‘ନ୍ୟାୟ ନ ମିଳିଲେ ଆତ୍ମାହୁତି ଦେବୁ; ବିଧାନସଭା ଆଗରେ ଅଟକାଇଲେ ଘରେ ମରିବୁ’

ଭୁବନେଶ୍ୱର: ‘ନ୍ୟାୟ ପାଇଁ ବାର ଦୁଆର ବୁଲିଲୁଣି।  ତଥାପି ନ୍ୟାୟ ମିଳୁନି। ବିଧାନସଭା ସମ୍ମୁଖରେ ଆତ୍ମାହୁତି ଦେଲେ ସିନା ଅଟକାଇ ଦେବେ। ଏଥର ଘର ଭିତରେ ଆତ୍ମାହୁତି ଦେବୁ’ ବୋଲି କୋହଭରା କଣ୍ଠରେ କହିଛନ୍ତି ସୁଲୋଚନା ଦାଶ।  ପୁଅ ହତ୍ୟାକାରୀଙ୍କ ଚିହ୍ନଟ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଦାବିରେ ସୁଲୋଚନା ଗତ ବିଧାନସଭା ଅଧିବେଶନ ସମୟରେ ବିଧାନସଭା ନିକଟରେ ଆତ୍ମାହୁତି ଉଦ୍ୟମ କରି ଚର୍ଚ୍ଚାର ପରିସରକୁ ଆସିଥିଲେ।

ଏ ସଂକ୍ରାନ୍ତରେ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ମଧ୍ୟ ଅଭିଯୋଗ ହୋଇଥିଲା। ମାନବାଧିକାର କମିଶନଙ୍କ ପକ୍ଷରୁ ଦିଆଯାଇଥିବା ତଦନ୍ତ ଶେଷ ହୋଇ ନାହିଁ। ତେଣୁ ଅଧିକ ଚାରି ସପ୍ତାହ ସମୟ ନେଇଛନ୍ତି ମାନବାଧିକାର କମିଶନଙ୍କ ପକ୍ଷରୁ ନିଯୁକ୍ତ ତଦନ୍ତକାରୀ ଅଧିକାରୀ।   ସେପଟେ ନ୍ୟାୟ ନ ମିଳିଲେ ଆଗାମୀ ଦିନରେ ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବୁ ବୋଲି କହିଛନ୍ତି ମୃତ ଯୁବକଙ୍କ ଭାଇ।

ମାନବାଧିକାରରେ କେସ୍‌ ଚାଲିଛି। ୧୦ରୁ ୧୫ ଥର ଆସିଲୁଣି। ଆଜି ବି ତାରିଖ ଥିଲା, ଆସିଥିଲୁ। ସେମାନେ କହିଲେ, ଆମ ଟିମ୍‌ ଯାଇ ତଦନ୍ତ କରିବ। ପୋଲିସ ବାଲା ୪ ସପ୍ତାହ ସମୟ ମାଗିଛନ୍ତି। ମାର୍ଚ୍ଚ ୪ ତାରିଖ ପୁଣି ତାରିଖ ରଖିଛନ୍ତି। କେବେ ଆମକୁ ନ୍ୟାୟ ମିଳିବ ଜାଣିପାରୁନୁ ବୋଲି କୋହ ଭରା କଣ୍ଠରେ କହିଛନ୍ତି ସୁଲୋଚନା।

ଅନ୍ୟପକ୍ଷେ ମୃତକଙ୍କ ଭାଇ ସୁବ୍ରତ ଦାଶ କ୍ଷୋଭ ଭରା କଣ୍ଠରେ କହିଛନ୍ତି,  ଅନେକ ମନ୍ତ୍ରୀ, ବିଧାୟକଙ୍କୁ ଭେଟିଲୁ, ଗୁହାରି କଲୁ। କେହି କିଛି କରିଲେନି। ଏ ବ୍ୟବସ୍ଥା ଦୁର୍ନୀତିରେ ବୁଡି ରହିଛି । ଏପରିକି ସେମାନେ ଆତ୍ମାହୁତି ପୂର୍ବଦିନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ପାଖକୁ ଆସିଥିଲୁ, ସେ କହିଲେ ତୁମେ ଯାହା କରୁଛ କର, ମୁଁ କିଛି କରିପାରିବିନି। ସେହିପରି ଅତନୁ ସବ୍ୟସାଚୀ ନାୟକଙ୍କୁ କହିଥିଲୁ। ସେ ମଧ୍ୟ ‘ତୁମେ ଯେମିତି ମରୁଛ ମର, ମୁଁ କିଛି କରି ପାରିବିନି’ ବୋଲି କହିଥିଲେ। ତେଣୁ ସମ୍ପୂର୍ଣ୍ଣ ବ୍ୟବସ୍ଥା ଉପରୁ ଆମର ଭରସା ତୁଟି ଗଲାଣି’ ବୋଲି ସେ କହିଛନ୍ତି।

ଆହୁରି ପଢନ୍ତୁ: ବରିଷ୍ଠ ଓଡ଼ିଆ IPSଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ସୂଚନାଥାଉ କି, ଜଗତ୍‌ସିଂହପୁର ଜିଲା କୁଜଙ୍ଗ ଅଞ୍ଚଳର ଯବକ ଅମୃତ ଦାଶଙ୍କ ମୃତ୍ୟୁ  ହତ୍ୟାକାଣ୍ଡ ବୋଲି ଦୀର୍ଘଦିନ ହେବ ଅଭିଯୋଗ କରି ଆସୁଛନ୍ତି ପରିବାର ଲୋକେ। ହେଲେ ପୋଲିସ ଏ ଦିଗରେ କୌଣସି ତଦନ୍ତ କରୁନି କିମ୍ବା କାର୍ଯ୍ୟାନୁଷ୍ଠାନ ନେଉନି। ଏ ନେଇ ପରିବାର ଲୋକେ ବାରମ୍ବାର ଅଭିଯୋଗ କରି ଆସୁଛନ୍ତି।  ମଧ୍ୟ ନ୍ୟାୟ ମିଳୁ ନ ଥିବାରୁ ପରିବାର ଲୋକେ ଏଭଳି ପଦକ୍ଷେପ ନେବାକୁ ମତ ରଖିଛନ୍ତି।

You might also like