• translate
Sarbeswar

ଭୁବନେଶ୍ୱର(ନିରଞ୍ଜନ ରେଡ୍ଡି): ୧୯୫୭ ମସିହାରେ କଟକ ବାରବାଟୀ ଷ୍ଟାଡିୟମରେ ହୋଇଥିଲା ନ୍ୟାସନାଲ ଆଥ୍ଲେଟିକ୍ସ ମିଟ୍। ୨ଶହ ଓ ୪ଶହ ମିଟର ଦୌଡ଼ ପ୍ରତିଯୋଗିତାରେ ଭାଗ ନେଇଥାନ୍ତି ମିଲ୍ଖା ସିଂ। ଯଦିଓ ସେ ଏହାର ପୂର୍ବବର୍ଷ ଅର୍ଥାତ୍ ୧୯୫୬ ମେଲବୋର୍ଣ୍ଣ ଅଲିମ୍ପିକ୍ସରେ ଭାଗ ନେଇ ଚର୍ଚ୍ଚାରେ ଥାଆନ୍ତି, ତଥାପି ନା କୌଣସି ଅନ୍ତର୍ଜାତୀୟ ରେକର୍ଡ କରିଥାନ୍ତି, ନା ଫ୍ଲାଇଙ୍ଗ୍ ଶିଖ୍ର ପରିଚୟ ପାଇଥାନ୍ତି। ସେଥର କଟକରେ ୪ଶହ ମିଟର ଇଭେଣ୍ଟରେ ଦୌଡ଼ି ଏସୀୟ ରେକର୍ଡ ଭାଙ୍ଗିଦେଲେ ମିଲ୍ଖା। ତାଙ୍କର ଏହି ପ୍ରଥମ ଅନ୍ତର୍ଜାତୀୟ ସଫଳତାରେ ସାରା ଦେଶ ଖୁସି ହୋଇଥିଲେ ବି, ମିଲ୍ଖା ନିଜକୁ ନିଜେ ବିଶ୍ୱାସ କରିପାରିନଥିଲେ। କାଳେ ବାରବାଟୀର ଟ୍ରାକ୍ ଛୋଟ ଅଛି ଭାବି ଭାବି, ସେ ରାତିରେ ଶୋଇପାରିନଥିଲେ।

ଆଉ ସକାଳୁ ସକାଳୁ ନିଜେ ମାପ ଫିତା ଧରି ସେ ଟ୍ରାକ୍ ମାପିଥିଲେ ଓ ଏହା ପୁରା ଠିକ୍ ଥିବା ଜାଣିବା ପରେ ତାଙ୍କୁ ଶାନ୍ତି ମିଳିଥିଲା। ୨୦୧୬ରେ ଇମ୍ଫାର ଚାରିଟେବୁଲ୍ ସଂସ୍ଥା ଇଂ ପକ୍ଷରୁ ଦିଆଯାଉଥିବା ଏକଲବ୍ୟ ପୁରସ୍କାର ପ୍ରଦାନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏକଥା ନିଜେ ମିଲ୍ଖା ସିଂ କହିଥିଲେ।

୧୯୫୭ରେ ବାରବାଟୀରେ ଏସୀୟ ରେକର୍ଡ ଭାଙ୍ଗିବା ପରେ, ୧୯୫୮ ୱେଲ୍ସ ରାଜ୍ୟ ଗୋଷ୍ଠୀକ୍ରୀଡ଼ାରେ ବ୍ୟକ୍ତିଗତ ଇଣେଣ୍ଟରେ ପ୍ରଥମ ଭାରତୀୟ ଭାବେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ମିଲ୍ଖା। ଏହି ଖୁସିରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ଦିନକ ପାଇଁ ଜାତୀୟ ଛୁଟି ଘୋଷଣା କରିଥିଲେ। ସେହିବର୍ଷ ଏସିଆଡରେ ୨୦୦ ଓ ୪୦୦ ମିଟରରେ ମଧ୍ୟ ମିଲ୍ଖା ଗୋଲ୍ଡ ଜିତିଥିଲେ। ୧୯୫୬ ମେଲବୋର୍ଣ୍ଣ, ୧୯୬୦ ରୋମ୍ ଓ ୧୯୬୪ ଟୋକିଓ ସମର୍ ଅଲିମ୍ପିକ୍ସରେ ସେ ଭାଗ ନେଇଥିଲେ। ୧୯୬୦ ରୋମ୍ ଅଲିମ୍ପିକ୍ସରେ ମିଲ୍ଖା ଫେଭରିଟ୍ ଥିଲେ ବି ଚତୁର୍ଥ ସ୍ଥାନରେ ରହିଯାଇଥିଲେ। ୧ ସେକେଣ୍ଡରେ ଶହେ ଭାଗରୁ ଏକ ଭାଗ ସମୟ ପାଇଁ ସେ ବ୍ରୋଞ୍ଜ ମେଡାଲରୁ ବଞ୍ଚିତ ହୋଇଥିଲେ। ସେହି ବର୍ଷ ଲାହୋରରେ ଆୟୋଜିତ ଏକ ସ୍ୱତନ୍ତ୍ର କ୍ରୀଡ଼ା ଉତ୍ସବରେ ପାକିସ୍ତାନର ଟପ୍ ରନର୍ ଅବଦୁଲ ଖାଲିକଙ୍କୁ ପରାସ୍ତ କରିବା ପରେ, ତତ୍କାଳୀନ ପାକ୍ ରାଷ୍ଟ୍ରପତି ଜେନେରାଲ୍ ଆୟୁବ ଖାନ୍ ମିଲ୍ଖାଙ୍କୁ ଫ୍ଲାଇଙ୍ଗ ଶିଖ୍ ଆଖ୍ୟା ଦେଇଥିଲେ। ୧୯୬୨ ଏସିଆଡରେ ୪ଶହ ମିଟର ଓ ୪ଗୁଣା ୪ଶହ ରିଲେ ରେସରେ ମଧ୍ୟ ସ୍ୱର୍ଣ୍ଣ ପଦକ ଜିଣିଥିଲେ।

ମାତ୍ର ୬ ଦିନ ତଳେ ଗତ ୧୩ ତାରିଖରେ ଧର୍ମପତ୍ନୀ ନିର୍ମଳ କୌର୍ ସାଇନିଙ୍କୁ ଚିରଦିନ ପାଇଁ ହରାଇଥିଲେ ମିଲ୍ଖା। ନିର୍ମଳ ମଧ୍ୟ ଭାରତୀୟ ମହିଳା ଭଲିବଲ ଦଳର ଅଧିନାୟକ ଥିଲେ। ମିଲ୍ଖାଙ୍କ ପୁଅ ଜୀଭ୍ ମିଲଖା ସିଂ ବି ଦେଶର ପ୍ରଥମ ପେଶାଦାର ଗଲଫର ଭାବେ ୟୁରୋପିଆନ ଟୁରରେ ସାମିଲ ହୋଇଥିଲେ ଓ ୪ଟି ଇଭେଣ୍ଟ୍ ଜିତିଥିଲେ। ନିଜ କ୍ୟାରିୟରରେ ପ୍ରାୟ ୮୦ଟି ରେସ୍ ଜିତିଥିବା ଫ୍ଲାଇଂ ଶିଖ୍ ଗତରାତିରେ ଜୀବନ ରେସରେ ହାରିଯିବା ପରେ, ଭାରତୀୟ କ୍ରୀଡ଼ା ଜଗତରେ ଏକ ଯୁଗର ଅବସାନ ଘଟିଛି।

Other Stories