୨୬ରେ ସଂଗଠିତ ହେବ ବିରଳ ମହାଜାଗତିକ ଘଟଣା

ନୂଆଦିଲ୍ଲୀ: ଆସନ୍ତା ୨୬ରେ ସଂଗଠିତ ହେବ ବିରଳ ମହାଜାଗତିକ ଘଟଣା। ସେହିଦିନ ଏକକାଳୀନ ସୁପରମୁନ୍ ଓ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ପଡୁଛି। ମେ ୨୬ ତାରିଖ ପୂର୍ଣ୍ଣମୀ ତିଥିରେ ଏହି ସୁପରମୁନ୍ ଦେଖାଯିବ। ଏହି ସମୟରେ ଚନ୍ଦ୍ର ସାଧାରଣ ଦିନର ପୂର୍ଣ୍ଣ ଚନ୍ଦ୍ର ଠାରୁ ପ୍ରାୟ ୭ ପ୍ରତିଶତ ବଡ଼ ଏବଂ ୧୫ ପ୍ରତିଶତ ଉଜ୍ଜ୍ୱଳ ଦେଖାଯିବ। ସଂଯୋଗବଶତଃ, ସେହିଦିନ ଏକ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ସଂଗଠିତ ହେବ। ସେହିଦିନ ଚନ୍ଦ୍ର ଗ୍ରହଣ ସମୟରେ ଚନ୍ଦ୍ର ପୃଥିବୀର ଛାୟାରେ ଅପରାହ୍ଣ ୩ଟା ୧୪ ମିନିଟରେ ପ୍ରବେଶ କରିବ ଏବଂ ସନ୍ଧ୍ୟା ୬ଟା ୨୨ରେ ଛାୟାରୁ ସମ୍ପୂର୍ଣ୍ଣ ବାହାରି ଯିବ।

ଚନ୍ଦ୍ର ଛାୟା ଭିତରେ ଥିବା ବେଳେ ହିଁ ଗ୍ରହଣକୁ ଖାଲି ଆଖିରେ ଦେଖି ହୁଏ। କିନ୍ତୁ ସେ ସମୟରେ ଭାରତ ତଥା ଓଡ଼ିଶାରେ ଦିନ ହୋଇଥିବ ଏବଂ ଏଠାରେ ଚନ୍ଦ୍ର ଦିଗ୍‌ବଳୟ ତଳେ ଥିବାରୁ ଚନ୍ଦ୍ରଗ୍ରହଣ ଦେଖି ହେବ ନାହିଁ।

ସୂର୍ଯ୍ୟ ଚାରିପଟେ ପୃଥିବୀ ବୁଲୁଥିବା ବେଳେ ଚନ୍ଦ୍ର ପୃଥିବୀ ଚାରିପଟେ ଏକ ନିର୍ଦ୍ଦିଷ୍ଟ କକ୍ଷପଥରେ ଘୁରୁଛି ଯେତେବେଳ ଏହି ତିନୋଟି ପିଣ୍ଡ ଗୋଟିଏ ସରଳରେଖାରେ ରୁହନ୍ତି ଓ ପୃଥିବୀର ଛାଇ ଚନ୍ଦ୍ର ଉପରେ ପଡ଼େ ସେତେବେଳେ ଚନ୍ଦ୍ର ଗ୍ରହଣ ହୋଇଥାଏ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ସମୟରେ ଚନ୍ଦ୍ର ରକ୍ତ ବର୍ଣ୍ଣ ବା ଲାଲ୍ ରଙ୍ଗ ଧାରଣ କରିଥାଏ

ଗ୍ରହଣର ବୈଜ୍ଞାନିକ ମହତ୍ତ୍ୱ ସହ ଧାର୍ମିକ ଓ ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ଏହାର ମହତ୍ତ୍ୱ ରହିଛି। ଧାର୍ମିକ ବିଶ୍ୱାସ ଅନୁସାରେ, ଗ୍ରହଣକୁ ଅଶୁଭ ବୋଲି କୁହାଯାଇ ଥାଏ। ଏଥିପାଇଁ ଗ୍ରହଣ ସମୟରେ କୌଣସି ଶୁଭ କାର୍ଯ୍ୟ ହୁଏ ନାହିଁ।

ପରବର୍ତ୍ତୀ ଚନ୍ଦ୍ର ଗ୍ରହଣ ୨୦୨୨ ମସିହା ମେ’ ୧୬ରେ ପଡ଼ିବ। ହେଲେ ଏହା ଭାରତୀୟ ଉପମହାଦେଶରେ ଦୃଶ୍ୟମାନ ହେବ ନାହିଁ। କିନ୍ତୁ ୨୦୨୨ ମସିହା ନଭେମ୍ବର ୮ରେ ଯେଉଁ ଚନ୍ଦ୍ର ଗ୍ରହଣ ଲାଗିବ, ତାହା ଭାରତରେ ଦୃଶ୍ୟମାନ ହେବ।

ଚନ୍ଦ୍ର ଗ୍ରହଣ ସାଧାରଣତଃ ୩ ପ୍ରକାରର ଯଥା- ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ, ଆଂଶିକ ଚନ୍ଦ୍ର ଗ୍ରହଣ ଏବଂ ଉପଛାୟା ଚନ୍ଦ୍ର ଗ୍ରହଣ। ସୂର୍ଯ୍ୟ, ଚନ୍ଦ୍ର  ମଝିରେ ପୃଥିବୀ ରହିବ କିନ୍ତୁ ଗୋଟିଏ ରେଖାରେ ନ ରହିଲେ ସେହି ଚନ୍ଦ୍ର ଗ୍ରହଣକୁ ଉପଛାୟା ଗ୍ରହଣ କୁହାଯାଏ।

You might also like