ଚକା ଫାଟି କାର୍ର ଇଞ୍ଜିନ୍ ବାହାରିଗଲା, ଡ୍ରାଇଭରଙ୍କ ଅବସ୍ଥା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଲୋକେ
ଚୌଦ୍ୱାର: (ପ୍ରକାଶ ନାୟକ ) ବେଳେ ବେଳେ ଏମିତି ଘଟଣା ଘଟେ ଯାହାକୁ ଦେଖିଲେ ବିଶ୍ୱାସ କରି ହୁଏନି। କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥ ନିଗୁଣ୍ଡି ରେଳ ଷ୍ଟେସନ ନିକଟରେ ଘଟିଛି ଏମିତି ଏକ ଘଟଣା। ଦ୍ରୁତ ଗତିରେ ଯାଉଥିବା ଏକ କାରର ଚକା ହଠାତ୍ ଫାଟିଗଲା। ହେଲେ ତା‘ ପରେ ଯାହା ଘଟିଲା ଆପଣ ଜାଣିଲେ ଆର୍ଶ୍ଚର୍ଯ୍ୟ ହୋଇଯିବେ।
ଆଜି ସକାଳୁ ସକାଳୁ କାରଟି ଭୁବନେଶ୍ୱରରୁ ଚୌଦ୍ଵାର ଯାଉଥିଲା। ହେଲେ କାର ଚାଳକ ଜଣକ ଚୌଦ୍ଵାର ରାସ୍ତା ଜାଣି ନ ପାରି ଟାଙ୍ଗୀ ଅଭିମୁଖେ ଚାଲିଥିଲେ। ଦ୍ରୁତ ଗତିରେ ଆସୁଥିବା ସମୟରେ କାରଟିର ପଛ ଚକା ଫାଟି ଯିବାରୁ କାରଟି ଭାରସାମ୍ୟ ହରାଇ ଡିଭାଡିରରେ ପିଟି ହୋଇ ଯାଇଥିଲା।
ଡିଭାଡିରରେ ପିଟି ହେବ ପରେ କାରଟି ରାସ୍ତା ମଝିକୁ ପଳାଇ ଆସିଥିଲା। କାରଟିର ଇଞ୍ଜିନ ବାହାରି ୫୦ମିଟର ଦୂରକୁ ଛିଟିକି ପଡିଥିଲା। ହେଲେ ଆଶ୍ଚର୍ଯ୍ୟର କଥା, ଗାଡି ଚାଳକ ଏଇ ଭୟଙ୍କର ଦୁର୍ଘଟଣାରୁ ବର୍ତ୍ତି ଯାଇଇଥିଲେ। କାରଟିରେ ଆଉ କେହି ଯାତ୍ରୀ ନ ଥିଲେ। ତେବେ ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି। ତାଙ୍କର ବିଶେଷ କିଛି କ୍ଷତି ହୋଇ ନାହିଁ। କାରର ବେଲୁନ୍ ଲାଗି ବର୍ତ୍ତି ଯାଇଥିବା କହିଛନ୍ତି ଡ୍ରାଇଭର।
ତେବେ କାରଟି ରାସ୍ତା ମଝିକୁ ଚାଲି ଆସିବାରୁ ରାଜପଥର ଗୋଟେ ପାର୍ଶ୍ୱରେ ଗାଡି ଚଳା ଚଳ କିଛି ସମୟ ପାଇଁ ଠପ ହୋଇଯାଇଥିଲା। ଖବର ପାଇଁ ଘଟଣାସ୍ଥଳରେ ଟାଙ୍ଗୀ ପୋଲିସ ପହଞ୍ଚି କ୍ରେନ୍ ସାହାଯ୍ୟରେ ଦୁର୍ଘଟଣା ଗ୍ରସ୍ତ କାରଟିକୁ ରାସ୍ତା ମଝିରୁ ହଟାଇଥିଲା । ପରେ ଗାଡ଼ି ଚଳାଚଳ ସ୍ଵଭାବିକ ହୋଇଥିଲା।