ଟ୍ୟୁସନ ଆସିବାରେ ବିଳମ୍ବ ହେବାରୁ ଲହୁଲୁହାଣ କରିଦେଲେ ଦିଦି

ବାଲେଶ୍ୱର : ଟ୍ୟୁସନକୁ ଆସିବାରେ ବିଳମ୍ବ ହୋଇଗଲା। କୁନି ଝିଅଟିର ଏତିକି ଥିଲା ଅପରାଧ। ୪ର୍ଥ ଶ୍ରେଣୀ ପିଲାଟିକୁ ପିଟି ଲହୁଲୁହାଣ କରିଦେଲେ ଦିଦି। ଏବେ ଝିଅଟି ଗୁରୁତର ଅବସ୍ଥାରେ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି ହୋଇଛି। ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ପୋଡ଼ାସୁଳ ଗାଁରେ ଘଟିଛି ଏପରି ଘଟଣା।

ପରିବାର ଲୋକଙ୍କ କହିବା ଅନୁଯାୟୀ, ପୂର୍ବରୁ ମଧ୍ୟ ଟ୍ୟୁସନ ଦିଦି ଝିଅକୁ ଖୁବ୍‌ ପିଟିଥିଲେ। ପରିବାର ଲୋକେ ମାଡ଼ ନ ମାରିବାକୁ ଦିଦି ଶଶିକଳା ଜେନାଙ୍କୁ କହିଥିଲେ। ହେଲେ ଆଜି ଝିଅର ଟ୍ୟୁସନରେ ପହଞ୍ଚିବାରେ ସାମାନ୍ୟ ବିଳମ୍ବ ହୋଇଯାଇଥିଲା। ପାଠ ପଢା ଆରମ୍ଭ ହେବା ପରେ ଦିଦି ପଚାରିଥିଲେ କ୍ଷୁଦ୍ରତମ ସଂଖ୍ୟା। ହେଲେ ଦିଦିଙ୍କ ପ୍ରଶ୍ନର ଉତ୍ତର ଦେଇ ପାରି ନଥିଲା ପିଲାଟି। ଏଥିରେ ଉତ୍ତ୍ୟକ୍ତ ହୋଇ ଦିଦି ଝିଅକୁ ନିସ୍ତୁକ ପିଟି ଥିବା ଅଭିଯୋଗ ହୋଇଛି। ଏପରିକି ଦିଦିଙ୍କ ଝିଅ ମଧ୍ୟ ପିଲାଟିକୁ ପିଟିଥିବା ଅଭିଯୋଗରେ ଦର୍ଶାଯାଇଛି। ଗୁରୁତର ଅବସ୍ଥାରେଏବେ ଛାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏନେଇ ଛାତ୍ରୀଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି। ତେବେ ଏ ସଂପର୍କରେ ସଂପୃକ୍ତ ଟ୍ୟୁସନ ଶିକ୍ଷୟିତ୍ରୀଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।

ଅନ୍ୟପକ୍ଷେ ପୁଲିସ ଅଭିଯୋଗ ପାଇବା ପରେ ଶିକ୍ଷୟିତ୍ରୀଙ୍କ ଘରକୁ ଯାଇଥିଲେ ହେଁ ଘରେ କେହି ନ ଥିଲେ। ତେବେ ଘଟଣାର ତଦନ୍ତ ଚାଲିଛି ବୋଲି ଏସଆଇ ସସ୍ମିତା ମଲ୍ଲିକ କହିଛନ୍ତି।

 

You might also like