ରାସନ ମାଗିବାରୁ ମହିଳାଙ୍କୁ ପିଟିଲେ ସରପଞ୍ଚ

ବ୍ରହ୍ମପୁର: କରୋନା ଭଳି ବିପତ୍ତି ସମୟରେ ରାସନ ମାଗିବାରୁ ଜଣେ ବିଧବା ମହିଳାଙ୍କୁ ସରପଞ୍ଚ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏପରିକି ସରପଞ୍ଚ ସମ୍ପୃକ୍ତ ମହିଳା ଓ ତାଙ୍କ ବାପାଙ୍କୁ ଗୋଟିଏ ଘରେ ୨ଘଣ୍ଟା ତାଲା ପକାଇ ରଖିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ଗିରିସୋଲା ପଞ୍ଚାୟତରୁ ଏଭଳି ସଙ୍ଗୀନ ଅଭିଯୋଗ ଆସିଛି।

ସମ୍ପୃକ୍ତ ମହିଳାଙ୍କ ନାଁ ଟି.ଦିଲେଶ୍ୱରୀ ସେଠୀ। ୫ ମାସ ତଳେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ଘଟିଥିଲା।

ଗତ ସୋମବାର ଦିନ ଟି.ଦିଲେଶ୍ୱରୀ ତାଙ୍କ ବାପାଙ୍କ ସହିତ ଗିରିସୋଲା ସରପଞ୍ଚଙ୍କ ନିକଟକୁ କିଛି ରାସନ୍ ସାମଗ୍ରୀ ମାଗିବାକୁ ଯାଇଥିଲେ। ହେଲେ ସରପଞ୍ଚ ସହାୟତା କରିବା ପରିବର୍ତ୍ତେ ଦିଲେଶ୍ୱରୀ ଓ ତାଙ୍କ ବାପାଙ୍କୁ ମାରପିଟ୍ କରିଥିବା ଅଭିଯୋଗ ହୋଇଛି। ଏହାସହ ଗୋଟିଏ ଘରେ ୨ ଘଣ୍ଟା ଧରି ସେମାନଙ୍କୁ ତାଲା ପକାଇ ରଖି ଦେଇଥିଲେ ବୋଲି ଅଭିଯୋଗ ଆସିଛି।

ଗ୍ରାମବାସୀଙ୍କ ହସ୍ତକ୍ଷେପ ପରେ ଟି.ଦିଲେଶ୍ୱରୀ ଓ ତାଙ୍କ ବାପା ସେଠାରୁ ମୁକୁଳିଥିଲେ। ଏହା ପରେ ଦିଲେଶ୍ୱରୀ ଗୋଳନ୍ଥରା ଥାନାକୁ ଯାଇ ଅଭିଯୋଗ କରିଥିଲେ। ହେଲେ ଥାନା ଅଧିକାରୀ ଏତଲା ଗ୍ରହଣ ନ କରି ଫେରିଯିବାକୁ କହିଥିଲେ। ଶେଷରେ ବ୍ରହ୍ମପୁର ଏସ୍‌ପି ଅଫିସ୍‌କୁ ଆସି ସେ ନିଜ ଅଭିଯୋଗ ଜଣାଇଥିଲେ। ଏଏସ୍‌ପି ତାଙ୍କ ଅଭିଯୋଗ ଶୁଣିବା ସହ  ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

You might also like