ୱେବସାଇଟରୁ ମିଳିବ ଭୋଟ କାର୍ଡ

ୱେବସାଇଟରୁ ମିଳିବ ଭୋଟ କାର୍ଡ

ନୂଆଦିଲ୍ଲୀ: ଭୋଟର ଭାଇଭଉଣୀଙ୍କ ଲାଗି ଖୁସି ଖବର। ଏଣିକି ଭୋଟର କାର୍ଡ ଲାଗି ଆଉ ଦୌଡିବାକୁ ପଡିବ ନାହିଁ ସରକାରୀ ଦପ୍ତର।  କାରଣ ଏଣିକି ଅନଲାଇନରେ ଆପଣ ବି ପାଇପାରିବେ ନିଜର ଭୋଟର କାର୍ଡ଼। ଅନଲାଇନରେ ପିଡ଼ିଏଫ୍ ଫର୍ମାଟରେ ଉପଲବ୍ଧ ହେବ ଭୋଟର କାର୍ଡ଼ ଯାହା ଆପଣଙ୍କ ଫୋନ କିମ୍ବା କମ୍ୟୁଟରରେ ମଧ୍ୟ ଡାଉନଲୋଡ ମଧ୍ୟ କରିପାରିବେ।

କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ନୂତନ ଭାବେ ଡିଜିଟାଲ ଭୋଟର ପରିଚୟ ପତ୍ରର ଶୁଭାରମ୍ଭ କରିଛନ୍ତି । ଭୋଟର ଦିବସ ଉପଲକ୍ଷେ ଏହି ନୂଆ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଛନ୍ତି ଆଇନ ମନ୍ତ୍ରୀ । ମିଳିଥିବା ସୂଚନା ଅନୁସାରେ, ଉଭୟ ନୂଆ ଏବଂ ପୂର୍ବରୁ ଭୋଟର ପରିଚୟ ପତ୍ର ପାଇସାରିଥିବା ବ୍ୟକ୍ତିମାନେ ୱେବସାଇଟରୁ ଭୋଟର ପରିଚୟ ପତ୍ର ଡାଉନଲୋଡ୍‌ କରିପାରିବେ ବୋଲି ଜଣାପଡ଼ିଛି।

ତେବେ ଏହି e-EPICs ଉଭୟ ନୂଆ ଏବଂ ପୁରୁଣା ଭୋଟରମାନଙ୍କୁ ଦୁଇଟି ପର୍ଯ୍ୟାୟରେ ଉପଲବ୍ଧ ହେବ । ପ୍ରଥମ ପର୍ଯ୍ୟାୟ ଜାନୁୟାରୀ ୨୫ ରୁ ୩୧ ଯାଏଁ ଉପଲବ୍ଧ ହେବ। ଠିକ୍ ସେହିପରି ଭାବରେ ଦ୍ୱିତୀୟ ପର୍ଯ୍ୟାୟ e-EPICs ଫେବୃୟାରୀ ୧ ତାରିଖରୁ ଆରମ୍ଭ ହେବ।

କିପରି କରିବେ ଡାଉନଲୋଡ୍‌

ଭୋଟରମାନେ, ଭୋଟରପୋର୍ଟାଲ.ଇସିଆଇ.ଜିଓଭି.ଇନ୍‌ (voterportal.eci.gov.in) ୱେବସାଇଟରେ ଲଗ୍‌ଇନ୍‌ କରି ବୈଦ୍ୟୁତିକ ପରିଚୟ ପତ୍ର ପାଇପାରିବେ । ଏହା ସହ ଭୋଟର ହେଲପ୍‌ଲାଇନ୍‌ ଆପ୍‌ ମାଧ୍ୟମରେ ମଧ୍ୟ ଭୋଟରମାନେ ବୈଦ୍ୟୁତିକ ପରିଚୟ ପତ୍ର ପାଇପାରିବେ ବୋଲି ଜଣାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଏହି ଆପ୍ ଆପଣ ଗୁଗୁଲ ପ୍ଲେ ଷ୍ଟୋରରେ ଉପଲବ୍ଧ ହେବ।

ନୂତନ ଭାବେ ଭୋଟର ପରିଚୟ ପତ୍ର ପାଇବା ପାଇଁ ଆବେଦନ କରିଥିବା ବ୍ୟକ୍ତି, ଯେଉଁମାନେ କି ଭୋଟ୍‌ ପରିଚୟ ପତ୍ରର ହାର୍ଡ କପି ପାଇନଥିବେ କେବଳ ଫର୍ମ-୬ ପୂରଣ କରି e-voter ପରିଚୟ ପତ୍ର ପାଇପାରିବେ । ପୂର୍ବରୁ ପଞ୍ଜିକୃତ ହୋଇଥିବା ଭୋଟର ମାନେ କେବଳ ଭୋଟର ID ଏବଂ ମୋବାଇଲ ନମ୍ବର ଦେଇ e-voter ପରିଚୟ ପତ୍ର ପାଇପାରିବେ ।

You might also like