ବିଶ୍ୱର ସବୁଠୁ ଦାମୀ ହ୍ୱାଇଟ ହାଉସ କିଚେନ୍ରେ ବାଇଡେନଙ୍କ ପାଇଁ କ’ଣ ରନ୍ଧା ହେବ ?
ୱାଶିଂଟନ: ଆମେରିକା ରାଷ୍ଟ୍ରପତି ନିବାସ ଅର୍ଥାତ୍ ହ୍ୱାଇଟ ହାଉସ୍ର ରୋଷେଇଘରର ରୂପରେଖ ସମ୍ପୂର୍ଣ୍ଣ ବଦଳିଯିବ। ଏହା ପୂର୍ବରୁ ଏହି ରୋଷେଇଘର ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପରିବାରର ପସନ୍ଦ ଅନୁସାରେ ପ୍ରସ୍ତୁତ ହୋଇଥିଲା। ଏବେ ରାଷ୍ଟ୍ରପତି ବାଇଡେନ୍ଙ୍କ ପସନ୍ଦ ଅନୁସାରେ ହେବ। ଆସନ୍ତୁ ଜାଣିବା, କେମିତି ଏଇ ହ୍ୱାଇଟ ହାଉସ୍ର କିଚେନ ଏବଂ ବାଇଡେନ୍ଙ୍କ ପାଇଁ ଏଠାରେ କ’ଣ ସବୁ ପ୍ରସ୍ତୁତ ହେବ ?
ହ୍ୱାଇଟ୍ ହାଉସ୍ ଏବେ ଆଗାମୀ ୪ ବର୍ଷ ପାଇଁ ବାଇଡେନ୍ଙ୍କ ସରକାରୀ ବାସଭବନ ହେବ। ତେଣୁ ବାଇଡେନ ଏଠାକୁ ଆସିବା ପୂର୍ବରୁ ତାଙ୍କ ପସନ୍ଦ ଅନୁସାରେ ଏଥିରେ ଅନେକ ପରିବର୍ତ୍ତନ କରାଯାଇଛି। ବିଶେଷ କରି ବାଇଡେନ୍ ଏବଂ ତାଙ୍କ ପରିବାରର ବ୍ୟକ୍ତିଗତ ରୁମ୍। ଏହା ବ୍ୟତୀତ ହ୍ୱାଇଟ୍ ହାଉସ୍ କିଚେନର ମଧ୍ୟ ପରିବର୍ତ୍ତନ ଘଟିଛି। ଏହି ଫାଇଭ ଷ୍ଟାର କିଚେନ୍କୁ ନୂଆ ରେପ ରେଖ ଦେବା ପାଇଁ ୨୪ ଘଣ୍ଟା କାମ ଚାଲିଛି।
ଆମେରିକା ରାଷ୍ଟ୍ରପତି ବାଇଡେନ୍ଙ୍କର ଆଇସକ୍ରିମ ଖୁବ୍ ପସନ୍ଦ। ଏହା ପ୍ରାୟ ସବୁ ଆମେରିକାବାସୀ ଜାଣନ୍ତି। ତେଣୁ ହ୍ୱାଇଟ ହାଉସ୍ରେ ସୁସ୍ୱାଦୁ, ପୁଷ୍ଟକର ଆଇସ୍କ୍ରିମ ତିଆରି ଉପରେ ଗୁରୁତ୍ୱ ଦିଆଯିବ। ଏହାବ୍ୟତୀତ ଆମେରିକା ରାଷ୍ଟ୍ରପତି ବାଇଡେନ୍ ପାରମ୍ପରିକ ଖାଦ୍ୟକୁ ବେଶି ପସନ୍ଦ କରନ୍ତି। ମିଠା ଏବଂ ମସାଲାଦାର ଅଖରୋଟ ବାଇଡେନ୍ଙ୍କର ଅଧିକ ପସନ୍ଦ। ଅଧିକାଂଶ ସମୟ ନାସ୍ତାରେ ସେ ଏହା ହିଁ ଖାଇଥାନ୍ତି। ଜିରା, ନାଲି ଲଙ୍କା ଏବଂ ଡାଳଚିନି ଦିଆଯାଇଥିବା କ୍ରିପ୍ସି ଅଖରୋଟ ତାଙ୍କର ବେଶି ପସନ୍ଦ। ତେଣୁ ହ୍ୱାଇଟ ହାଉସ୍ କିଚେନ୍ରେ ଏହା ମଧ୍ୟ ସ୍ଥାନ ପାଇବ।
