ଛେଳି ଚୋରି ଅଭିଯୋଗରେ ଅକଥନୀୟ ନିର୍ଯାତନା

ନିସ୍ତୁକ ମାଡ଼ ମାରି ଉଠବସ୍ କରାଇବା ସହ ଲଣ୍ଡା କରି ଗାଁରେ ବୁଲାଇଲେ

କଟିହାର : ଚୋରି କରୁଥିବାବେଳେ ଧରା ପଡ଼ିବାରୁ ଲଣ୍ଡା କରି ନିସ୍ତୁକ ମାଡ଼ । ମାନବିକତା ଭୁଲିଗଲେ ଲୋକେ । ବିହାର କଟିହାରରେ ଛେଳି ଚୋରି ଅଭିଯୋଗରେ ଦୁଇ ମହିଳା ଓ ଦୁଇ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିବାର ବର୍ବର ଚିତ୍ର ସାମ୍ନାକୁ ଆସିଛି । ଚୋରକୁ ଶାସ୍ତି ଦେବା ଆଳରେ ନିଜେ ଅଭିଯୁକ୍ତ ସାଜିଗଲେ ।  ଦୁଇ ମହିଳାଙ୍କୁ ମାଡ଼ ମାରିବା ପରେ ଲଣ୍ଡା କରିବା ସହ ସାରା ଗାଁରେ ବୁଲାଇଛନ୍ତି ସ୍ଥାନୀୟ ଲୋକେ । ଅନ୍ୟପଟେ ଧରାପଡ଼ିଥିବା ଉଭୟ ଯୁବକଙ୍କୁ କାନ ଧରି ଉଠବସ୍ କରାଇଛନ୍ତି । ସୋସିଆଲ ମିଡ଼ିଆରେ ଏହି ଖ‍ବର ଭାଇରାଲ ହେବା ପରେ ଘଟଣା ସାମ୍ନାକୁ ଆସିଛି ।

ପାଟଣା ଜିଲ୍ଲାର କୋଢ଼ା ଥାନା ଅଧୀନସ୍ଥ ସିମରିଆ ପଞ୍ଚାୟତର କୋଲାସି ଆଦିବାସୀ ଅଞ୍ଚଳରେ ଏଭଳି ଘଟଣା ଘଟିଛି । ଛେଳି ଚୋରି କରିବାକୁ ଆସିଥିବା ବେଳେ ସ୍ଥାନୀୟ ବାସିନ୍ଦା ଦୁଇ ଜଣ ଯୁବକ ଓ ଦୁଇ ଜଣ ମହିଳାଙ୍କୁ ବନ୍ଦୀ କରି ରଖିଥିଲେ । ପୋଲିସକୁ ଜିମା ନଦେଇ ଲୋକମାନେ ହିତାହତ ଜ୍ଞାନଶୂନ୍ୟ ହୋଇ ଚାରି ଜଣଙ୍କୁ ଅକଥନୀୟ ନିର୍ଯାତନା ଦେବା ସହ ଅମାନବୀୟ ବ୍ୟବହାର କରିଥିଲେ । ଦୁଇ ଯୁବକଙ୍କୁ ନିସ୍ତୁକ ମାଡ଼ ମରାଯାଇଥିଲା , ତେବେ ଏଥିରୁ ବର୍ତ୍ତି ନଥିଲେ ଦୁଇ ମହିଳା । ସେମାନଙ୍କୁ ମଧ୍ୟ ପ୍ରବଳ ମାଡ଼ ମରାଯାଇଥିଲା । କେବଳ ଯେ ମାଡ଼ ମାରିଛନ୍ତି ତା’ ନୁହେଁ ଲଜ୍ଜିତ କରିବା ପାଇଁ ମହିଳା ଦୁଇ ଜଣଙ୍କୁ ଲଣ୍ଡା କରି ମୁଣ୍ଡରେ ଗୋବର ବୋଳି ଦେଇଥିଲେ ।

ପୁଲିସକୁ ଏ ଘଟଣା ସମ୍ପର୍କରେ ଆଦୌ ଜଣାନଥିଲା । ଚୋର ଧରିବା ପାଇଁ ଏକାଠି ହୋଇଥିବା ଭିଡ଼ ମଧ୍ୟରେ ଏପରି ଲଜ୍ଜାଜନକ ଘଟଣା ଘଟିଥିଲା । ତେବେ ସେହି ସମୟର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ କରାଯାଇଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଶହ ଶହ ଲୋକ ସେ ସମୟରେ ଉପସ୍ଥିତ ଥିଲେ ସୁଦ୍ଧା କେହି ଅଟକାଇନଥିଲେ, ବରଂ ନିର୍ଯାତନାର ଭିଡ଼ିଓ ଉତ୍ତୋଳନ କରିଥିଲେ । ପୋଲିସ ନିକଟରେ ଖବର ପହଞ୍ଚିବା ପରେ ଛାନଭିନ୍ ଆରମ୍ଭ କରି ଅଭିଯୁକ୍ତଙ୍କୁ ଖୋଜୁଛି । ଡିଏସପି ଅମରକାନ୍ତ ଝା ଏହି ଘଟଣାକୁ ନିନ୍ଦୟୀୟ ବୋଲି କହିଛନ୍ତି । ତେବେ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ଏବେ ଉଭୟ ପୀଡିତାଙ୍କୁ ଚିକିତ୍ସା ମେଡ଼ିକାଲରେ ଭର୍ତ୍ତି କରାଯାଇଛି ଏବଂ ଅଭିଯୁକ୍ତଙ୍କ ବିରୋଧରେ ତଦନ୍ତ ଚାଲିଛି।

You might also like