୍କ ନକଲି ଫଟୋ ଲଗାଇ ସରକାରୀ କାଗଜପତ୍ର ପ୍ରସ୍ତୁତ କରୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିବା କହିଛନ୍ତି କୃଷି ବିଭାଗ ଅଧିକାରୀ। ବିଭାଗ ପକ୍ଷରୁ ଏହାର ବିଧିବଦ୍ଧ ତଦନ୍ତ କରାଯାଇ ପ୍ରଭାତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜିଲ୍ଲା କୃଷି ଅଧିକାରୀ। ତେବେ ସମସ୍ତ ଅଭିଯୋଗ ଆସିବା ପରେ ପ୍ରଭାତ କୁମାର ସାହୁ ଛୁଟିରେ ଥିବା ଜଣାପଡିଛି ଫଳରେ ଏନେଇ ତାଙ୍କର ପ୍ରତିକ୍ରିୟା ମିଳିପାରିନାହିଁ।