ଲଞ୍ଚରେ ବାଇଡେନ ସ୍ୱତନ୍ତ୍ର ପ୍ରକାର ଫ୍ରାଏ ହୋଇଥିବା ଚିକେନ ପସନ୍ଦ କରନ୍ତି। ସାଲାଡ ଏବଂ ପାସ୍ତା ସହ ସେ ଏହି ଚିକେନ ଖାଇଥାନ୍ତି। ସୂଚନାଥାଉ କି, ବାଇଡେନ୍ଙ୍କ ଇଟାଲିଆନ ଗ୍ରାଣ୍ଡମଦର୍ ସବୁ ରବିବାର ଦିନ ଲଞ୍ଚରେ ଏହି ଡିସ୍ ପ୍ରସ୍ତୁତ କରିଥାନ୍ତି। ଏଥି ସହ ରେଡ୍ ସସ୍ ସହ ପାସ୍ତା ଏବଂ ଇଟାଲିଆନ ବ୍ୟଞ୍ଜନ ବାଇଡେନଙ୍କ ପସନ୍ଦ ଅନୁସାରେ ପ୍ରସ୍ତୁତ ହେବ।
କୁହାଯାଏ, ବିଶ୍ୱର କୌଣସି ରାଷ୍ଟ୍ରମୁଖ୍ୟଙ୍କ ସରକାରୀ ବାସଭବନ ହ୍ୱାଇଟ ହାଉସ୍ ବାସଭବନ ପରି ସୁନ୍ଦର, ଶାନଦାର୍ ନୁହେଁ। ଏହାର ସୁରକ୍ଷା, ସୁବିଧା ଯେତିକି ଜବରଦସ୍ତ, ଫାଇବ ଷ୍ଟାର କିଚେନ ବି ସେତିକି ସ୍ୱତନ୍ତ୍ର। ଏହି କିଚେନ ଖାଲି ରାଷ୍ଟ୍ରପତି ପରିବାରକୁ ସ୍ୱାଦିଷ୍ଟ ବ୍ୟଞ୍ଜନ ପରୋସେନି ବରଂ ଅତିଥି, ଅଭ୍ୟାଗତଙ୍କୁ ମଧ୍ୟ ତାହାର ସ୍ୱାଦିଷ୍ଟ ଖାଦ୍ୟରେ ବାନ୍ଧି ରଖିଥାଏ।
୫୫ ହଜାର ବର୍ଗଫୁଟର ବ୍ୟାପି ଇଲାକାରେ ରହିଛି ୬ ମହଲା ବିଶିଷ୍ଟ ହ୍ୱାଇଟ୍ ହାଉସ । କୁହାଯାଏ, ଆମେରିକାର ପ୍ରକୃତ ଶକ୍ତି ଏଇ ହ୍ୱାଇଟ୍ ହାଉସ୍ରେ ହିଁ ରହିଛି। ଏହି କୋଠାରେ ଆମେରିକାର ପ୍ରଥମ ପରିବାର ରୁହନ୍ତି। ଏହି ଭବନରେ ରାଷ୍ଟ୍ରପତିଙ୍କ ଅଫିସ ମଧ୍ୟ ରହିଛି।
ହ୍ୱାଇଟ୍ ହାଉସ୍ରେ ଦୁଇଟି କାମ ୨୪ ଘଣ୍ଟା ଚାଲିଥାଏ। ଗୋଟିଏ ହେଉଛି ହାଉସ୍ କିପିଂ ଏବଂ ଅନ୍ୟଟି ହେଉଛି କିଚେନ। ଏହି ଦୁଇ ବିଭାଗର ଷ୍ଟାଫ୍ ଲଗାତାର ତାଙ୍କର ସେବା ଦେଉଥାନ୍ତି। ସାଧାରଣତଃ ରାଷ୍ଟ୍ରପତିଙ୍କ ପତ୍ନୀମାନେ କିଚେନ କାମରେ ବେଶି ହସ୍ତକ୍ଷେପ କରିଥାନ୍ତି। ତେବେ ଡୋନାଲ୍ଡ ଟ୍ରମ୍ପଙ୍କ ପତ୍ନୀ ମେଲାନିଆ ଟ୍ରମ୍ପଙ୍କର କିଚେନ କାମରେ ବିଶେଷ ଆଗ୍ରହ ନ ଥିଲା।
ପ୍ରତ୍ୟେକ ରାଷ୍ଟ୍ରପତିଙ୍କ ଅଫିସରେ ତାଙ୍କ ଟେବୁଲ୍ରେ ଏକ ବଟନ ଥାଏ। ଏହି ବଟନ ଚିପି ସେ ନିଜ ମନପସନ୍ଦର ସ୍ନାକ୍ସ ଅର୍ଡର କରିଥାନ୍ତି। ଏହା କିଚେନ ମେନୁରେ ରହିଛି। ଡୋନାଲ୍ଡ ଟ୍ରମ୍ପ ଅଧକାଂଶ ସମୟ ବଟନ ଟିପି ଫ୍ରେଶ୍ କୋକ୍ ମଗାଇଥାନ୍ତି। ଓବାମା ଗରଢ଼ ଚା’ ମଗାଇଥାନ୍ତି।
