କାହିଁକି ଡବଲ ମାସ୍କ ପିନ୍ଧିବା ନିହାତି ଜରୁରୀ ?

ଭୁବନେଶ୍ୱର: କରୋନା ଭୂତାଣୁଠୁ ସୁରକ୍ଷିତ ରଖିବ ନିୟମିତ ମାସ୍କ ବ୍ୟବହାର। ମହାମାରୀ ବେଳେ ମଣିଷ ପାଇଁ ମାସ୍କ ହିଁ ପାଲଟିଛି ଜୀବନ ରକ୍ଷାକାରୀ କବଚ। ଏବେ କରୋନାର ଦ୍ୱିତୀୟ ଲହର ବେଳେ ଭୂତାଣୁର ଡବଲ ଓ ଟ୍ରିପଲ ମ୍ୟୁଟାଣ୍ଟ ବ୍ୟାପୁଥିବାରୁ ଅନେକ ଆପଣାଇଲେଣି ଡବଲ ମାସ୍କ। ତେବେ ମନକୁ ସ୍ୱତଃ ପ୍ରଶ୍ନ ଆସୁଛି, ଏହି ଡବଲ ମାସ୍କ କଣ ପାଇଁ? କିଭଳି ଏବଂ କେଉଁ ସ୍ଥିତିରେ ପିନ୍ଧିବା ଡବଲ୍ ମାସ୍କ ?

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଯଦି ଆପଣଙ୍କ ପାଖରେ N-95 ମାସ୍କ ଅଛି, ତେବେ ଡବଲ୍ ମାସ୍କର ଆବଶ୍ୟକତା ନାହିଁ କାରଣ-ଏହା ପାଟି ଓ ନାକର ଚାରିପାଖକୁ ସମ୍ପୂର୍ଣ୍ଣ ନିବୁଜ କରି ରଖିଥାଏ ତେବେ ସମସ୍ତଙ୍କ କ୍ଷେତ୍ରରେ N 95 ମାସ୍କ ମାସ୍କ କିଣି ପିନ୍ଧିବା ସମ୍ଭବ ନୁହେଁ। ଏପଟେ ସର୍ଜିକାଲ ବା କପଡ଼ା ମାସ୍କ ବି ନାକ ଓ ପାଟିକୁ ସମ୍ପୂର୍ଣ୍ଣ ନିବୁଜ ରଖିପାରୁନି। ଏସବୁ ମାସ୍କରେ ନାକ କିମ୍ବା ପାଟିକୁ ଅନ୍ୟ ଦିଗରୁ ସହ ବାୟୁ ଚଳାଚଳ କରୁଥିବାରୁ ଏପରିସ୍ଥଳେ ଡବଲ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଉଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ। ଏନ୍-୯୫ ମାସ୍କ ଭୂତାଣୁଠୁ ଦୂରେଇ ରଖିବାରେ ପ୍ରାୟତଃ ୯୩% କାମ କରୁଥିବା ବେଳେ ଡବଲ୍ ମାସ୍କ ୯୦%ରୁ ଅଧିକ ଇଫେକ୍ଟିଭ୍ ବୋଲି କୁହାଯାଉଛି।

ଏବେ ଜାଣନ୍ତୁ, କେମିତି ପିନ୍ଧିବେ ଡବଲ ମାସ୍କ? ଡବଲ ମାସ୍କିଂ ପାଇଁ କେଉଁ ପ୍ରକାର ମାସ୍କକୁ ବ୍ୟବହାର କରିବେ। ବିଶେଷଜ୍ଞଙ୍କ ମତରେ ଡବଲ୍ ମାସ୍କିଂ ପାଇଁ ଗୋଟିଏ ସର୍ଜିକାଲ ମାସ୍କ ଓ ଆଉ ଗୋଟିଏ କପଡ଼ା ମାସ୍କ ଆବଶ୍ୟକ। ଡବଲ ମାସ୍କ ପିନ୍ଧିବା ବେଳେ ପ୍ରଥମେ ସର୍ଜିକାଲ ମାସ୍କ, ତା ଉପରେ କପଡ଼ା ମାସ୍କ ପିନ୍ଧନ୍ତୁ ସେହିଭଳି ପିନ୍ଧିବା ଓ ଖୋଲିବା ବେଳେ ମାସ୍କକୁ ନଧରି ଏହାର ଫିତାକୁ ଧରିବା ଉଚିତ। କାରଣ ମାସ୍କର ଉପରି ଭାଗରେ ଭୂତାଣୁ ରହିଥିବାର ଅନେକ ଆଶଙ୍କା ରହିଛି।

ସେହିଭଳି ଗୋଟିଏ ମାସ୍କକୁ ସର୍ବାଧିକ ୬ ଘଣ୍ଟା ପାଇଁ ପିନ୍ଧା ଯାଇପାରିବ। ଏନ୍-୯୫ ମାସ୍କ ଥରେ ବ୍ୟବହାର କରିବା ପରେ ଏହାକୁ ଖରାରେ ଶୁଖାଇ ୪ ଦିନ ପରେ ପୁନଃ ବ୍ୟବହାର କରିବା ଦରକାର। ଡବଲ ମାସ୍କିଂ କ୍ଷେତ୍ରରେ ବ୍ୟବହାର ପରେ ସର୍ଜିକାଲ ମାସ୍କକୁ ଆଉ ବ୍ୟବହାର ନକରିବା ସହ କପଡ଼ା ମାସ୍କକୁ ଡିଟରଜେଣ୍ଟରେ ଧୋଇ ପୁନଶ୍ଚ ପିନ୍ଧାଯାଇପାରିବ। କିନ୍ତୁ ରୁମାଲ କରୋନା ଭୂତାଣୁ ସଂକ୍ରମଣକୁ ରୋକିବାରେ ବିଲକୁଲ ସମର୍ଥ ହେବ ନାହିଁ ଏବଂ ୫ ବର୍ଷରୁ କମ୍ ବୟସର ପିଲାଙ୍କୁ ମାସ୍କ ନ ପିନ୍ଧାଇବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ।

ରିପୋର୍ଟ: ଦେବାଶିଷ ମହାନ୍ତି ଓ କପିଳେନ୍ଦ୍ର ପ୍ରଧାନ

You might also like