ନକଲି ସୁନା ଇଟା ଦେଇ ବ୍ୟବସାୟୀଙ୍କଠୁ ଲୁଟିନେଲେ ୫ ଲକ୍ଷ

ଚୌଦ୍ୱାର: ନକଲି ସୁନା ଇଟା ଦେଇ ବ୍ୟବସାୟୀଙ୍କଠାରୁ ୫ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗ। ଏହି ଘଟଣାରେ ପୋଲିସ୍‌ ୨ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି। କଟକ ଜିଲ୍ଲା ଚୌଦ୍ୱାର ଅଞ୍ଚଳରେ ଏହି ଘଟଣା ଘଟିଛି। ଗିରଫ ଦ୍ୱୟ ହେଲେ- ଚୌଦ୍ୱାର ତଳ ବଜାରର ବିଜୟ ବେହେରା ଏବଂ ଓଟିଏମ୍ କଲୋନୀରେ ରହୁଥିବା ସଂଗ୍ରାମ ମହନ୍ତ।

ସେମାନଙ୍କ ନିକଟରୁ ନଗଦ ୧ଲକ୍ଷ ୪୫ହଜାର ଟଙ୍କା, ୯ ଶହ ଗ୍ରାମ ଓଜନର ଏକ ନକଲି ସୁନା ଇଟା ଓ ୨ଟି ମୋବାଇଲ ଫୋନ୍ ଜବତ କରାଯାଇଛି।

ଚୌଦ୍ୱାର ନବଗ୍ରହ ସାହିର ସୁନା କାରିଗର ସୁଜିତ୍ କୁମାର ମହାରଣା ଗତ ୨୭ ତାରିଖରେ ଥାନାରେ ଅଭିଯୋଗ କରିଥିଲେ ଯେ, ବିଜୟ ତାଙ୍କ ପାଖକୁ ଆସିଥିଲେ ଓ ସଂଗ୍ରାମ ନାମକ ଜଣେ ବ୍ୟକ୍ତି ଶସ୍ତା ସୁନା ଇଟା ବିକ୍ରି କରୁଥିବା କହିଥିଲେ। ତେଣୁ ତାଙ୍କ ନିକଟରୁ ସୁନା ଇଟା କିଣିବା ପାଇଁ ସେ ପ୍ରବର୍ତ୍ତାଇ ଥିଲେ। ଏଥିସହ ସୁଜିତ୍‌ଙ୍କୁ ଏକ ସୁନା ଇଟା ଦେଇ ଏହା ଅସଲି କି ନକଲି ପରୀକ୍ଷା କରିବାକୁ ବିଜୟ କହିଥିଲେ। ଉକ୍ତ ସୁନା ଇଟାକୁ ପରୀକ୍ଷା କରିବାରୁ ତାହା ଅସଲି ବୋଲି ଜଣାପଡ଼ିଥିଲା। ତେବେ ଗତ ୨୬ ତାରିଖରେ ସଂଗ୍ରାମ, ସୁଜିତ୍‌ଙ୍କୁ ନେଇ ଗାନ୍ଧିଛକ ନିକଟରେ ୨ଜଣ ବ୍ୟକ୍ତିଙ୍କ ସହ ପରିଚୟ କରାଇଥିଲେ। ଏହାପରେ ସୁଜିତ୍‌ ସେମାନଙ୍କ ମଧ୍ୟରୁ ଜଣକୁ ୫ ଲକ୍ଷ ଟଙ୍କା ଦେଇ ସଂଗ୍ରାମଙ୍କ ମାର୍ଫତରେ ତାଙ୍କ ନିକଟରୁ ୯୦୦ ଗ୍ରାମ ଓଜନର ଏକ ସୁନା ଇଟା ନେଇଥିଲେ। ପରେ ଏହି ସୁନା ଇଟାକୁ ପରୀକ୍ଷା କରିବାରୁ ଜଣାପଡ଼ିଥିଲା ଏହା ନକଲି।

ଅଭିଯୋଗକ୍ରମେ ଘଟଣାର ତଦନ୍ତ କରି ପୋଲିସ୍ ବିଜୟ ଓ ସଂଗ୍ରାମକୁ ଗିରଫ କରିଥିବାବେଳେ ଏଥିରେ ସମ୍ପୃକ୍ତ ଥିବା ଅନ୍ୟମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ଆଇଆଇସି ବିରଞ୍ଚି ନାରାୟଣ ପତି ସୂଚନା ଦେଇଛନ୍ତି।

You might also like