ଶ୍ରମିକଙ୍କୁ ଘରେ ପହଞ୍ଚାଇବା ପାଇଁ ୧,୦୦୦ ବସର ବ୍ୟବସ୍ଥା କଲେ ଯୋଗୀ ସରକାର

ଲକ୍ଷ୍ମୌ: କରୋନା ଭାଇରସ ସଂକ୍ରମଣ ରୋକିବାକୁ ସାରା ଦେଶରେ ଏବେ ୨୧ ଦିନିଆ ଲକ୍‌ଡାଉନ୍ ପାଳନ ହେଉଛି। ଏହି ସମୟରେ ଅନେକ ଛୋଟ ବଡ଼ ଶିଳ୍ପ ବନ୍ଦ ରହିଥିବାରୁ ଦିନ ମଜୁରିଆ, ଶ୍ରମିକ ଚାକିରି ହରାଇଛନ୍ତି।

ପରିବହନ ସେବା ବନ୍ଦ ଥିବାରୁ ଅନେକ ଶ୍ରମିକ ଚାଲି ଚାଲି ଶହ ଶହ କିଲୋମିଟର ଦୂରରେ ଥିବା ତାଙ୍କ ଘରକୁ ଯାଉଛନ୍ତି। ଏଭଳି ସ୍ଥିତି ଦେଖିବା ପରେ ଶ୍ରମିକମାନଙ୍କ ସ୍ୱାସ୍ଥ୍ୟ, ଖାଦ୍ୟ ଓ ପରିବହନ କଥା ନିଜେ ବୁଝିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ସରକାରୀ ଅଧିକାରୀଙ୍କ ସହ ଆଲୋଚନା କରି ବସରେ ଏମାନଙ୍କୁ ତାଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବାର ବ୍ୟବସ୍ଥା କରିଛନ୍ତି ୟୁପି ସରକାର।

ଉତ୍ତର ପ୍ରଦେଶର ସୀମାବର୍ତ୍ତୀ ଜିଲ୍ଲାରେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇ ଏହି ଶ୍ରମିକମାନଙ୍କୁ ତାଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବାକୁ ଯୋଗୀ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ସମସ୍ତ ଶ୍ରମିକ, ଦିନ ମଜୁରିଆଙ୍କୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ପାଇଁ ଉତ୍ତର ପ୍ରଦେଶ ପରିବହନ ସେବା ଅଧିନରେ ଥିବା ହଜାରେ ବସକୁ ନିୟୋଜିତ କରାଯାଇଛି।

ବସରେ ଏହି ଲୋକଙ୍କୁ ଉଠାଇବା ପୂର୍ବରୁ ଜିଲ୍ଲା ପ୍ରଶାସନ ଖାଦ୍ୟ ଓ ପାନୀୟ ବ୍ୟବସ୍ଥା କରିବେ। ଏମିତିକି ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରିବେ। ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ ସେମାନଙ୍କର ଫୋନ୍ ନମ୍ୱର, ଘର ଠିକଣା, ସ୍ୱାସ୍ଥ୍ୟ ରିପୋର୍ଟ ଆଦି ଜିଲ୍ଲା ପ୍ରଶାସନ ରଖିବେ।

 

ଶନିବାର ସକାଳେ ବରିଷ୍ଠ ପୋଲିସ ଅଧିକାରୀ ଲକ୍ଷ୍ନୌ ସ୍ଥିତ ଚାରବାଗ ବସ୍ ଷ୍ଟେସନରେ ପହଞ୍ଚି ସେଠାରେ ପହଞ୍ଚୁଥିବା ଲୋକଙ୍କୁ ଖାଦ୍ୟ ଏବଂ ପାନୀୟ ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ।

You might also like