ହ୍ୱାଇଟ୍ ହାଉସ୍ର ଏକ୍ଜ୍ୟୁକିଟିଭ ଶେଫ ଅଛନ୍ତି କ୍ରେଷ୍ଟେଟା କୋମରଫୋର୍ଡ। ସେ ଗତ ୧୪ ବର୍ଷ ହେଲା ଏହି ପୋଷ୍ଟରେ ଅଛନ୍ତି। ବାଇଡେନ୍ଙ୍କ ସମୟରେ ବି ସେ ଏହି ପଦବୀରେ ରହିବେ। ସେ ୨୩ ବର୍ଷରୁ ଆମରିକା ରାଷ୍ଟ୍ରପତିଙ୍କ ଶେଫ ଅଛନ୍ତି। ଏଠି କହିରଖିବୁ, ହ୍ୱାଇଟ୍ ହାଉସ୍କୁ ବାହାରର ଖାଦ୍ୟ ଆସେ ନାହିଁ। ଏଥିପାଇଁ ଅନୁମତି ନାହିଁ। ତେବେ ଟ୍ରମ୍ପଙ୍କ ସମୟରେ ମାକ୍ଡୋନାଲ୍ଡ, ୱେଣ୍ଡିଜ୍ ଏବଂ ବର୍ଗର କିଂଗର ଫାଷ୍ଟଫୁଡ଼ ଏଠାକୁ ଆସୁଥିଲା।
ହ୍ୱାଇଟ୍ ହାଉସ ଯେ କୌଣସି ସମୟରେ ୧୪୦ ଜଣ ଅତିଥିଙ୍କୁ ଖାଦ୍ୟ ପରସିବାର କ୍ଷମତା ରଖିଥାଏ। ଯଦି ରାଷ୍ଟ୍ରପତି କୌଣସି
ବଡ଼ ପାର୍ଟି ରଖନ୍ତି ତେବେ କିଚେନକୁ ଏହା ପୂର୍ବରୁ ସୂଚନା ଦିଆଯାଇଥାଏ। ଯଦ୍ୱାରା ହ୍ୱାଇଟ ହାଉସ୍ ୧୦୦୦ ଲୋକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରି ପାରିବ। ଯଦି ରାଷ୍ଟ୍ରପତି କିମ୍ବା ତାଙ୍କ ପତ୍ନୀ ବ୍ୟକ୍ତିଗତ ପାର୍ଟି ରଖିଥାନ୍ତି, ତେବେ ଏହାର ସମସ୍ତ ଖର୍ଚ୍ଚ ବିଲ୍ ମାସ ଶେଷରେ ସେମାନଙ୍କୁ ଦେବାକୁ ପଡ଼ିଥାଏ।
ହ୍ୱାଇଟ ହାଉସ୍ରେ ୧୩୨ଟି ରୁମ୍ ରହିଛି। ଏଥିରୁ ୩ଟି ରୁମ୍ କିଚେନ୍ ଭାବେ ବ୍ୟବହୃତ ହୋଇଥାଏ। ମୁଖ୍ୟ କିଚେନ ବ୍ୟତିତ ଏକ ପ୍ୟାଷ୍ଟ୍ରି କିଚେନ ଏବଂ ଗୋଟିଏ ବ୍ୟକ୍ତିଗତ କିଚେନ ରହିଛି ଯେଉଁଠି ରାଷ୍ଟ୍ରପତିଙ୍କ ପାଇଁ ବ୍ରେକ୍ ଫାଷ୍ଟ ଏବଂ ଅନ୍ୟାନ୍ୟ ଖାଦ୍ୟ ପ୍ରସ୍ତୁତ ହୋଇଥାଏ। ତେବେ ପ୍ରତି ୪ ବର୍ଷରେ ହ୍ୱାଇଟ ହାଉସ୍ କିଚେନର ଖାଦ୍ୟପେୟ, ମେନୁ ଏବଂ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଥାଏ। ୨୦ ଜାନୁଆରୀ ନୂଆ ରାଷ୍ଟ୍ରପତି ଏଠାକୁ ଆସିବା ପରେ ମଧ୍ୟାହ୍ନ ସୁଦ୍ଧା କିଚେନ ପ୍ରସ୍ତୁତ ହୋଇଯାଇଥିଲା। ପରବର୍ତ୍ତୀ ୬ ଘଣ୍ଟା ମଧ୍ୟରେ ରାଷ୍ଟ୍ରପତିଙ୍କ ପସନ୍ଦ ଅନୁସାରେ ରୋଷେଇଘରେ କାମ ଆରମ୍ଭ କରିବାକୁ ପଡ଼ିଥାଏ। ଏଠାରେ କାମ କରୁଥିବା ଲୋକଙ୍କୁ ସୁପାରିଶ କ୍ରମେ ନିଯୁକ୍ତି ମିଳିଥାଏ। ସିଧାସଳଖ କାହାକୁ ଏଠାରେ ନିଯୁକ୍ତି ମିଳି ନ ଥାଏ। ଏମିତି ଅନେକ ପରିବାର ଏଠାରେ ଅଛନ୍ତି ଯେଉଁମାନେ ଅନେକ ପୀଢି ଧରି ଏଠାରେ କାମ କରୁଛନ୍ତି।