“ଭାରତର ସାହାଯ୍ୟକୁ ଭୁଲି ହେବନି”

ୱାଶିଂଟନ: ମହାମାରୀ କରୋନାର ମୁକାବିଲା ପାଇଁ ଆମେରିକା ମାଗିଥିବା ହାଇଡ୍ରୋକ୍ସିକ୍ଲୋରୋକୁଇନ୍ (HCQ)କୁ ଭାରତ ପଠାଇବ ବୋଲି ଅନୁମତି ଦେଇଛି। ଏହାକୁ ନେଇ ଭାରତକୁ ଧନ୍ୟବାଦ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।

ବୁଧବାର ଦିନ ଟ୍ୱିଟ କରି ଟ୍ରମ୍ପ କହିଛନ୍ତି, ‘HCQକୁ ନେଇ ଭାରତ ଓ ଭାରତୀୟଙ୍କ ନିଷ୍ପତ୍ତି ଓ ସାହାଯ୍ୟକୁ ଭୁଲି ହେବନି। ଏହି ଲଢେଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢ଼ ନେତୃତ୍ୱ କେବଳ ଭାରତକୁ ସହଯୋଗ କରିବ ନାହିଁ ବରଂ ଏହା ମାନବିକତାର ପରିଚୟ ଦେଇଛି।’

ଗତ ଶନିବାର ମୋଦି ଏବଂ ଟ୍ରମ୍ପ ଫୋନରେ କଥା ହୋଇଥିଲେ। କରୋନା ମୁକାବିଲା ନେଇ ଦୁଇ ଦେଶ ପରସ୍ପରକୁ ସହଯୋଗ କରିବେ ବୋଲି ନିଷ୍ପତ୍ତି ନେଇଥିଲେ ଏହି ଦୁଇ ପ୍ରମୁଖ ନେତା। ଏହାପରେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଔଷଧ ପଠାଇବା ପାଇଁ ମୋଦିଙ୍କୁ କହିଥିଲେ ଟ୍ରମ୍ପ।

ଏହାପରେ ଭାରତ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ରପ୍ତାନୀ ଉପରେ ଯେଉଁ ରୋକ୍ ଲଗାଇଥିଲା ତାହାକୁ କିଛି ସର୍ତ୍ତ ଆଧାରରେ ପ୍ରତିବନ୍ଧକ ହଟାଇଛି। ପଡ଼ୋଶୀଙ୍କୁ ସହଯୋଗ ଏବଂ ମାନବିକତାକୁ ପ୍ରାଥମିକତା ଦେଇ ଭାରତ ଆମେରିକାକୁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ପଠାଇବ ବୋଲି କହିଛି। ଭାରତ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ପଠାଇବ କହିବା ପରେ ମୋଦିଙ୍କୁ ପ୍ରଶଂସା କରିଥିଲେ ଟ୍ରମ୍ପ। ମୋଦି ମହାନ ଏବଂ ଜଣେ ଭଲ ନେତା ବୋଲି ଡୋଲାଲ୍ଡ ଟ୍ରମ୍ପ କହିଥିଲେ।

ସୂଚନାଯୋଗ୍ୟ, ଆମେରିକାରେ ମୃତ୍ଯୁ ସଂଖ୍ୟା ୧୪ ହଜାର ୭୦୦ ଟପି ଥିବାବେଳେ ୪ ଲକ୍ଷ ୩୫ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ଗୋଟିଏ ଦିନରେ ଆମେରିକାରେ ୧୮ ଶହ ୯୫ ଜଣଙ୍କ ମୃତ୍ଯୁ ହୋଇଛି।

You might also like