କୋଟିଆକୁ ନେଇ କାଲି କଣ କହିବେ ସୁପ୍ରିମକୋର୍ଟ?

କୋଟିଆ ରାୟକୁ ଅପେକ୍ଷା

ଭୁବନେଶ୍ୱର: କୋଟିଆର ବିବାଦୀୟ ୩ଟି ଗାଁ ଓଡ଼ିଶାର ନା ଆନ୍ଧ୍ରର ତାହାକୁ ନେଇ ଥମୁନି ଚର୍ଚ୍ଚା। ପ୍ରକୃତରେ ଏ ଅଞ୍ଚଳ କାହାର? ତାକୁ ନେଇ କାଲି ଗୁରୁତ୍ୱପୂର୍ଣ୍ଣ ଶୁଣାଣି ସୁପ୍ରିମକୋର୍ଟ କରିବେ ବୋଲି ଜଣାପଡ଼ିଛି। କୋଟିଆର ୩ ଗାଁରେ ଆନ୍ଧ୍ର ସରକାର ବଳପୂର୍ବକ ପଞ୍ଚାୟତ ନିର୍ବାଚନ କରୁଥିବାରୁ ପୁଣି ସୁପ୍ରିମକୋର୍ଟ ଯାଇଛନ୍ତି ଓଡ଼ିଶା ସରକାର। ସୀମା ବିବାଦକୁ ନେଇ କୋର୍ଟଙ୍କ ପୂର୍ବ ରାୟକୁ ଆନ୍ଧ୍ର ମାନିନଥିବାରୁ ଓଡ଼ିଶା ଅଦାଲତ ଅବମାନନା ମାମଲା ଦାଏରକୁ ବିଚାର ପାଇଁ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ।

କୋରାପୁଟ କୋଟିଆର ବିବାଦୀୟ ୩ ଗାଁ କାହାର? ଓଡ଼ିଶାର ମାଟିକୁ ବଳପୂର୍ବକ ଦଖଲ କରୁଛି ଆନ୍ଧ୍ର ନାଁ ପଡ଼ୋଶୀ ରାଜ୍ୟର ସୀମା ଭିତରେ ଅଛି ବିବାଦୀୟ ଅଞ୍ଚଳ? ଏ ସଙ୍ଗୀନ ମାମଲାର ଆସନ୍ତାକାଲି ଶୁଣାଣି କରିବେ ସୁପ୍ରିମକୋର୍ଟ। ନିକଟରେ ଆନ୍ଧ୍ର ପ୍ରଦେଶ ସରକାର କୋଟିଆର ୩ଟି ଗାଁର ନାଁ ବଦଳାଇ ପଞ୍ଚାୟତ ନିର୍ବାଚନ କରିବା ପରେ ପୁଣି ସୁପ୍ରିମକୋର୍ଟ ଯାଇଛି ଓଡ଼ିଶା। ସମ୍ବିଧାନର ଧାରା ୧୨୯ ଅନୁଯାୟୀ ଆନ୍ଧ୍ରପ୍ରଦେଶ ସୁପ୍ରିମକୋର୍ଟଙ୍କ ଆଦେଶକୁ ଅମାନ୍ୟ କରିଥିବା ଦର୍ଶାଇ ଅଦାଲତ ଅବମାନନା ମାମଲା ଦାଏର କରିଛନ୍ତି ଓଡ଼ିଶା ସରକାର।

କୋର୍ଟରେ ଓଡ଼ିଶା ଯୁକ୍ତି ରଖିଛି, ଯେ ୧୯୬୮ରେ ଉଭୟ ରାଜ୍ୟର ସୀମା ବିବାଦ ସଂପର୍କିତ ମାମଲାରେ ସ୍ଥିତାବସ୍ଥା ପାଇଁ ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ। ୨୦୦୬ ପୂର୍ଣ୍ଣାଙ୍ଗ ରାୟରେ ମଧ୍ୟ ସ୍ଥିତାବସ୍ଥା ପାଇଁ ନିର୍ଦ୍ଦେଶ ଥିଲା। ହେଲେ ଆନ୍ଧ୍ର ସରକାର ପଞ୍ଚାୟତ ନିର୍ବାଚନ କରି କୋର୍ଟଙ୍କ ନିର୍ଦ୍ଦେଶ ଉଲ୍ଲଙ୍ଘନ କରିଛି। ତେଣୁ ପ୍ରସଙ୍ଗକୁ ଗୁରୁତ୍ୱପୂର୍ଣ୍ଣ ଦର୍ଶାଇ ତ୍ୱରିତ ଶୁଣାଣି କରିବାକୁ ଓଡ଼ିଶାର ଆବେଦନକୁ ଗ୍ରହଣ କରିଛନ୍ତି ପ୍ରଧାନ ବିଚାରପତି। ସେପଟେ ସୁପ୍ରିମକୋର୍ଟଙ୍କ ସ୍ଥିତାବସ୍ଥା ନିର୍ଦ୍ଦେଶ ପରେ ଆନ୍ଧ୍ର ସରକାର ନିର୍ବାଚନ କରି ସ୍ଥିତାବସ୍ଥା ହିଁ ବଜାୟ ରଖୁଥିବା ଜଣାଯାଇଛି।  ଆଉ ଗତକାଲି ଏ ସମ୍ପର୍କରେ ଗଣାମାଧ୍ୟମ ଆଗରେ ନିଜର ଯୁକ୍ତି ବାଢ଼ିଥିଲେ ଆନ୍ଧ୍ରପ୍ରଦେଶ ସାଲୁର ବିଧାୟକ।

ଏପଟେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନ କରୁଥିବା କୋଟିଆର ୩ଟି ଗାଁ ଯେ ଓଡ଼ିଶାର, ସେ ଦାବି ଉପରେ ଜୋର ଦେଇଛନ୍ତି ସବୁ ରାଜ୍ୟନୈତିକ ଦଳ। ହେଲେ କୋଟିଆରେ ଆଜି ଏ ସ୍ଥିତି ପାଇଁ ରାଜ୍ୟ ସରକାରଙ୍କୁ ଦୋଷ ଦେଇଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ। ତେଣେ ସୁପ୍ରିମକୋର୍ଟ ଓଡ଼ିଶାକୁ ନିଶ୍ଚିତ ନ୍ୟାୟ ଦେବେ ବୋଲି ଆଶା ରଖିଛି ବିଜେଡି।

ବିଜେପି ସାଂସଦ ସୁରେଶ ପୂଜାରୀ କହିଛନ୍ତି ଯେ, ଆନ୍ଧ୍ର ବିରୋଧରେ ସୁପ୍ରିମକୋର୍ଟ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ। ଏହି ବିବାଦକୁ ନେଇ ଅଧିକ ବିବାଦ ନକରି ସାରା ଓଡ଼ିଶାର ଲୋକ ଏକାଠି ହେବା ଦରକାର। ରାଜ୍ୟର ସ୍ୱାର୍ଥ ପାଇଁ ଆମେ ସମସ୍ତେ ଏକାଠି ହେବାର ଆବଶ୍ୟକତା ରହିଛି ଏହାସହ ରାଜ୍ୟ ସରକାର ଏ ଲଢେଇକୁ ନିଜ ଲଢେଇ ନଭାବନ୍ତୁ ବୋଲି ସୁରେଶ କହିଛନ୍ତି। ଆଉ କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକା କହିଛନ୍ତି, ଆମ ଅଂଚଳ ଆମେ କାହାକୁ କାହିଁକି ଦେବା? ଆନ୍ଧ୍ର ବଦମାସି କରୁଛି ତେଣୁ ତାକୁ ଉଚିତ ଜବାବ ଦେବାର ଆବଶ୍ୟକତା ରହିଛି। ସେପଟେ ବିଜେଡି ନେତା ଅଶ୍ୱିନୀ ପାତ୍ର କହିଛନ୍ତି ଯେ, ମୋର ବିଶ୍ୱାସ ରହିଛି ଏହି ଘଟଣାରେ ଆମକୁ ନିଶ୍ଚିତ ନ୍ୟାୟ ମିଳିବ। ଆନ୍ଧ୍ର ଦାଦାଗିରି କରୁଛି କିନ୍ତୁ ତାହାକୁ ପ୍ରତିହତ କରିବାକୁ ରାଜ୍ୟ ସରକାର ପୂରା ସକ୍ଷମ ଅଛନ୍ତି ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି।

ବଡ଼ କଥା ହେଉଛି କୋଟିଆକୁ ନେଇ ଦୁଇ ପଡ଼ୋଶୀ ରାଜ୍ୟ ମଧ୍ୟରେ ବିବାଦ ଘନଉଥିବା ବେଳେ ଏବେ ଏ ପ୍ରସଙ୍ଗ ସଂସଦରେ କାହିଁକି ଉଠାଉ ନାହାନ୍ତି ଓଡ଼ିଶାର ସାଂସଦ, ତାକୁ ନେଇ ପ୍ରଶ୍ନ ଉଠିଛି।

You might also like