ପୋଲିସ ପାଖରୁ ମିଳିଲାନି ନ୍ୟାୟ… ଥାନା ପରିସରରେ ମହିଳାଙ୍କ ଆତ୍ମହୁତି ଉଦ୍ୟମ

ଟାଙ୍ଗୀ: ପୋଲିସର ପାରିବା ପଣିଆ ଉପରେ ଲାଗିଛି ପ୍ରଶ୍ନବାଚୀ। ନ୍ୟାୟ ଆଶାରେ ଥାନାକୁ ଦୌଡ଼ି ଦୌଡ଼ି ହତାଶ ହେବା ପରେ ଶେଷରେ ନେଇଛନ୍ତି ଚରମ ନିଷ୍ପତ୍ତି। ଟାଙ୍ଗୀ ଥାନା ପରିସରରେ ଜଣେ କିରୋସିନ ଢାଳି ହୋଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। 

ଘଟଣା ମୁତାବକ, ସ୍ଥାନୀୟ କୋଟସହି ପଞ୍ଚାୟତ ବନ୍ଦାଳ ଗ୍ରାମର ଅନିଲ ମହାନ୍ତିଙ୍କ ସ୍ତ୍ରୀ ପ୍ରତିମା ବାଡ଼ିରେ କାଠ ହାଣୁଥିବା ସମୟରେ ତାଙ୍କର ଶ୍ୱଶୁର ବିଚିତ୍ର ଚନ୍ଦ୍ର, ବଡ ଶ୍ୱଶୁର ଭାରତ ଚନ୍ଦ୍ର, ଓ ଦେଢ଼ଶୁର ଅମରେନ୍ଦ୍ର ତାଙ୍କୁ ବିରୋଧ କରିଥିଲେ। ଏଠାରୁ କାଠ କାହିଁକି ହାଣୁଛୁ ବୋଲି କହି ଏକ କାଠ ଫାଳିଆରେ ମାଡ ମାରି ଲହୁଲୁହାଣ କରିବା ସହ ଜୀବନରୁ କରିଦେବାକୁ ଧମକ ଦେଇଥିଲେ।

 ଏ ନେଇ ପ୍ରତିମା ଟାଙ୍ଗୀ ଥାନାରେ ଗତ ୨୮ ତାରିଖ ଏକ ଲିଖିତ ଅଭିଯୋଗ କରିଥିଲେ । ହେଲେ ପୋଲିସ ଏଥି ପ୍ରତି କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ପୁନର୍ବାର ସେମାନେ ପ୍ରତିମାକୁ ମାଡ ମାରିବା ସହ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିଥିଲେ । ଏହା ପରେ ପୁଣି ଥରେ ପ୍ରତିମା ଥାନାର ଦ୍ୱାରସ୍ଥ ହୋଇଥିଲେ।

ହେଲେ ଥାନା କର୍ମଚାରୀ ଅଭିଯୋଗ ଶୁଣିବା ପରିବର୍ତ୍ତେ ଚାଲି ଯିବାକୁ କହିଥିଲେ । ଶେଷରେ ନ୍ୟାୟ ନ ପାଇ  ନିରାଶ ହେବା ପରେ ଚରମ ନିଷ୍ପତ୍ତି ନେଇଥିଲେ ପ୍ରତିମା। ସେ ଟାଙ୍ଗୀ ଥାନା ପରିସରରେ କିରୋସିନ ଢ଼ାଳି ହୋଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସେଠାରେ ଉପସ୍ଥିତ ଥିବା  କର୍ମକର୍ତ୍ତାମାନେ ପ୍ରତିମାକୁ ଉଦ୍ଧାର କରିବା ସହ ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଦାବି କରିଥିଲେ।

ଟାଙ୍ଗୀ ଥାନା ଅଧିକାରୀ ପ୍ରତିମାଙ୍କ ଦୁଇ ଶଶୁରଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି  ।

ପୋଲିସର ଅବହେଳାର ଏହା ପ୍ରଥମ ନମୂନା ନୁହେଁ। ନୟାଗଡ ନାବାଳିକା ନିଖୋଜ ଓ ହତ୍ୟା ଘଟଣାରେ ମଧ୍ୟ ପୋଲିସ ଏହି ପରି ଅବହେଳା କରିବା ସହ ନାବାଳିକାଙ୍କ ପରିବାରକୁ ହତାଶ କରିଥିଲେ। ଶେଷରେ ମୃତ ନାବାଳିକାଙ୍କ ବାପା-ମା’ ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିବା ପରେ ଘଟଣା ଏବେ ରାଜନୈତିକ ରୂପ ନେଇଛି।

ସେହିପରି  କଟକ ସେଣ୍ଟ୍ରାଲ୍ କୋଅପରେଟିଭ ବ୍ୟାଙ୍କ ଋଣ ଜାଲିଆତି ପାଇଁ ନଭେମ୍ବର ୨୭ ତାରିଖରେ ୩ ଜଣ ଚାଷୀ କିରାସିନି ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ।   ସେଠାରେ ମୁତୟନ ଥିବା ସୁରକ୍ଷା କର୍ମଚାରୀ  ସେମାନଙ୍କୁ ହଠାତ୍ କାବୁ କରିନେଇଥିଲେ।

ଏପ୍ରିଲ ୩ ତାରିଖ ଜଣେ ମହିଳା ନବୀନ ନିବାସ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଥିଲେ। ସେ ମଧ୍ୟ ପୋଲିସର ଦ୍ୱାରସ୍ଥ ହୋଇ ହତାଶ ହେବା ପରେ ଏପରି ପଦକ୍ଷେପ ନେଇଥିଲେ। ତେବେ ସେଠାରେ ଉପସ୍ଥିତ ସୁରକ୍ଷାକର୍ମୀମାନେ ତାଙ୍କୁ କାବୁ କରି ନେଇଥିଲେ।

You might also like