ଦିନ ମଜୁରିଆ ଓ ଶ୍ରମିକଙ୍କୁ ମିଳିବ ୧୦୦୦ଟଙ୍କା
ଲକ୍ଷ୍ନୌ: କରୋନାକୁ ନେଇ ଆଦୌ ବ୍ୟସ୍ତ ନ ହେବାପାଇଁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ। ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ଔଷଧ ଯଥେଷ୍ଟ ପରିମାଣର ଷ୍ଟକ୍ ଅଛି। ତେଣୁ ବ୍ୟତିବ୍ୟସ୍ତ ହୋଇ ସାମଗ୍ରୀ କିଣିବା ପାଇଁ ଦୋକାନକୁ ଯାଆନ୍ତୁ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ରାଜ୍ୟବାସୀଙ୍କୁ କହିଛନ୍ତି।
ଏହାସହ ୟୁପି ସରକାର ରାଜ୍ୟବାସୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଦୈନନ୍ଦିନ ଆବଶ୍ୟକତା ପୂରଣ ପାଇଁ ଦିନ ମଜୁରିଆ ଓ ନିର୍ମାଣ ଶ୍ରମିକଙ୍କୁ ଟଙ୍କା ଦେବା ଲାଗି ୟୁପି ସରକାର ନିଷ୍ପତ୍ତି ନେଇଛନ୍ତି। ପ୍ରତ୍ୟେକ ମଜୁରିଆ ଓ ଶ୍ରମିକଙ୍କୁ ୧୦୦୦ଟଙ୍କା ଲେଖାଏ ଦେବା ଲାଗି ନିଷ୍ପତ୍ତି ନିଆଯାଇଛି। ରାଜ୍ୟର ୧୫ ଲକ୍ଷ ଦିନ ମଜୁରିଆ ଓ ୨୦.୩୭ ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ଏହି ଟଙ୍କା ମିଳିବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାର୍ଚ୍ଚ ୨୨ ଅର୍ଥାତ୍ ଆସନ୍ତାକାଲି ଜନତା କର୍ଫ୍ୟୁ ପାଳନ ପାଇଁ ଦେଶବାସୀଙ୍କୁ ନିବେଦନ କରିଛନ୍ତି। ଆସନ୍ତାକାଲି ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଘରୁ ନ ବାହାରିବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ନିବେଦନ କରିଛନ୍ତି। ଯାହାକୁ ୟୁପି ସରକାର ମଧ୍ୟ ସମର୍ଥନ ଜଣାଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ୟୁପିରେ ସମସ୍ତ ମେଟ୍ରୋ ରେଲ୍ୱେ, ସିଟି ବସ୍ ସେବା ବନ୍ଦ ରଖାଯାଇଛି।