ଆଡ଼ ଆଖିରେ ଚାହିଁଲେନି ଭାଇବନ୍ଧୁ, ରାସ୍ତା ଉପରେ ଶୁଆଇ ସହାୟତା ଦାବି କଲେ ଗାଁଲୋକ

ବାଙ୍କୀ: ‘ମୁଁ ରାଉରକେଲାରେ କାମ କରୁଥିଲି। ଦେହ ଅସୁସ୍ଥ ହେବାରୁ ସେଠି କେହି ନ ପଚାରିବାରୁ ମୁଁ ଗାଁକୁ ପଳାଇ ଆସିଲି। ଭାବିଲି ଗାଁକୁ ଆସିଲେ ଭାଇବନ୍ଧୁ ପଚାରିବା ସହ ସେବା କରିବେ ବୋଲି। ହେଲେ ମୋତେ କେହି ପଚାରିଲେ ନାହିଁ। ୬ ମାସ ହେଲା ଘାଣ୍ଟି ହେଉଛି’ ଏଭଳି ଭାବରେ ନିଜ ଦୁଃଖ କଥା କହିଛନ୍ତି କଟକ ଜିଲ୍ଲା ବାଙ୍କି ବ୍ଲକ ବୋତଲମା ଗାଁର ନବ ଦେହୁରୀ।

ଚିକିତ୍ସା ସୁବିଧା ପାଇ ନ ପାଇ ଯନ୍ତ୍ରଣାରେ ଛଟପଟ ହେଉଥିବା ଅସହାୟ ନବ ଦେହୁରୀଙ୍କ କଷ୍ଟ ସହି ନ ପାରି ଗାଁଲୋକ ତାଙ୍କୁ ରାସ୍ତା ମଝିରେ ଶୁଆଇ ରାସ୍ତା ଅବରୋଧ କରିଛନ୍ତି। କଟକ ଜିଲ୍ଲା ବାଙ୍କୀ-ବୈଦେଶ୍ୱର ମୁଖ୍ୟ ରାସ୍ତାର ବୋତଲମା ନିକଟରେ ଆଜି ସକାଳେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ନବ ଦେହୁରୀ ରାଉରକେଲାରେ କାମ କରି ଚଳୁଥିଲେ। ଗୋଡ଼ରେ ଘା’ ହୋଇଥିବା ବେଳେ ନ ଶୁଖିବାରୁ ସେ ଗାଁକୁ ପଳାଇ ଆସିଲେ। ଏହାପରେ ଚିକିତ୍ସା ପାଇଁ କଟକରେ ଆଡମିଟ୍‌ ହୋଇଥିଲେ। ତାଙ୍କ ଗୋଡ଼ରେ ହୋଇଥିବା ଘା’ର ଚିକିତ୍ସା କରାଯାଇଥିଲା। ଏହାପରେ ପ୍ରତିଦିନ ତାଙ୍କ କ୍ଷତକୁ ବାଙ୍କୀ ମେଡିକାଲରେ ଡ୍ରେସିଂ କରାଯାଉଥିଲା। ତେବେ ପ୍ରାୟ ସପ୍ତାହେ ହେବ ମେଡିକାଲ ପକ୍ଷରୁ ଡ୍ରେସିଂ କରାଯାଉନଥିବା ଅଭିଯୋଗ ହୋଇଛି।

ସରପଞ୍ଚଙ୍କଠାରୁ ଆରମ୍ଭ କରି ସବ୍‌କଲେକ୍ଟର, ସ୍ୱାସ୍ଥ୍ୟ ବିଭାଗ ସମସ୍ତଙ୍କୁ ଅସହାୟ ନବ ଦେହୁରୀଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଦାବି କରିବା ସତ୍ତ୍ୱେ କେହି ଶୁଣୁ ନ ଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଶେଷରେ ନିରୂପାୟ ହୋଇ ରାସ୍ତା ଉପରେ ରୋଗୀକୁ ଶୁଆଇ ନ୍ୟାୟ ପାଇଁ ଧାରଣାରେ ବସିଥିବା ଗ୍ରାମବାସୀମାନେ କହିଛନ୍ତି।

You might also like