ଆଖି ବୁଜିଲେ ଦିନବନ୍ଧୁ, ‘ମୃତ୍ୟୁ ପାଇଁ ବିଶ୍ୱବିଦ୍ୟାଳୟ ଭିସି-ପିଇଓ-ୱାଡେନ ଦାୟୀ’

ଥାନାରେ ମାମଲା ରୁଜୁ

ସମ୍ବଲପୁର: ଦୀର୍ଘ ୨୭ ବର୍ଷ ଧରି ନିରବଛିନ୍ନ ସେବା ଯୋଗାଇଲେ, ହେଲେ ସରକାର ତାଙ୍କ ଦୁଃଖ ବୁଝିଲେନି। ଚାକିରି ଖଣ୍ଡିକକୁ ରେଗୁଲାର କଲେ ନାହିଁ। ଅଳ୍ପ ବେତନ ପାଇ ସାରା ଜୀବନ ଖଟିଲେ। ଆଉ ଶେଷରେ ସେହି ଚାକିରି ପାଇଁ ଜୀବନ ବି ଦେଇଦେଲେ। ଦାବି ଥିଲା ତାଙ୍କ ଚାକିରିକୁ ରେଗୁଲାର କରାଯାଉ। ହେଲେ ତାଙ୍କ କଥା କେହି ଶୁଣି ନଥିଲେ। ଶେଷରେ ବିଶ୍ୱ ବିଦ୍ୟାଳୟ ଭିସି ମଧ୍ୟ ତାଙ୍କ ନାଁରେ ମିଛ ଅଭିଯୋଗ ଆଣିଲେ, ଆଉ ସମସ୍ତଙ୍କ ଆଗରେ ତାଙ୍କୁ ଲାଞ୍ଚନା ଦେଲେ। ଏହି ଲାଞ୍ଚନା ପରେ ନିଜ କୋହ ସାମ୍ଭାଳି ପାରିନଥିଲେ। ଶେଷରେ ଆତ୍ମାହୁତି ଦେଲେ। ଆଉ ନିଜ ଜୀବନ ହାରିଦେଲେ।

ଏଭଳି ଏକ ଦୁଃଖଦ ଘଟଣା ଘଟଛି ସମ୍ବଲପୁର ବିଶ୍ୱବିଦ୍ୟାଳୟରେ। ଦିନବନ୍ଧୁ ମିଶ୍ର ନାମକ ଜଣେ କର୍ମଚାରୀ, ୨୭ ବର୍ଷ ଧରି କଣ୍ଟ୍ରାକଚୁଆଲ୍ ଭାବେ ସେଠାରେ ସେବା ଯୋଗାଇ ଆସୁଥିଲେ। ନିଜ ଚାକିରିକୁ ନିୟମିତ କରିବା ପାଇଁ ସେ ଅନେକ ନେହୁରା ମଧ୍ୟ ହୋଇଥିଲେ। ସିଣ୍ଟିକେଟର ଦ୍ୱାରସ୍ଥ ହେବା ସହ କୋର୍ଟରେ କେସ ଫାଇଲ ମଧ୍ୟ କରିଥିଲେ। ଏମିତିକି ଅନଶନରେ ମଧ୍ୟ ବସିଥିଲେ। ହେଲେ ତାଙ୍କୁ କିଛି ସୁଫଳ ମିଳି ନଥିଲା। କେହି ତାଙ୍କ ଦୁଃଖ ବୁଝି ନଥିଲେ। ଶେଷରେ ନିରାଶ ହୋଇ ନିଜ ଦେହରେ ପେଟ୍ରୋଲ ଢ଼ାଳି ଆତ୍ମହୁତି ଦେଇଥିଲେ। ସେଠାରେ ଉପସ୍ଥିତ ଥିବା ଅନ୍ୟ କର୍ମଚାରୀମାନେ ତାଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ। ହେଲେ ବିଫଳ ହୋଇଥିଲେ। ତାଙ୍କ ଦେହରୁ ନିଆଁ ଲିଭାଇ କଟକ ବଡ଼ ଡାକ୍ତରଖାନାକୁ ନେବା ରାସ୍ତାରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।

