ଦିଲ୍ଲୀରୁ ୨୦୦ କି.ମି. ଚାଲିଚାଲି ଘରକୁ ଫେରୁଥିଲେ ରଣବୀର, ବାଟରେ ଚାଲିଗଲା ଜୀବନ
ଆଗ୍ରା: କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶ ଏବେ ୨୧ ଦିନ ପାଇଁ ଲକ୍ଡାଉନ୍। ଜରୁରୀକାଳୀନ ସେବା ଓ ସାମଗ୍ରୀକୁ ଛାଡି ଆଉ ସବୁ ବନ୍ଦ ରହିଛି। ଏହାରି ଭିତରେ ଦିଲ୍ଲୀର ଜଣେ 38 ବର୍ଷୀୟ ଡେଲିଭରି ଏଜେଣ୍ଟ ୨୦୦ କିଲୋମିଟର ଚାଲିଚାଲି ମଧ୍ୟପ୍ରଦେଶ ଯାଉଥିବାବେଳେ ଉତ୍ତର ପ୍ରଦେଶର ଆଗ୍ରା ନିକଟରେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କ ନାଁ ରଣବୀର।
ଲକ୍ଡାଉନ୍ ଘୋଷଣା ହେବାପରେ ରଣବୀର ଗାଁକୁ ପଳାଇ ଆସିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏହାପରେ ଚାଲିଚାଲି ନିଜ ଗାଁ ମଧ୍ୟପ୍ରଦେଶର ମୋରେନାକୁ ଯାଉଥିଲେ। ତେବେ ଗାଁ ଆଉ ପାଖାପାଖି ୧୦୦ କିଲୋମିଟର ଦୂର ଥିବା ବେଳେ ରଣବୀରଙ୍କର ମୃତ୍ୟୁ ଘଟିଛି।
ସୂଚନା ଅନୁସାରେ, ଦିଲ୍ଲୀରୁ ଚାଲିଚାଲି ଆସିବା ପରେ ରଣବୀର ସକାଳେ ଆଗ୍ରାରେ ପହଞ୍ଚିଥିଲେ। ଏହାପରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ରଣବୀର। ଏହାପରେ ପ୍ରାୟତଃ ସକାଳ ସାତଟା ପାଖାପାଖି ସମୟରେ ତାଙ୍କର ମୃତ୍ୟୁ ଘଟିଛି। ଭୋକ-ଉପାସରେ ରଣବୀର ରହିଥିବାରୁ ତାଙ୍କର ମୃତ୍ୟୁ ହୋଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।