ଘରକୁ ଫେରିବା ପାଇଁ ବସ ଷ୍ଟାଣ୍ଡରେ ଭିଡ଼ ଜମାଇଲେ ହଜାର ହଜାର ସଂଖ୍ୟକ ଶ୍ରମିକ
ନୂଆଦିଲ୍ଲୀ: କରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ ସାରା ଦେଶରେ ସାମାଜିକ ଦୂରତା ରକ୍ଷାକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଦିଲ୍ଲୀ ଏନସିଆର ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ହଜାର ହଜାର ସଂଖ୍ୟାରେ ଶ୍ରମିକ ଏଠାରେ ଏକାଠି ହୋଇଛନ୍ତି ।
ଦେଶରେ ଲକଡାଉନ ସ୍ଥିତି ଜାରି ରହିଥିବାରୁ ଦିଲ୍ଲୀ ସମେତ ଅନ୍ୟ ରାଜ୍ୟରେ ହଜାର ହଜାର ଲୋକେ ଫସି ରହିଛନ୍ତି। ତେବେ ଏନସିଆର ଅଞ୍ଚଳରେ ପୂର୍ବରୁ ଫସି ରହିଥିବା ବହୁ ସଂଖ୍ୟାରେ ଶ୍ରମିକଙ୍କୁ ଉତ୍ତର ପ୍ରଦେଶ ସରକାର ଜରୁରୀକାଳୀନ ବସ ସେବା ଯୋଗାଇ ଦେଇ ସେମାନଙ୍କୁ ଘରେ ଛାଡ଼ିବା ବ୍ୟବସ୍ଥା କରିଥିଲେ। ଏ ଖବର ପାଇବା ପରେ ଦିଲ୍ଲୀ-ଉତ୍ତରପ୍ରଦେଶ ସୀମା ଦେଇ ଏନସିଆର ଅଞ୍ଚଳରେ ଥିବା ବସ ଷ୍ଟାଣ୍ଡକୁ ଅନ୍ୟ ଶ୍ରମିକମାନଙ୍କ ସୁଅ ଛୁଟିଥିଲା।
ହଜାର ହଜାର ସଂଖ୍ୟାରେ ଶ୍ରମିକଙ୍କ ନିଜ ଛୁଆପିଲାଙ୍କୁ ଧରି ପରିବାର ସହ ଏଠାକୁ ଆସି ଭିଡ଼ ଜମାଇଥିବା ଦେଖିବାକୁ ମିଳିଛି।
ବର୍ତ୍ତମାନ ସୁଦ୍ଧା ଉତ୍ତର ପ୍ରଦେଶ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ୭୯ଟି ବସରେ ଶ୍ରମିକମାନଙ୍କୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପହଞ୍ଚାଯାଇଛି। ଏହା ସତ୍ତ୍ୱେ ଶ୍ରମିକମାନଙ୍କ ଭିଡ଼ କମିନି।
ଗତ ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶରେ ଲକଡାଉନ ଘୋଷଣା କରିବା ପରଠୁ ଦିଲ୍ଲୀରେ କାମ କରୁଥିବା ଶହ ଶହ ସଂଖ୍ୟାରେ ଶ୍ରମିକ ନିଜ ନିଜ ରାଜ୍ୟକୁ ପାଦରେ ଚାଲି ଚାଲି ଫେରୁଥିବା ଦେଖିବାକୁ ମିଳୁଛି।
ଅନ୍ୟପକ୍ଷରେ, ଶ୍ରମିକଙ୍କୁ ଦିଲ୍ଲୀ ନ ଛାଡ଼ିବାକୁ ଅପିଲ୍ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ।ଶ୍ରମିକଙ୍କ ପାଇଁ ରହିବା ଓ ଖାଇବା ସହ ଅନ୍ୟ ସମସ୍ତ ସୁବିଧା କରାଯାଇଛି। ଏନେଇ ସ୍ଥାନୀୟ ବିଧାୟକଙ୍କ ସହ ଆଲୋଚନା ହୋଇଥିବା କେଜ୍ରିୱାଲ କହିଛନ୍ତି ।
କରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ଲକଡାଉନ ଆହ୍ବାନ ଦେଶ ପାଇଁ ନିହାତି ଆବଶ୍ୟକ। ତେବେ ଏଭଳି ସ୍ଥିତିରେ ଦିଲ୍ଲୀ ଛାଡ଼ି ଅନ୍ୟ ସ୍ଥାନକୁ ସ୍ଥାନାନ୍ତର ହେବା ଦ୍ୱାରା କରୋନା ଭାଇରସ ସଂକ୍ରମଣ ସମ୍ଭାବନା ଅଧିକ ରହିଥିବା ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି।
କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଦ୍ୱାରା ଡକାଯାଇଥିବା ବୈଠକରେ ଶ୍ରମିକମାନେ ଏକାଠି ହୋଇ ରାଜ୍ୟ ଛାଡିବା ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ବିଭିନ୍ନ ରାଜ୍ୟରେ ଥିବା ଶ୍ରମିକଙ୍କୁ ଖାଇବା ଓ ରହିବା ସୁବିଧା ଯୋଗାଇଦେବା ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି।