କପଡ଼ା ଧୋଉଥିବା ସମୟରେ ଫାଟିଗଲା ୱାଶିଂମେସିନ୍

କପଡ଼ା ଧୋଉଥିବା ସମୟରେ ହଠାତ୍‌ ଫାଟିଗଲା ୱାଶିଂମେସିନ୍। କିଛି ସମୟ ଭିତରେ ଧୂଆଁମୟ ହୋଇଯାଇଥିଲା ଘର ଓ ନଷ୍ଟ ହୋଇଯାଇଥିଲା ରୋଷେଇ ସାମଗ୍ରୀ। ଏମିତି କିଛି ଘଟଣାର ଦୃଶ୍ୟ ସୋସିଆଲ୍‌ ମିଡିଆରେ ଶେଆର କରିଛନ୍ତି ସ୍କଟ୍‌ଲ୍ୟାଣ୍ଡର ମହିଳା ଲୌରା ବିରେଲ୍‌। ଫେସ୍‌ବୁକ୍‌ରେ ଫଟୋ ଶେଆର କରି ଲୌରା ଲେଖିଛନ୍ତି, ‘ୱାଶିଂମେସିନ୍‌ର ଡ୍ରମ୍‌ ଫାଟି ଯିବା ଫଳରେ ରୋଷେଇ ଘରେ ଥିବା ଜିନିଷ ନଷ୍ଟ ହୋଇଯିବା ସହ ପାଇପ୍‌ ଇତ୍ୟାଦି ଫାଟି ଯାଇଥିଲା। ଏହାସହ ଧୂଆଁରେ ଆଚ୍ଛାଦିତ ହୋଇଯାଇଥିଲା ପୂରା ରୋଷେଇ ଘର।

ସେ ଆହୁରି କହିଛନ୍ତି, ‘ହଠାତ୍ ୱାଶିଂମେସିନ୍‌ ଫାଟି ଯିବା ଯୋଗୁ ଚାରିଆଡ଼େ ଖାଲି କାଚ ଖଣ୍ଡ ପଡ଼ିଥିବା ଦେଖିବାକୁ ମିଳିଥିଲା। ମୋତେ କିଛି ସମୟ ପାଇଁ ଏମିତି ଲାଗିଥିଲା ଯେ, ବୋମା ବିସ୍ଫୋରଣ ହେଲା ବୋଲି। ଯଦି ସେହି ସମୟରେ ମୁଁ ରୋଷେଇ ଘରେ ଥାନ୍ତି, ତା’ହେଲେ ମୋ ଅବସ୍ଥା କ’ଣ ଯେ ହୋଇଥାନ୍ତା ?’

ୱାଶିଂମେସିନ୍ ଯେତେବେଳେ ଫାଟିଲା ସୌଭାଗ୍ୟବଶତଃ ସେହି ସମୟରେ ଲୌରା ରୁମ୍‌ ଭିତରେ ଥିଲେ। ଯେତେବେଳେ ରୋଷେଇ ଘର ଧୂଆଁରେ ଭର୍ତ୍ତି ହୋଇଯାଇଥିଲା ଏହାପରେ ସେ ବାହାରକୁ ଆସିଥିଲେ ଓ ଦେଖିବାକୁ ପାଇଥିଲେ ଯେ, ୱାଶିଂମେସିନ୍ ଫାଟି ଯାଇଛି।

ଲୋକମାନଙ୍କୁ ସର୍ତକ କରାଇବା ପାଇଁ ଲୌରା ଫେସ୍‌ବୁକ୍‌ରେ ଫଟୋ ଶେଆର କରିଛନ୍ତି। ଯାହା ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି।

You might also like