ସ୍କୁଲ୍‌ରେ ପଡ଼ି ପଡ଼ି ଖତ ଖାଉଛି କମ୍ପ୍ୟୁଟର

କମ୍ପ୍ୟୁଟର ଶିକ୍ଷକ ନଥିବାରୁ ପିଲାଏ ଗୁଣାତ୍ମକ ଶିକ୍ଷାରୁ ବଞ୍ଚିତ

ଭଦ୍ରକ : ବିଦ୍ୟାର୍ଥୀଙ୍କୁ ସ୍କୁଲ୍ ସ୍ତରରୁ କମ୍ପ୍ୟୁଟର୍ ଶିକ୍ଷାଦାନ ପାଇଁ ସରକାର ଯୋଜନା କରିଛନ୍ତି। ବିଦ୍ୟାଳୟକୁ କମ୍ପ୍ୟୁଟର ବି ପ୍ରଦାନ କରାଯାଇଛି। ହେଲେ ସେ ସବୁ ଛାତ୍ରଛାତ୍ରୀଙ୍କ କାମରେ ଆସୁନି। ବର୍ଷ ବର୍ଷ ଧରି ପଡ଼ି ରହି ଖତ ଖାଉଛି କମ୍ପ୍ୟୁଟର ଓ ଉପକରଣ। କେଉଁଠି ସିଲ୍ ଖୋଲିନି ତ ଆଉ କେଉଁଠି ଅନାବଶ୍ୟକ ବସ୍ତୁ ଭାବେ ପଡ଼ିରହିଛି ଏସବୁ ଉପକରଣ। ଏଭଳି ଘଟଣା ଦେଖିବାକୁ ମିଳିଛି, ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ନଟିଆପାଳର ମଧୁସୂଦନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। କମ୍ପ୍ୟୁଟର ଶିକ୍ଷା ଦେବାକୁ ବିଦ୍ୟାଳୟରେ ଶିକ୍ଷକ ନଥିବାରୁ ପିଲାଏ ଗୁଣାତ୍ମକ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି।

କିସ୍ମତ କୃଷ୍ଣପୁର ଉଚ୍ଚ ବିଦ୍ୟାଳୟରେ ବି ସମାନ ଅବସ୍ଥା। ସ୍କୁଲକୁ ମିଳିଥିବା ୬ଟି ଯାକ କମ୍ପ୍ୟୁଟର୍ ଛାତ୍ରଛାତ୍ରୀଙ୍କ କୌଣସି କାମରେ ଆସୁନି। ପିଲାମାନେ କମ୍ପ୍ୟୁଟର୍ ସାଧାରଣ ଜ୍ଞାନ ବି ଜାଣିନାହାନ୍ତି। ବିଦ୍ୟାଳୟକୁ ଆଜିଯାଏ ବିଦ୍ୟୁତ୍ ସଂଯୋଗ ହୋଇନି କି କମ୍ପ୍ୟୁଟର୍ ଶିକ୍ଷକ ମଧ୍ୟ ନିଯୁକ୍ତି ହୋଇନାହାନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଏନେଇ ଶିକ୍ଷା ବିଭାଗ ପାଖରେ କୌଣସି ଖବର ନାହିଁ।

ଖାଲି ଏହି ଦୁଇ ବିଦ୍ୟାଳୟରେ କମ୍ପ୍ୟୁଟର ଶିକ୍ଷାରେ ଅବ୍ୟବସ୍ଥା ନୁହେଁ। ବାସୁଦେବପୁର ବ୍ଲକର ପ୍ରାୟ ୩୦ରୁ ଉର୍ଦ୍ଧ୍ୱ ବିଦ୍ୟାଳୟରେ ଏହି ସମସ୍ୟା ଦେଖାଦେଇଛି। ତେବେ ଭିତ୍ତିଭୂମୀ ନଥାଇ କେଉଁ ଉଦ୍ଦେଶ୍ୟରେ ସ୍କୁଲ୍‌ ଗୁଡ଼ିକକୁ କମ୍ପ୍ୟୁଟର ଦିଆଯାଇଛି, ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି।

You might also like