ହାତୀକୁ ଧକ୍କା ଦେଇ ଲାଇନଚ୍ୟୁତ ହେଲା ଏକ୍ସପ୍ରେସ ଟ୍ରେନ୍

ଦନ୍ତାକୁ ଧକ୍କା ଦେଲା ଟ୍ରେନ୍

ସମ୍ବଲପୁର: ହାତୀକୁ ଧକ୍କା ଦେବା ଫଳରେ ପୁରୀରୁ ସୁରତ ଯାଉଥିବା 02827 ସ୍ୱତନ୍ତ୍ର ଏକ୍ସପ୍ରେସ ଟ୍ରେନର ଇଂଜିନ୍ ଲାଇନଚ୍ୟୁତ ହୋଇଛି। ମିଳିଥିବା ସୂଚନା ଅନୁସାରେ, ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ସମ୍ବଲପୁର ଡିଭିଜନର ହାତୀବାରି ଓ ମାନେଶ୍ୱର ରେଳ ଷ୍ଟେସନ ମଧ୍ୟରେ ଭବାନୀପାଲି ନିକଟରେ ଟ୍ରେନଟି ଏକ ହାତୀକୁ ଧକ୍କା ଦେଇଥିଲା। ଏଥିଯୋଗୁଁ ସାମନା ଇଂଜିନର ୬ଟି ଚକ ଲାଇନଚ୍ୟୁତ ହୋଇଛି। ଟ୍ରେନ ଧକ୍କାରେ ଦନ୍ତା ହାତୀର ମୃତ୍ୟୁ ହୋଇଛି। ଏହାସହ ଟ୍ରେନ୍ଲାଇନଚ୍ୟୁତ ହୋଇଥିଲେ ମଧ୍ୟ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଜଣେ ହେଲେ ବି ଯାତ୍ରୀ ଆହତ ହୋଇନାହାନ୍ତି।

ଡ୍ରାଇଭର ଓ ଆସିଷ୍ଟାଣ୍ଟ ଡ୍ରାଇଭର ମଧ୍ୟ ସୁରକ୍ଷିତ ଅଛନ୍ତି। ପୁରୀ- ସୁରତ ଟ୍ରେନ୍ ରାତି ୧ଟା ୫୫ରେ ହାତିବାରୀ ଷ୍ଟେସନ ଛାଡିଥିଲା। ସେହି ରୁଟରେ ହାତୀ ଚଳପ୍ରଚଳ ହେଉଥିବାରୁ ଟ୍ରେନଟି ପ୍ରାୟ ଘଣ୍ଟାପ୍ରତି ୫୦କିମି ବେଗରେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ରିଲିଫ୍ ଟ୍ରେନ୍ ଦ୍ୱାରା ସମସ୍ତ କୋଚକୁ ହାତୀବାରି ଷ୍ଟେସନକୁ ଅଣାଯାଇଛି। ସମ୍ବଲପୁର ଡିଆରଏମ୍ ପ୍ରଦୀପ କୁମାର ଘଟଣାସ୍ଥଳରେ ପହଞ୍ଚି ଟ୍ରେନ୍ ଲାଇନଚ୍ୟୁତ ହେବାର କାରଣ ସମ୍ପର୍କରେ ଅନୁଧ୍ୟାନ କରୁଛନ୍ତି। ଏହାସହ ଡିଏଫଓ ସଞ୍ଜିତ କୁମାର ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। 08425 ପୁରୀ- ଦୁର୍ଗ ଏକ୍ସପ୍ରେସକୁ ଯୁଯୁମରା ଓ 08448 କୋରାପୁଟ-ଭୁବନେଶ୍ୱର ଏକ୍ସପ୍ରେସକୁ ସମ୍ବଲପୁରଠାରେ ଅଟକ ରଖାଯଯାଇଛି। ସକାଳ ୫ଟା ୫୫ରେ ଇଂଜିନକୁ ଟ୍ରାକକୁ ଅଣାଯାଇଛି। ବନ ବିଭାଗର ଓ ଟ୍ରାକ୍ କ୍ଲିୟରାନ୍ସ ପାଇଁ ଅନୁମତି ମିଳିବା ପରେ ପୁରୀ-ସୁରତ ଏକ୍ସପ୍ରେସ ଯାତ୍ରା ଆରମ୍ଭ କରିବ ବୋଲି ସୂଚନା ମିଳିଛି।

You might also like