ଭାରତ ତୃତୀୟ ଲହରୀ ପାଇଁ ହେଲାଣି କି ପ୍ରସ୍ତୁତ?

ଆସିବ ୩ୟ ଲହର

ନୂଆଦିଲ୍ଲୀ: ତୃତୀୟ ଲହର ପ୍ରସ୍ତୁତି ପାଇଁ ହାତରେ ଆଉ ନାହିଁ ବେଶୀ ସମୟ। ଆଉ କେଇମାସ ପରେ ଶୁଭିପାରେ ତୃତୀୟ ଲହରର ପଦଧ୍ୱନି। କରୋନାର ଦ୍ୱିତୀୟ ଲହର ଯୋଗୁଁ ଭାରତରେ ଜନଜୀବନ ଗୁରୁତର ପ୍ରଭାବିତ ହୋଇଥିବା ବେଳେ ତୃତୀୟ ଲହରୀ ପାଇଁ ଆଶଙ୍କା ଦେଖାଦେଇଛି। ଭାରତରେ ତୃତୀୟ ଲହରୀ ନିଶ୍ଚୟ ଆସିବ ବୋଲି ବିଶେଷଜ୍ଞମାନେ ମତଦେଇଥିବା ନିତି ଆୟୋଗ ସଦସ୍ୟ ଭି.କେ. ସାରସ୍ୱତ କହିଛନ୍ତି। ଭାରତକୁ ଏଥିପାଇଁ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିବାକୁ ପଡିବ। ସେମ୍ବେର- ଅକ୍ଟୋବୋର ବେଳକୁ ତୃତୀୟ ଲହରୀ ଆସିପାରେ।

ତେଣୁ ତା ପୂର୍ବରୁ ଯଥା ସମ୍ଭବ ଅଧିକ ଲୋକଙ୍କ ଟିକାକରଣ ଆବଶ୍ୟକ ରହିଛି। କରୋନାର ଦ୍ୱିତୀୟ ଲହରକୁ କେନ୍ଦ୍ର ସରକାର ସଫଳାର ସହ ମୁକାବିଲା କରିଛନ୍ତି। ଏଥିଯୋଗୁଁ ଦେଶରେ କରୋନା ସଂକ୍ରମଣରେ ହ୍ରାସ ଘଟିଛି। ମେ ମାସରେ କିଛି ଦିନ ୪ ଲକ୍ଷରୁ ଅଧିକ ସଂକ୍ରମିତ ହୋଇଥିବା ବେଳେ ଏବେ ଏହି ସଂଖ୍ୟା ଦେଢ ଲକ୍ଷ ତଳେ ରହୁଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ସମୟୋଚିତ ପଦକ୍ଷେପ ଯୋଗୁଁ ଏଭଳି ସମ୍ଭବ ହୋଇପାରିଛି। କରୋନାର ଦ୍ୱିତୀୟ ଲହର ପରି ତୃତୀୟ ଲହର ସେତେ ଘାତକ ହେବ ନାହିଁ ବୋଲି ବିଶେଷଜ୍ଞମାନେ ମତ ଦେଇଥିବାରୁ ଏହା ଦେଶବାସୀଙ୍କୁ କିଛି ପରିମାଣରେ ଆଶ୍ୱସ୍ତ କରିଛି।

କିନ୍ତୁ ଥାର୍ଡ ୱେଭ୍‌ରେ ଶିଶୁମାନେ ଅଧିକ ସଂକ୍ରମିତ ହେବା ଆଶଙ୍କା ରହିିଥିବାରୁ ଏଥିପାଇଁ ସତର୍କ ରହିବାକୁ ପଡିବ ବୋଲି ନୀତି ଆୟୋଗ ସଦସ୍ୟ ଭି.କେ. ସାରସ୍ୱତ କହିଛନ୍ତି। ସେପଟେ ମାଲେସିଆରେ ଆରମ୍ଭ ହୋଇସାରିଛି କରୋନାର ତୃତୀୟ ଲହର। ଗୋଟିଏ ଦିନରେ ସେଠାରେ ୧୨୬ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ସଂକ୍ରମଣ ଚିହ୍ନଟ ହେବା ପରଠାରୁ ଏହା ସବୁଠାରୁ ଅଧିକ ମୃତ୍ୟୁ ବୋଲି ଜଣାପଡ଼ିଛି। ପରିସ୍ଥିତି ଏପରି ହୋଇଛି ଯେ, ଶବଗୃହରେ ମୃତ ଶରୀର ମାନଙ୍କୁ ରଖିବାକୁ ସ୍ଥାନ ମିଳୁନାହିଁ। ମୃତକ ମାନଙ୍କ ବୟସ ୨୯ରୁ ୯୮ବର୍ଷ ମଧ୍ୟରେ ରହିଛି।

ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ବୃଦ୍ଧି ପାଉଥିବାରୁ ଚିକିତ୍ସା ପାଇଁ ଗୁରୁତର ଅସୁସ୍ଥମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମାଲେସିଆରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଗତ ମଂଗଳବାର ଠାରୁ ଲକଡାଉନ୍ ଘୋଷଣା କରାଯାଇଛି।

ସେପଟେ, ଆଜି ଦେଶରେ ପୁଣି ୩ ହଜାର ଟପିଲା ମୃତକଙ୍କ ସଂଖ୍ୟା । ଦେଶରେ ଗତ ୨୪ ଘଣ୍ଟାରେ ୩ ହଜାର ୩୮୦ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଥିବା ରିପୋର୍ଟ ସାମ୍ନାକୁ ଆସିଛି । ଏହାକୁ ମିଶାଇ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୩ ଲକ୍ଷ ୪୪ ହଜାର ୮୨କୁ ବୃଦ୍ଧି ପାଇଛି ।

ଅନ୍ୟପଟେ ଏବେ ଦେଶରେ ୧୫ ଲକ୍ଷ ୫୫ ହଜାର ୨୪୮ ଆକ୍ଟିଭ କେସ ରହିଥିବା ବେଳେ ଏଯାଏଁ ସୁସ୍ଥ ହେଲେଣି ୨ କୋଟି ୬୭ ଲକ୍ଷ ୯୫ ହଜାର ୫୪୯ ଜଣ । ସେହିଭଳି ଏଯାବତ୍ ଦେଶରେ ୨୨ କୋଟି ୭୮ ଲକ୍ଷ ୬୦ ହଜାର ୩୧୭ ଡୋଜ୍ ଟିକାକରଣ କରାଯାଇଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମଧ୍ୟ ସୂଚନା ଦିଆଯାଇଛି ।

You might also like