ଦୁର୍ବଳ ହେଉଛି ଓଡ଼ିଶାର ସୁରକ୍ଷା କବଚ, ବିଶେଷଜ୍ଞଙ୍କ ମତ ଚିଙ୍ଗୁଡ଼ି-କାଠ ମାଫିଆ ଦାୟୀ

ଭୁବନେଶ୍ୱର: କିଛି ଦିନ ତଳେ ଆମେ ସାମ୍ନା କରିଥିବା ବାତ୍ୟା ୟାସ୍ ଓଡ଼ିଶା ଉପକୂଳରେ ବେଶି ଘନୀଭୂତ ହୋଇପାରିନଥିଲା । ସ୍ଥଳଭାଗ ଛୁଇଁବା ପୂର୍ବରୁ ପବନ ବେଗ ଓ ବାତ୍ୟାର କୋପ ପୂର୍ବାନୁମାନ ଠାରୁ ବେଶ ଦୁର୍ବଳ ହୋଇସାରିଥିଲା । ଫଳରେ ବର୍ତ୍ତିଗଲା ଅନେକ ଧନଜୀବନ । କୁହାଯାଉଛି ଏଥିପାଇଁ କବଚ ସାଜିଥିଲା ହେନ୍ତାଳ ବନ । ତେବେ ମହାବାତ୍ୟାଠାରୁ ଆରମ୍ଭ କରି ବାତ୍ୟା ୟାସ୍ ପର୍ଯ୍ୟନ୍ତ ସବୁବେଳେ ତଟବାସୀଙ୍କୁ ସୁରକ୍ଷା ଦେଇଆସିଥିବା ହେନ୍ତାଳ ବନ ଏବେ କ୍ଷୟମୁଖୀ । ବିକାଶ ନାଁରେ ଗଛକଟା ହେଉ ବା ସମୁଦ୍ରକୂଳରେ ବେଆଇନ ଚିଙ୍ଗୁଡ଼ି ଘେରି, ଏଥିପାଇଁ ଦାୟୀ ବୋଲି କୁହାଯାଉଛି ।

ସମୁଦ୍ରର ଅଶାନ୍ତ ଜୁଆର ହେଉ ବା ବାତ୍ୟା ଭଳି ବୀଭିଷିକା ସବୁବେଳ ତଟ ସୁରକ୍ଷା ପାଇଁ ଛାତି ପସାରି ଛିଡ଼ା ହୋଇଥିବା ହେନ୍ତାଳ ବନ ଏବେ ଶ୍ରୀହୀନ ହେବାକୁ ବସିଲାଣି । ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ବେଆଇନ ଚିଙ୍ଗୁଡ଼ି ଘେରି ଓ ବ୍ୟାପକ ବୃକ୍ଷ ଛେଦନ ଯୋଗୁ ଅସୁରିକ୍ଷତ ହୋଇ ପଡ଼ିଛି ଏହି ସୁରକ୍ଷା କବଚ । ବିପଦକୁ ଠେଲି ହେଇଯାଉଛି ସମଗ୍ର ଉପକୂଳ । ହେନ୍ତାଳ ବନରେ ଥିବା ବୃକ୍ଷ ଅତି ପାଖାପାଖି ଓ ଚେର ପରସ୍ପର ମଧ୍ୟରେ ଛନ୍ଦାଛନ୍ଦି ହୋଇ ରହୁଥିବାରୁ ଏହା ବାତ୍ୟା ବେଳେ ପବନର ବେଗକୁ ରୋକିବାରେ ସହାୟକ ହୁଏ । ଓଡ଼ିଶା ଭଳି ବାତ୍ୟା ପ୍ରବଣ ରାଜ୍ୟର ସୁରକ୍ଷା କବଚ ହେନ୍ତାଳ ବନର ସୁରକ୍ଷା ପାଇଁ ଏବେ ସ୍ୱର ଉଠାଇଲେଣି ଉପକୂଳ ବାସିନ୍ଦା ଓ ଗବେଷକ ।

ଓଡ଼ିଶା ଉପକୂଳରେ ପ୍ରାୟ ୨୫୧ ବର୍ଗ କିଲୋମିଟର ଅଞ୍ଚଳରେ ରହିଛି ଲୁଣା ବା ହେନ୍ତାଳ ବନ । କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାରେ ସର୍ବାଧିକ ଲୁଣା ଜଙ୍ଗଲ ରହିଥିବା ବେଳେ ବାଲେଶ୍ୱର, ଜଗତସିଂହପୁର ଓ ପୁରୀ ଜିଲ୍ଲାର କେତେକ ଅଞ୍ଚଳରେ ମଧ୍ୟ ଲୁଣା ଜଙ୍ଗଲ ରହିଛି । ତେବେ ହେନ୍ତାଳ ବନର ଅଭିବୃଦ୍ଧି ପାଇଁ ବନ ବିଭାଗ ପକ୍ଷରୁ ତିନିବର୍ଷୀୟ ଯୋଜନା କରାଯାଇଛି । ଏହି ସମୟରେ ହଜାରେ ହେକ୍ଟର ଅଞ୍ଚଳରେ ଲୁଣା ଜଙ୍ଗଲ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ କାର୍ଯ୍ୟ ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ପିସିସିଏଫ୍ ।

You might also like