ଲକଡାଉନ ବେଳେ ଅସୁସ୍ଥ ପୁଅକୁ ଭେଟିବା ପାଇଁ କାରରେ ୨,୭୦୦ କି.ମି. ଯାତ୍ରା କଲେ ମହିଳା

କୋଟ୍ଟାୟମ: ଲକଡାଉନ ବେଳେ ଅସୁସ୍ଥ ପୁଅକୁ ଭେଟିବା ପାଇଁ କାରରେ ୨,୭୦୦ କି.ମି. ଯାତ୍ରା କଲେ ଜଣେ ୫୦ ବର୍ଷୀୟା ମହିଳା। ସମ୍ପୃକ୍ତ ମହିଳାଙ୍କ ପୁଅ ରାଜସ୍ଥାନର ଯୋଧପୁରରେ ବିଏସଏଫ ଅଧିକାରୀ ଅଛନ୍ତି। ତାଙ୍କ ନାଁ ଅରୁଣ କୁମାର(୨୯) ।

ଅରୁଣଙ୍କ ମା’ ଶୀଲାମ୍ମାଙ୍କ ସହ ତାଙ୍କର ବୋହୂ ଓ ଅନ୍ୟ ଜଣେ ସମ୍ପର୍କୀୟ ମଧ୍ୟ ଯାତ୍ରା କରିଥିଲେ। ୩ ଦିନ ଧରି ଯାତ୍ରା କରିବାପରେ ସେମାନେ ଯୋଧପୁରରେ ପହଞ୍ଚିଥିଲେ।

ସୂଚନା ଅନୁସାରେ, ଅରୁଣଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ନେଇ ତାଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିଲା। ଏହାପରେ ପରିବାର ଲୋକ ତାଙ୍କୁ ଭେଟିବା ପାଇଁ ନିଷ୍ପତ୍ତି ନେଇଥିଲେ। ଦେଶରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଲକଡାଉନ ଅବଧିକୁ ମେ’ ୩ ଯାଏ ବଢ଼ାଯାଇଛି। ଏହି ସମୟରେ ଯୋଧପୁର ଯିବା ପାଇଁ ଅରୁଣଙ୍କ ପରିବାର ଲୋକେ ଚିନ୍ତାରେ ପଡ଼ି ଯାଇଥିଲେ। କେନ୍ଦ୍ରମନ୍ତ୍ରୀ ଭି ମୁରଲୀଧରନ, ମୁଖ୍ୟମନ୍ତ୍ରୀ ପିନାରୟୀ ବିଜୟନଙ୍କ କାର୍ଯ୍ୟାଳୟ ଓ କଂଗ୍ରେସ ନେତା ଓମେନ୍ ଚାଣ୍ଡୀଙ୍କ ହସ୍ତକ୍ଷେପ ପରେ ଅରୁଣଙ୍କ ପରିବାର ଲୋକଙ୍କୁ ଯାତ୍ରା କରିବା ପାଇଁ ଆବଶ୍ୟକୀୟ ପାସ ମିଳିଥିଲା।

ଆବଶ୍ୟକୀୟ ପାସ ମିଳିବା ପରେ ସେମାନେ(ଅରୁଣଙ୍କ ପରିବାର ଲୋକେ) କେରଳରୁ ତାମିଲନାଡୁ, କର୍ଣ୍ଣାଟକ, ମହାରାଷ୍ଟ୍ର, ଗୁଜରାଟ ଦେଇ ଶେଷରେ ରାଜସ୍ଥାନରେ ପହଞ୍ଚିଥିଲେ।

ସୂଚନାଥାଉ କି, ଗତ ଫେବୃଆରୀରେ ଅରୁଣ ଛୁଟିରେ ଗାଁକୁ ଆସିଥିଲେ। ଗାଁରୁ ଯୋଧପୁରକୁ ଫେରିବା ପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା। ଏହାପରେ ସେ ତାଙ୍କ ମା’ ଓ ପତ୍ନୀଙ୍କୁ ଭେଟିବାକୁ ଚାହୁଁଥିଲେ। ତାଙ୍କର(ଅରୁଣ) ବର୍ଷକର ଛୁଆ ଅଛି।

You might also like