ଟ୍ୟୁସନ ଫି ଛାଡ ଫର୍ମୁଲାକୁ ସହଜରେ ହଜମ କରିପାରିନାହାନ୍ତି ଘରୋଇ ସ୍କୁଲ୍
ଫି ଛାଡ଼ ଫର୍ମୁଲାକୁ ନେଇ ଆରମ୍ଭରୁ କେଁ
ଫି ଛାଡ଼ ଫର୍ମୁଲାକୁ ନେଇ ଆରମ୍ଭରୁ କେଁ
ହାଇକୋର୍ଟଙ୍କ ରାୟ ପରେ ଗଣଶିକ୍ଷା ବିଭାଗର ୭ଟି ଫି ଛାଡ଼ ସ୍ଲାବ୍
ଫି ଛାଡକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଘରୋଇ ସ୍କୁଲ
ବିନା ଆଲୋଚନାରେ ଫି ଛାଡ ନିଷ୍ପତ୍ତିକୁ କାଉଣ୍ଟର ପାଇଁ ସଜବାଜ
ଭୁବନେଶ୍ୱର: ଆରମ୍ଭରୁ କେଁ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୭ଟି ସ୍ଲାବରେ ୭.୫ରୁ ୨୬ ପ୍ରତିଶତ ଟ୍ୟୁସନ ଫି ଛାଡ ଫର୍ମୁଲାକୁ ସହଜରେ ହଜମ କରିପାରିନାହାନ୍ତି ଘରୋଇ ସ୍କୁଲ୍। ବିନା ଆଲୋଚନାରେ ଏଭଳି ଫି ଛାଡ ନିଷ୍ପତ୍ତିକୁ କାଉଣ୍ଟର କରିବାକୁ ସଜବାଜ ବି ଆରମ୍ଭ କଲେଣି କିଛି ଘରୋଇ ସ୍କୁଲ୍। ସେପଟେ ହାଇକୋର୍ଟରେ ଦାଖଲ ସତ୍ୟପାଠରେ ଘରୋଇ ସ୍କୁଲ୍ ଉପରେ କର୍ତ୍ତୃତ୍ୱ ନଥିବା ନେଇ ଉଲ୍ଲେଖ କରିଥିବା ଗଣଶିକ୍ଷା ବିଭାଗ ଏବେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ପ୍ରସ୍ତୁତ କରିଛି ଫି ଛାଡ଼ ଗାଇଡଲାଇନ୍।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସ୍କୁଲ୍ ଫି ବିଜ୍ଞପ୍ତି ପରେ ଆରମ୍ଭ ହେଲାଣି ବିବାଦ। କିଛି ସ୍କୁଲ୍ ଏହାକୁ ଗ୍ରହଣ କରିନଥିବା ବେଳେ ଆଉ କିଛି ଘରୋଇ ସ୍କୁଲ୍ ଆଇନର ଦ୍ୱାରସ୍ଥ ହେବା ଲାଗି ଅଣ୍ଟା ଭିଡ଼ିଲେଣି। ଆଉ ସେମାନଙ୍କର ଯୁକ୍ତି ହେଲା ମୁଖ୍ୟମନ୍ତ୍ରୀ ମହାମାରୀ ସମୟରେ ଯେତେବେଳେ ସ୍କୁଲ୍ ଫି କୋହଳକୁ ନେଇ ଅନୁରୋଧ କରିଥିଲେ, ସେ ସମୟରେ ସେମାନେ ଫି ବୃଦ୍ଧି କରିନଥିଲେ। ପୂର୍ବ ବର୍ଷର ଫି ଆଧାରରେ ଏଥର ଫି ଆଦାୟ ହେଉଛି। ତେବେ ସବୁ ସ୍କୁଲର ବଜେଟ୍ ଭିନ୍ନ ଭିନ୍ନ ଓ ଫି ସ୍ଲାବ୍ ମଧ୍ୟ ଭିନ୍ନ। କିନ୍ତୁ କୌଣସି ଆଲୋଚନା ନକରି ଏଭଳି ଫ୍ଲାଟ୍ ଡିସ୍କାଉଣ୍ଟ ଭଳି ନିଷ୍ପତ୍ତି ନେବା ସ୍କୁଲ୍ ଗୁଡିକ ପାଇଁ ଶୁଭଙ୍କର ନୁହେଁ। ଅନ୍ୟପଟେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଗଣଶିକ୍ଷା ବିଭାଗ ନେଇଥିବା ନିଷ୍ପତ୍ତି ସବୁ ସ୍କୁଲ୍ ମାନିବାକୁ ବାଧ୍ୟ। ଅଭିଭାବକଙ୍କୁ ଏହାଦ୍ୱାରା ଆଶ୍ୱସ୍ତି ମିଳିବା ସହ ଘରୋଇ ସ୍କୁଲଗୁଡ଼ିକର ମନମାନି କମିବ ବୋଲି ଅଭିଭାବକ ସଂଘ କହିଛି।
ସେପଟେ ଗଣଶିକ୍ଷା ବିଭାଗ ସଚିବଙ୍କ ଉପସ୍ଥିତିରେ ଓଡିଶା ପବ୍ଲିକ ସ୍କୁଲ୍ ସଂଘ, ଅଭିଭାବକ ସଂଘ ଓ ଘରୋଇ ସ୍କୁଲ୍ ଶିକ୍ଷକ ସଂଘ ଭିତରେ ଯେଉଁ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା ତାରି ଆଧାରରେ ଗାଇଡ ଲାଇନ୍ ଜାରି ହୋଇଛି। କେବଳ ଟ୍ୟୁସନ ଫି ଛଡା ଅନ୍ୟ କୌଣସି ଫି ଆଦାୟ ହୋଇପାରିବ ନାହିଁ। ୭ଟି ସ୍ଲାବରେ ୭.୫ ପ୍ରତିଶତରୁ ୨୬ ପ୍ରତିଶତ ପର୍ଯ୍ୟନ୍ତ ଟ୍ୟୁସନ ଫି ଛାଡ କରିବା ଲାଗି ସ୍ଲାବ୍ ପ୍ରସ୍ତୁତି ହୋଇଛି।
କୌଣସି ସ୍କୁଲ୍ ଫି ବୃଦ୍ଧି କରିପାରିବେ ନାହିଁ ବୋଲି ସୂଚନା ରହିଛି। ହଷ୍ଟେଲ ଫି ବାବଦକୁ ୩୦ ପ୍ରତିଶତ ଛାଡ଼ ହେବ। ଏପ୍ରିଲ୍ ପହିଲା ୨୦୨୦ରୁ କ୍ଲାସ୍ ରୁମ୍ ଶିକ୍ଷା ଆରମ୍ଭ ଯାଏଁ ଛାତ୍ରଛାତ୍ରୀଙ୍କୁ ଏହି ରିହାତି ମିଳିବ। ଯାହାକୁ ନେଇ ଅଭିଭାବକ ମାନେ ସନ୍ତୋଷ ପ୍ରକାଶ କରିଛନ୍ତି।
ମହାମାରୀ ସମୟରେ ଅଭିଭାବକଙ୍କ ଆର୍ଥିକ ଅବସ୍ଥା ପ୍ରଭାବିତ ହୋଇଛି। ଏହି ସମୟରେ ଘରୋଇ ସ୍କୁଲଗୁଡ଼ିକର ମୋଟା ଅଙ୍କର ଫି ଅଭିଭାବକଙ୍କ ବୋଝ ଦୁଇଗୁଣିତ କରିଛି। ସେପଟେ ଅସନ୍ତୁଷ୍ଟ ଘରୋଇ ସ୍କୁଲ୍ ଆଇନର ଦ୍ୱାରସ୍ଥ ହେଲେ ଘଟଣାର ପରବର୍ତ୍ତୀ ଦିଗ କଣ ହେବ ତାହା ଦେଖିବାର କଥା।
କଟକରୁ ବିଶ୍ୱଜିତ୍ ଆଚାର୍ଯ୍ୟ, ଭୁବନେଶ୍ୱରରୁ ଅର୍ଚ୍ଚନା ଶତପଥୀ ଓ ଜଗଦୀଶ ଦାସଙ୍କ ରିପୋର୍ଟଟ