ମଙ୍ଗଳବାର ଦିନ ରେଜିଷ୍ଟ୍ରାରଙ୍କୁ ଏକ ଚିଠି ଲେଖିଥିଲେ ଦିନବନ୍ଧୁ। ସେଥିରେ ଭିସି ସଞ୍ଜୀବ ମିତ୍ତଲଙ୍କ ବିରୋଧରେ ସେ ଅଭିଯୋଗ କରିଥିଲେ। ସେଥିରେ ସେ ଲେଖିଥିଲେ ଯେ, ଭିସି ତାଙ୍କ ନାଁରେ ମିଛ ଅଭିଯୋଗ ଆଣି ତାଙ୍କୁ ଅସଭ୍ୟ ଭାଷାରେ ସମସ୍ତଙ୍କ ସାମ୍ନାରେ ଗାଳିଗୁଲଜ କରିଛନ୍ତି। ଯଦି ଭିସି ସମସ୍ତଙ୍କ ଆଗରେ କ୍ଷମା ପ୍ରାର୍ଥନା ନକରନ୍ତି ତେବେ ସେ ଆତ୍ମାହୁତି ଦେବେ। ସବୁଠୁ ବଡ଼ କଥା ହେଲା ଚିଠିରେ ସେ, ତାଙ୍କ ମୃତ୍ୟୁ ପାଇଁ ଭିସି, ପିଇଓ ଓ ୱାଡେନ ଦାୟୀ ରହିବେ ବୋଲି ଲେଖିଥିଲେ। ହେଲେ ଏଠି ପ୍ରଶ୍ନ ଉଠୁଛି ଯେ, ଯଦି ଘଟଣାର କିଛି ସମୟ ପୂର୍ବରୁ ଏହି ଚିଠି ରେଜିଷ୍ଟ୍ରାରଙ୍କ ପାଖରେ ପହଞ୍ଚିଥିଲା ତେବେ ସେ କାହିଁକି ଚୁପ୍ ବସିଥିଲେ? କାହିଁକି ଦିନବନ୍ଧୁଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଇନଥିଲେ ?

ତେବେ ଦିନବନ୍ଧୁଙ୍କ ମୃତ୍ୟୁ ପରେ ବିଶ୍ୱବିଦ୍ୟାଳୟରେ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଭିସିଙ୍କ ବିରୋଧରେ ସମସ୍ତ କଣ୍ଟ୍ରାକଚୁଆଲ ଷ୍ଟାଫ୍ ଏକାଠି ହୋଇଥିଲେ। ଦିନବନ୍ଧୁଙ୍କ ପରିବାର ଲୋକ ମୃତଦେହକୁ ରଖି ଆନ୍ଦୋଳନ କରିଥିଲେ। ଏହାସହ ତାଙ୍କ ମୃତ୍ୟୁ ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ। ଦୀର୍ଘ ସମୟ ଧରି ଏଭଳି ଉତ୍ତେଜନା ମୂଳକ ପରିସ୍ଥିତି ଦେଖାଦେଇଥିଲା କ୍ୟାମ୍ପସ ଭିତରେ। ଭିସିଙ୍କୁ ବିରୋଧରେ ସମସ୍ତେ ସ୍ୱର ମେଳାଇଥିଲେ। ତେବେ ଏହାରି ମଧ୍ୟରେ ସମ୍ବଲପୁର ୟୁନିଭର୍ସିଟିର କର୍ମଚାରୀ ଦୀନବନ୍ଧୁ ମିଶ୍ର ଆତ୍ମାହୂତି ଘଟଣାରେ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ନାଁରେ ମାମଲା ରୁଜୁ ହୋଇଛି। କୁଳପତିଙ୍କ ସହ ଆଉ ୨ କର୍ମଚାରୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି। ଦୀନବନ୍ଧୁଙ୍କ ପୁଅଙ୍କ ପକ୍ଷରୁ ବୁର୍ଲା ଥାନାରେ ଅଭିଯୋଗ ଆଧାରରେ ମାମଲା ହେଉଥିବା ସୂଚନା ମିଳିଛି।

You might also like