ଦୁଇ ବର୍ଷ ତଳେ କରୋନାକୁ ନେଇ ହୋଇଥିଲା ଏମିତି ଭବିଷ୍ୟବାଣୀ
ନୂଆଦିଲ୍ଲୀ: କରୋନାକୁ ନେଇ ସାରା ବିଶ୍ୱ ଏବେ ଚିନ୍ତିତ। ସାରା ବିଶ୍ୱର ଲୋକମାନେ ଏବେ ଏକାଠି ହୋଇ ଏହାର ମୁକାବିଲା କରୁଛନ୍ତି।
ଏହାର ମୁକାବିଲା ପାଇଁ କୌଣସି ଔଷଧ ବାହାରି ନ ଥିବାବେଳେ ଏଥିରୁ ବର୍ତ୍ତିବା ପାଇଁ ଏକମାତ୍ର ବାଟ ହେଉଛି ସଚେତନତା। ଏବେ କରୋନାକୁ ନେଇ ଅନେକ କଥା ଶୁଣିବାକୁ ମିଳୁଛି। କେହି କେହି ମାଳିକା ବର୍ଣ୍ଣିତ କଥା ସତ ହେଉଛି ବୋଲି କହୁଛନ୍ତି। ଖାଲି ମାଳିକା ନୁହେଁ, ଅନେକ ଲେଖକ ଏହି କରୋନା ଭାଇରସ୍ର ପୂର୍ବାନୁମାନ କରି ନିଜ ପୁସ୍ତକରେ ଉଲ୍ଲେଖ କରିଛନ୍ତି ଯାହା ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି।
ଏବେ ପୁଣି କରୋନାକୁ ନେଇ ଏକ ଭବିଷ୍ୟବାଣୀ ସାମ୍ନାକୁ ଆସିଛି। ଦୁଇ ବର୍ଷ ତଳେ ଅର୍ଥାତ 2018 ମସିହାରେ ଏହି ଭବିଷ୍ୟବାଣୀ ହୋଇଥିଲା। ଏକ ଅନଲାଇନ ଷ୍ଟ୍ରିମିଙ୍ଗ ପ୍ଲାଟଫର୍ମ (ଯେଉଁଠି ଅନଲାଇନରେ ଟିଭି ଶୋ ଓ ଫିଲ୍ଲ ଉପଲବ୍ଧ )ରେ ଏକ କୋରିଆନ ସିରିଜ “My Secret Terrius”କୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। 2018 ମସିହାରେ ଏହି ୱେବ ସିରିଜ ଅନ ଏୟାର ହୋଇଥିଲା। ଏଥିରେ କୋରିଆର ଜଣେ ଆକ୍ଟର ସୋ ଜି-ସବ ଜଣେ ସିକ୍ରେଟ ଏଜେଣ୍ଟ ଭୂମିକାରେ ଅଭିନୟ କରିଥିଲେ।
ଏହି ସିରିଜରେ ଦେଖିବାକୁ ମିଳିଛି କିପରି ଭାବରେ ଲୋକଙ୍କ ଜୀବନ ନେଉଥିବା ଏକ ଭାଇରସ ସମ୍ପର୍କରେ ଚେତାବନୀ ଦିଆଯାଉଛି। କରୋନା ଭାଇରସ ସଂକ୍ରମଣ କିପରି ବ୍ୟାପୁଛି ସେନେଇ ଜଣେ ଡାକ୍ତର କହୁଥିବା ମଧ୍ୟ ଦେଖିବାକୁ ମିଳିଛି।
ଡାକ୍ତର ଜଣଙ୍କ ଆହୁରି ମଧ୍ୟ କହିଛନ୍ତି କିପରି ଭାବରେ ଏହି ଭାଇରସ ଜଣେ ବ୍ୟକ୍ତିଙ୍କ ଫୁସଫୁସ ଉପରେ ପ୍ରଭାବ ପକାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଅନ୍ୟ ଲୋକଙ୍କ ସଂସ୍ପର୍ଶରେ ଆସିବାର ପାଞ୍ଚ ମିନଟ ମଧ୍ୟରେ ଏହା କାମ ଆରମ୍ଭ କରି ଦେଇଥାଏ। ଡାକ୍ତର ଜଣଙ୍କ ଏହା ମଧ୍ୟ କହିଥିଲେ ଯେ, ଏହି ସମୟରେ ଏହାର କୌଣସି ଟୀକା ନାହିଁ। ଏସବୁ ଏହି ସିରିଜରେ ଦେଖିବାକୁ ମିଳିଛି ।
ଆହୁରି ମଧ୍ୟ ପଢନ୍ତୁ: ସତ ହେବ କି ଭବିଷ୍ୟବାଣୀ ? ଏମିତି ଚାଲିଯିବ କରୋନା !