• translate
Chandan Shishu

ମୁମ୍ବାଇ: ଥମିଯାଇଥିବା କରୋନା ତାର ପୁଣି ଉଗ୍ର ରୂପ ଧାରଣ କଲାଣି। ମହାମାରୀର ଦ୍ୱିତୀୟ ଲହର୍ ରାଜ୍ୟକୁ ରାଜ୍ୟ ଡେଇଁ ଡେଇଁ ଚାଲିଛି।  ଏହି ଅଦୃଶ୍ୟ ଶକ୍ତି ଏବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପୁଣି ମୁଣ୍ଡବିନ୍ଧାର କାରଣ ହୋଇଛି। ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚିନ୍ତାପ୍ରକଟ କରିଛି। ଦେଶର ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଲୋକଙ୍କୁ ସଚେତନ କରାଉଛନ୍ତି। ତଥାପି ବୋଲ ମାନୁନି କରୋନା। ପ୍ରତିଦିନ ଦେଶରୁ ଲକ୍ଷେରୁ ଅଧିକ ନୂଆ କରୋନା ଆକ୍ରାନ୍ତ ବାହାରୁଥିବା ବେଳେ ପାଖାପଖି ‌ହଜାରେ ଲୋକଙ୍କ ପ୍ରାଣହାନୀ ହେଉଛି। କରୋନା ଆକ୍ରାନ୍ତ ହେବା ପରେ ଯେଉଁମାନଙ୍କ ମୃତ୍ୟୁ ହେଉଛି, ସେମାନଙ୍କ ପରିବାର ସତେ ଯେପରି ଅସହାୟ ହୋଇପଡୁଛି। କିନ୍ତୁ ଏଭଳି ସ୍ଥିତିରେ ବିବାଦୀୟ ବୟାନ ଦେଇଛନ୍ତି ସାମାଜିକ କର୍ମୀ ସମ୍ଭାଜୀ ଭିଡେ। କରୋନାରେ ମରୁଥିବା ଲୋକ ବଞ୍ଚିବା ପାଇଁ ଫିଟ୍‌ ନୁହଁନ୍ତି ବୋଲି ସେ କହିଛନ୍ତି। ସେ କାହିଁକି ଏପରି କହିଲେ ଆସନ୍ତୁ ଜାଣିବା...

ମହାରାଷ୍ଟ୍ରର ଚର୍ଚ୍ଚିତ ସାମାଜିକ କର୍ମୀ ସମ୍ଭାଜୀ ଭିଡେଙ୍କ ଏକ ଭିଡିଓ କ୍ଲିପ୍‌ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ସେଥିରେ ସେ କହିଛନ୍ତି ଯେ, କରୋନା ଏକ ରୋଗ ନୁହେଁ। ଯେଉଁ ଲୋକ କରୋନା ଯୋଗୁଁ ପ୍ରାଣ ହରାଉଛନ୍ତି, ସେମାନେ ବଞ୍ଚିବା ପାଇଁ ଫିଟ୍‌ ନୁହଁନ୍ତି। ଏହା ଲୋକମାନଙ୍କ ଟେଣ୍ଡେନ୍ସି (ଚିନ୍ତାଧାରା)। ଏହା ଏକ ମାନସିକ ବିକାରଗସ୍ତ। କେବଳ ସେତିକି ନୁହେଁ, ବର୍ତ୍ତମାନ ସରକାରଙ୍କ ଦ୍ୱାରା ଜାରି ହୋଇଥିବା କଟକଣା ନେଇ ଭିଦେ କହିଛନ୍ତି ଯେ, ସାଧାରଣ ଲୋକ ଭୋକ ଉପାସରେ ରହି ମରୁଛନ୍ତି। ଲୋକ ଏହି କଟକଣାକୁ ବିରୋଧ କରିବା ଉଚିତ୍। ସରକାର ଏହାକୁ ପ୍ରତ୍ୟାହାର କରିନେବା ଉଚିତ୍‌ ବୋଲି ସେ କହିଛନ୍ତି। ଏକଥା କହିବା ପରେ ସେ ପୁଣି ବିବାଦ ଘେରକୁ ଚାଲିଆସିଛନ୍ତି।

https://twitter.com/SanjayJog7/status/1380087285954174983?s=20

୨୦୨୦ରେ କରୋନା ସମୟରେ ଚର୍ଚ୍ଚାକୁ ଆସିଥିଲେ ସାମାଜିକ କର୍ମୀ ସମ୍ଭାଜୀ ଭିଡେ। କରୋନା ଔଷଧକୁ ନେଇ ସେ ବେଶ୍ ଚର୍ଚ୍ଚାରେ ରହିଥିଲେ। ଗତବର୍ଷ ସେ କହିଥିଲେ ଯେ କରୋନା ଏତେ ବଡ଼ ରୋଗ ନୁହେଁ, ଯାହା ଆମେ ଭାବୁଛେ। କରୋନାରୁ ମୁକ୍ତି ପାଇବାକୁ ହେଲେ ଗାଈ ଘିଅ ଓ ଗୋମୁତ୍ର ଅମୋଘ ଅସ୍ତ୍ର। ଏହି ୨ଟି ଖାଦ୍ୟ କରୋନା ବିରୋଧରେ ରାମ ବାଣ ପରି କାମ କରିବ। କରୋନାକୁ ରୋକିବା ପାଇଁ ଏହାକୁ ରୋଗୀଙ୍କ ଠାରେ ବ୍ୟବହାର କରାଯାଉ ବୋଲି ସମ୍ଭାଜୀ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ନିବେଦନ କରିଥିଲେ।  କିନ୍ତୁ ଏହାର କୌଣସି ବିଜ୍ଞାନ ଭିତ୍ତିକ ସତ୍ୟତା ନାହିଁ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଥିଲେ।

Other Stories