୭ ବର୍ଷର ଶିଶୁର ଓଜନ ମାତ୍ର ୭ କିଲୋ; ସୁଦୂର ୟେମେନର କରୁଣ କାହାଣୀ କିଛି ଏମିତି…

ଉପରୋକ୍ତ ଫଟୋ ଖାଲି କରୁଣ ନୁହେଁ, ହୃଦୟ ବିଦାରକ ବି। ଆମ ସଭ୍ୟତା ପ୍ରତି, ଆମ ବିକାଶ ପ୍ରତି ତାତ୍ସଲ୍ୟ।  ଆପଣ ଦେଖିଥିବା ଏ ଫଟୋ କେଉଁ ଦେଶର, କେଉଁଠିକାର ଓ କାହାର, ତାହା ଜାଣିବା ବୋଧହୁଏ ଜରୁରି ନୁହେଁ। ବୋଧହୁଏ, ଭୋକରେ ରହି ନଥିବା ମଣିଷ ଏ ଫଟୋ ପଛର କରୁଣ କାହାଣୀକୁ ଠିକରେ ବୁଝିପାରିବ ନାହିଁ। ମଣିଷ ଛୁଆଟିଏର ଏମିତି ଅବସ୍ଥା କେମିତି ହେଲା, ତା ପଛର ଭୟଙ୍କର ସାମାଜିକ ବ୍ୟବସ୍ଥା ବିଷୟରେ ଥରେ ଜାଣିବା ପୂର୍ବରୁ ନିମ୍ନୋକ୍ତ ଫଟୋଟିକୁ ବି ଦେଖିନିଅନ୍ତୁ।

ଏ କଙ୍କାଳସାର ଫଟୋଟି ମଧ୍ୟପ୍ରାଚ୍ୟର ଏକ ଅନୁନ୍ନତ ଛୋଟିଆ ଦେଶ ୟେମେନର। ଭୋକରେ ରହି ଏକ କଙ୍କାଳ ପରି ହୋଇଯାଇଥିବା ଏହା ହେଉଛି ୭ ବର୍ଷର ଶିଶୁ ଫୈୟଦ ସମିମର ଫଟୋ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ପାରାଲିସିସ୍ ଓ ଅପପୁଷ୍ଟିର ଶିକାର ହୋଇଥିବା ସମିମର ଓଜନ ମାତ୍ର ୭ କିଲୋଗ୍ରାମ। ଖବର ସରବରାହ ସଂସ୍ଥା ରଏଟର୍ସ ପକ୍ଷରୁ ଏହି ଶିଶୁ ସଂପର୍କରେ ଏକ ଛୋଟିଆ ଭିଡିଓ ଛଡ଼ାଯିବା ପରେ ସାରା ବିଶ୍ୱରେଏନେଇ ଉଦବେଗ ସୃଷ୍ଟି ହୋଇଛି।

ଅପପୁଷ୍ଟିର ଶିକାର ଶିଶୁ ସମିମର ଚିକିତ୍ସା ବର୍ତ୍ତମାନ ୟେମେନ ରାଜଧାନୀ ସନାର ଏକ ହସ୍ପିଟାଲରେ କରାଯାଇଛି। ତେବେ ସମିମକୁ ହସ୍ପିଟାଲକୁ ଅଣାଯିବା ବେଳେ ତା ଅବସ୍ଥା ଅଧିକ ଖରାପ ଥିଲା। ଲାଗୁଥିଲା, ତାକୁ ବଂଚାଇ ରଖିବା ବୋଧହୁଏ କଷ୍ଟକର ହୋଇପଡ଼ିବ। କିନ୍ତୁ ସୌଭାଗ୍ୟର କଥା ଯେ, ଠିକ୍ ସମୟରେ ତା ଚିକିତ୍ସା କରାଯିବାରୁ ଶିଶୁ ସମିମର ଅବସ୍ଥା ଏବେ ଟିକେ ଭଲ ଅଛି ବୋଲି ହସ୍ପିଟାଲର ଅପପୁଷ୍ଟି ୱାର୍ଡର ଜଣେ ଡାକ୍ତର କହିଛନ୍ତି,

ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ମଧ୍ୟପ୍ରାଚ୍ୟ ଦେଶ ୟେମେନରେ ଶିଶୁଙ୍କ ଭିତରେ ଏବେ ଭୟଙ୍କର ଭାବେ ଅପପୁଷ୍ଟି ବୃଦ୍ଧି ପାଇଛି। ୨୦୧୪ ମସିହାରୁ ଦୀର୍ଘ ୬ ବର୍ଷ ଧରି ଏଠାରେ ଲାଗିରହିଥିବା ଗୃହଯୁଦ୍ଧର କୁପରିଣତି ହେଉଛି ଏହି ଭୟଙ୍କର ଅପପୁଷ୍ଟି। ୟେମେନ ସରକାର ଓ ହାଉଥି ଗୋଷ୍ଠୀ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଏବେସୁଦ୍ଧା ଲକ୍ଷାଧିକ ସାଧାରଣ ଲୋକଙ୍କର ମୃତ୍ୟୁ ହେବା ସହିତ, ସାରା ଦେଶ ଦାରିଦ୍ର ଭିତରକୁ ଠେଲି ହୋଇଯାଇଛି।

୨୦୧୮ ମସିହାରେ ଜାତିସଂଘ ପକ୍ଷରୁ ଏଠାରେ ଦୁର୍ଭିକ୍ଷ ଆଶଂକାରେ ଲୋକଙ୍କୁ ରିଲିଫ୍ ଦେବାକୁ ଅଭିଯାନ ଆରମ୍ଭ ହୋଇଥିଲେ ବି କରୋନା ସଂକ୍ରମଣ ଯୋଗୁ ଏହା ବ୍ୟାପକ ଭାବରେ ପ୍ରଭାବିତ ହୋଇଥିଲା। ଫଳରେ ହଜାର ହଜାର ଲୋକ ଖାଇବାକୁ ନପାଇ ଏବେ କଙ୍କାଳସାର ଅବସ୍ଥାକୁ ଆସି ଯାଇଛନ୍ତି।

ଏଭଳି ଅବସ୍ଥାରେ ଦେଶରେ ଅପପୁଷ୍ଟିର ଶିକାର ଶିଶୁଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଲୋକ ଏତେ ଗରିବ ହୋଇଯାଇଛନ୍ତି ଯେ, ହସପିଟାଲ ଆସିବାକୁ ମଧ୍ୟ କାହା ପାଖରେ ଟଙ୍କା ନାହିଁ। ରାଜନୈତିକ ସ୍ଥିରତା ନଥିବାରୁ ଦେଶର ରାସ୍ତାଘାଟ ଓ ଯାତାୟାତର ଅବସ୍ଥା ଦୟନୀୟ ହୋଇପଡ଼ିଛି।

ଥରେ ଭାବିଲେ ଦେଖି, ଶିଶୁଟିଏର ବା କି ଦୋଷ? ସଂସାର ବିଷୟରେ ଜାଣିବା ପୂର୍ବରୁ ୟେମେନର ଶିଶୁମାନେ ଏବେ ଏହିପରି ଅବସ୍ଥାରେ ପୃଥିବୀର ଆଲୁଅ ଦେଖୁଛନ୍ତି, ଯାହା ସବୁଠାରୁ ଉଦବେଗର ବିଷୟ।

ଯେଉଁଠି ଜୀବନର ମୂଲ୍ୟ କିଛି ନାହିଁ, ସେଠି ମଣିଷ ମଣିଷ ଭିତରେ ଏତେ ଅହଂକାର ଓ ହିଂସା କାହିଁକି? ଏହାର କଣ ଶେଷ ନାହିଁ?

You might also like