ଏପ୍ରିଲ ୩୦ ଯାଏ ବଢ଼ିଲା ଭିସା ଓ ଇ-ଭିସାର ଅବଧି

ନୂଆଦିଲ୍ଲୀ: ସୋମବାର କେନ୍ଦ୍ର ସରକାର ଉଭୟ ଭିସା ଓ ଇ-ଭିସାର ଅବଧି ଏପ୍ରିଲ ୩୦ ଯାଏ ବୃଦ୍ଧି କରିଛନ୍ତି। କରୋନା ଯୋଗୁ  ଭାରତରେ ବିଦେଶୀ ନାଗରିକମାନେ ଅଟକି ରହିଛନ୍ତି।

କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶରେ ୨୧ ଦିନିଆ ଲକ୍‌ଡାଉନ୍‌ ଲାଗୁ ହେବାପରେ ଏହି ବିଦେଶୀ ନାଗରିକମାନେ ଅଟକି ରହିଛନ୍ତି। ବର୍ତ୍ତମାନ ଲକ୍‌ଡାଉନ୍‌ ଏପ୍ରିଲ ୩୦ ଯାଏ ବୃଦ୍ଧି ପାଇଁ କେନ୍ଦ୍ର ସରକାର ଚିନ୍ତା କରୁଥିବାବେଳେ ସେହି ଅନୁସାରେ ଭିସା ଅବଧି ମଧ୍ୟ ବୃଦ୍ଧି କରାଯାଇଛି।

ଯେଉଁସବୁ ନିୟମିତ ଭିସା, ଇ-ଭିସାର ଅବଧି ଫେବୃଆରୀ ୧ ମଧ୍ୟରାତ୍ରିରୁ ଏପ୍ରିଲ ୩୦ ମଧ୍ୟରେ ସରିବାର ଥିବ, ଏହା ଏପ୍ରିଲ ୩୦ ମଧ୍ୟରାତ୍ରି ଯାଏ ବୃଦ୍ଧି ପାଇବ ବୋଲି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ବିନା କୌଣସି ଅତିରିକ୍ତ ଶୁଳ୍କରେ କେବଳ ଅନଲାଇନ୍‌ ଆବେଦନ ଦ୍ୱାରା ଏହି ଭିସାର ଅବଧି ବୃଦ୍ଧି କରାଯିବ ବୋଲି କୁହାଯାଇଛି।

You might also like