ଚାରି ଚାରିଟା ପୁଅକୁ ହରାଇ ପରିବାର ଏବେ ମୂରବୀ ଶୂନ୍ୟ
ଭୁବନେଶ୍ୱର: ଅତୀତର ଆତଙ୍କ ଆଜି ଆଖି ସାମନାରେ ନାଚିଯାଉଛି ଗଞ୍ଜାମ ଜିଲ୍ଲା ଅଙ୍ଗାର ଗାଁର ସୁଜାତା ସାହୁଙ୍କର। ତାଙ୍କ ମୁଣ୍ଡରୁ ସିନ୍ଦୂର ପୋଛିନେଇଥିବା ମହାମାରୀର ଭୟଙ୍କର ରୂପ ଆଜି ବି ଗୋଟି ଗୋଟି ହୋଇ ମନେପଡୁଛି। କେବଳ ସେ ଯେ ସ୍ୱାମୀହରା ହୋଇଛନ୍ତି ତାନୁହେଁ, ତାଙ୍କର ଯୌଥ ପରିବାରର ଚାରି ଚାରି ଜଣ ରୋଜଗାରିଆ ଭାଇ ଆଗପଛ ହୋଇଚାଲିଯିବା ପରେ ସାହୁ ପରିବାର ଏବେ ମୂରବୀ ଶୂନ୍ୟ। ଦିନେ ଏହି ପରିବାରରେ ଥିଲେ ୫ ଭାଇ। ୨ ବର୍ଷ ତଳେ ଦୁର୍ଘଟଣାରେ ଯାଇଥିଲା ଜଣଙ୍କର ଜୀବନ। କିଛି ମାସ ତଳେ କରୋନା ନେଇଗଲା ଅନ୍ୟ ୪ ଭାଇଙ୍କ ଜୀବନ। ହେଲେ ଏହି ପରିବାରକୁ ଏଯାଏଁ ମିଳିନି ସରକାରୀ ସହାୟତା। ଘର ଅଗଣାରେ ଦୋକାନ ଖଣ୍ଡେ କରି ଯାହା ଆୟ ହେଉଛି, ସେଥିରେ କଷ୍ଟେମଷ୍ଟେ ଚଳିଯାଉଛନ୍ତି ପିଲା ଛୁଆ। ଏବେ ଟିକା ଆସିବା ପରେ ଆଶ୍ୱସ୍ତ ସୁଜାତାଙ୍କ ଇଛା, ସେମାନଙ୍କର ବି ଜଲଦି ଟିକାକରଣ କରାଯାଉ।
ଆଗରୁ ଟିକା ବାହାରିଥିଲେ ଆମ ପରିବାର ଲୋକ ବଞ୍ଚିଯାଇଥାନ୍ତେ। ଏ ରୋଗର ଯେହେତୁ ଟିକା ଆସିଛି, ସମସ୍ତେ ଟିକା ନେବା ଉଚିତ୍।
-ସୁଜାତା ସାହୁ, ସ୍ୱର୍ଗତ କୃଷ୍ଣଚନ୍ଦ୍ରଙ୍କ ପତ୍ନୀ
ଏ ହେଉଛନ୍ତି ବାଲେଶ୍ୱର ଆଳୁପୁରର ଜଣାଶୁଣା ସାମ୍ବାଦିକ ତାରିଣୀକାନ୍ତ ପାଢୀଙ୍କ ପରିବାର। ପତ୍ନୀ ଓ ଦୁଇ ଝିଅଙ୍କୁ ଛାଡ଼ି କରୋନାରେ ଆରପାରିକୁ ଚାଲିଗଲେ ତାରିଣୀକାନ୍ତ। ସ୍ୱାମୀଙ୍କୁ ମରଣମୁହଁରୁ ଫେରାଇ ଆଣିବା ପାଇଁ କେତେ ଚେଷ୍ଟା କରିଥିଲେ ପତ୍ନୀ। ଶେଷରେ ଗତ ସେପଟେମ୍ବର ୨୯ରେ ତାରିଣୀଙ୍କୁ ଛଡ଼ାନେଇଗଲା ମହାମାରୀ। ଏମିତି ଦୁଃଖଦାୟକ କାହାଣୀ ଅସଂଖ୍ୟ ଅଛି, ଅଧିକାଂଶ ପରିବାରରେ ଏବେ ଦେଶବ୍ୟାପୀ ଟିକାକରଣ ଆରମ୍ଭ ହୋଇଥିବାବେଳେ ଏହି ଶୋକସନ୍ତପ୍ତ ପରିବାର ଆଶା ରଖିଛନ୍ତି ସମସ୍ତେ ତୁରନ୍ତ ଟିକା ପାଆନ୍ତୁ।
କରୋନା ବହୁତ ଲୋକଙ୍କ ଜୀବନ ନେଇଛି। ମୋ ବାପାଙ୍କ ଜୀବନ ବି ନେଇଛି। କରୋନା ଟିକା ଲୋକଙ୍କୁ ନୂଆ ଜୀବନ ଦେବ
-ସୁଶ୍ରୀ ତନ୍ମୟୀ ପାଢୀ, ସ୍ୱର୍ଗତ ତାରିଣୀକାନ୍ତଙ୍କ ଝିଅ
କେତେ ଶୀଘ୍ର ସମସ୍ତେ ଟିକା ନେଇପାରିବେ, ଏ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଟେଷ୍ଟା କରିବା ଦରକାର। ସରକାର ଏ ଦିଗରେ ଚେଷ୍ଟିତ ଥିବେ ମୋର ଆଶା। ଖୁବ୍ ଶୀଘ୍ର ସବୁ ଜନସାଧାରଣଙ୍କୁ ଟିକା ପ୍ରଦାନ କରାଯିବ।
-ଡାକ୍ତର ଅନଙ୍ଗ ଦ୍ୱିବେଦୀ, ସ୍ୱାସ୍ଥ୍ୟ ବିଶେଷଜ୍ଞ
କରୋନାର କରାଳ ସମୟରେ ହଜାର ହଜାର ଲୋକଙ୍କ ଉଜୁଡ଼ିଯାଇଛି ଘର ପରିବାରା ଭାଙ୍ଗିଯାଇଛି ସୁନାର ସଂସାର। ହେଲେ ଆଜି ବି ମହାମାରୀର ଅନ୍ତ ହୋଇନାହିଁ। ଏଭଳି ସଙ୍କଟ ସମୟରେ କରୋନା କବଚକୁ ଅନାଇ ରହିଛନ୍ତି ବିପନ୍ନ ପରିବାର #OdishaFightsCorona pic.twitter.com/XFUNKdO5GY
— ଓଟିଭି (@otvkhabar) January 17, 2021
ଏବେ ଅପେକ୍ଷା ଜାରି ରହିଥିବା ଟିକାକରଣ ଅଭିଯାନ କ୍ରମରେ କେବେ ସାଧାରଣ ଜନତାଙ୍କ ପାଇଁ ଉପଲବ୍ଧ ହେଉଛି କରୋନା ଟିକା।