୮ ଫୁଟ୍‌ର ଅହିରାଜ ସାପକୁ ଧରି ପକାଇଲେ ମହିଳା

ସାପ ଧରିଲେ ମହିଳା

ବାରିପଦା(ମାନିକଲାଲ୍‌ ପାଣି):  ମହିଳା ଧରିଲେ ଅହିରାଜ। ୮ ଫୁଟ୍ ଲମ୍ବର ଏକ ଅହିରାଜ ସାପକୁ ସସ୍ମିତା ଗୋଚ୍ଛାୟତ ନାମକ ଜଣେ ମହିଳା ହାତରେ ଧରିଛନ୍ତି। ସସ୍ମିତା ଜଣେ ପ୍ରଫେସନାଲ ସାପ ଧରାଳି ନୁହଁନ୍ତି କିନ୍ତୁ ହାତରେ ଗ୍ଲୋବ୍ସ ପିନ୍ଧି ବିଷଧର ଅହିରାଜକୁ ଧରି ବ୍ୟାଗରେ ଭର୍ତ୍ତି କରିଥିଲେ। ପାଖରେ ତାଙ୍କ ସ୍ୱାମୀ କୃଷ୍ଣଚନ୍ଦ୍ର ଅଛନ୍ତି, ଯିଏ ବିଭିନ୍ନ ପ୍ରକାର ସାପ ଧରନ୍ତି କିନ୍ତୁ ସସ୍ମିତା ନିଜ ସାହସିକତାର ପରିଚୟ ଦେଇ କେବଳ ଗ୍ଲୋବ୍ସ ପିନ୍ଧି ଅହିରାଜକୁ ଧରିଛନ୍ତି। ମୟୂରଭଂଜ ଜିଲ୍ଲା ଶିମିଳିପାଳ ଅଞ୍ଚଳରେ ଥିବା ଲୁଲୁଙ୍ଗ ଗେଟ୍ ନିକଟରେ ରୁହନ୍ତି ଓକିଲ ମୁଣ୍ଡା ଓ କୋଇଲି ମୁଣ୍ଡା ଦମ୍ପତି। କାଲି ରାତି ପ୍ରାୟ ୮ଟା ବେଳେ ତାଙ୍କର ୨ ବର୍ଷର ଶିଶୁ ପୁତ୍ର କବାଟ କୋଣକୁ ଯିବା ବେଳେ ସେଠାରେ ଫଣା ଟେକି ଏକ ଅହିରାଜ ସାପ ଥିଲା।

ଓକିଲ ମୁଣ୍ଡା ତାଙ୍କ ଛୁଆକୁ ଆଖି ପିଛୁଳାକେ ଟାଣି ଆଣିଲେ କିନ୍ତୁ ସାପଟି କବାଟ ପାଖରେ ଫଣା ଟେକି ଠିଆ ହେବାରୁ କିଭଳି ସ୍ତ୍ରୀ ଓ ପୁଅଙ୍କୁ ନେଇ ଘରୁ ବାହାରିବେ ବୁଦ୍ଧିବାଟ ଦିଶିଲାନି। ଘର ଖଟ ଉପରେ ସମସ୍ତେ ଠିଆ ହୋଇ ଝରକାରେ ଲାଗିଥିବା ଲୁହା ରେଲିଂକୁ ଗୋଇଠା ମାରି ଘଣ୍ଟାଏ କାଳ ଅକ୍ଲାନ୍ତ ପରିଶ୍ରମ ପରେ ଭାଙ୍ଗିଲେ। ସେହି ଝରକା ପଟେ ପୂରା ପରିବାର ଜୀବନ ବିକଳରେ ବାହାରି ଆସିଲେ। ଏହାପରେ ଅହିରାଜଟିକୁ ଘରୁ କେମିତି କାଢିବେ, ସେହି ଚିନ୍ତାରେ ବନ ବିଭାଗକୁ ଖବର ଦେଲେ। ପିଠାବଟା ରେଂଜ ଅଫିସର ବାରିପଦାର ସାପ ଧରାଳି କୃଷ୍ଣଚନ୍ଦ୍ର ଗୋଛାୟତଙ୍କୁ ସାପଟିକୁ ଉଦ୍ଧାର କରିବାକୁ ଅନୁରୋଧ କଲେ।

କୃଷ୍ଣଚନ୍ଦ୍ର, ତାଙ୍କ ସ୍ତ୍ରୀ ସସ୍ମିତାଙ୍କୁ ନେଇ ଘଟଣାସ୍ଥଳରେ ପହଞ୍ଚି ଅତି ସତର୍କତାର ସହିତ ୮ ଫୁଟ୍ ଲମ୍ବର ଅହିରାଜକୁ ଧରି ଘରୁ ବାହାରକୁ ଆଣିଲେ। କାଲି ରାତିରେ ହିଁ ସାପକୁ ଶିମିଳିପାଳ ଅଭୟାରଣ୍ୟ ଭିତରେ ଛାଡି ଦିଆଯାଇଛି। ତେବେ ଜଣେ ମହିଳା ହୋଇ ସସ୍ମିତା ଯେଭଳି ଭାବେ ସାପଟିକୁ ହାତରେ ଧରି ବ୍ୟାଗରେ ଭର୍ତ୍ତି କଲେ, ତାକୁ ନେଇ ଏବେ ଚର୍ଚ୍ଚା ଚାଲିଛି।

You might also like