ଜେଲରେ ସ୍ଥିତି ଗମ୍ଭୀର ! ଖୁବ୍‌ଶୀଘ୍ର ମୁକ୍ତି ପାଇବେ କଏଦୀ..

ନୂଆଦିଲ୍ଲୀ: ଜେଲରୁ ମୁକ୍ତି ପାଇବେ କଏଦୀ । କରୋନା କାଳରେ ଜେଲରେ ରହିଲେ କଏଦୀଙ୍କ ପାଇଁ ବିପଦ ରହିଛି। ତେଣୁ ତାଙ୍କୁ ତୁରନ୍ତ ଜାମିନ ପ୍ରଦାନ କରାଯିବା ଉଚିତ୍‌ । ଏଭଳି  ଏକ ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଛି । ସୁପ୍ରିମକୋର୍ଟ ନିଜେ ଏନେଇ ପଦକ୍ଷେପ ନେଇଛନ୍ତି । ଖୁବ୍‌ଶୀଘ୍ର ଏଥିପାଇଁ ଏକ କମିଟି ଗଠନ କରାଯିବ ଏବଂ କିଛି ନିର୍ଦ୍ଧିଷ୍ଟ ବର୍ଗର କଏଦୀଙ୍କୁ ତୁରନ୍ତ ଜାମିନ ପ୍ରଦାନ କରି ଜେଲରୁ ବିଦା କରାଯିବ । ତିହାର ଜେଲରେ ଏକାଥରେ ୧୯୦ ଜଣ କଏଦୀ କରୋନା ସଂକ୍ରମଣ ହେବା ସହ ଦୁଇ ଜଣଙ୍କ ମୃତ୍ୟୁ ହେବା ପରେ କଏଦୀଙ୍କୁ ଜାମିନ ପ୍ରଦାନ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ସୁପ୍ରିମକୋର୍ଟ କହିଛନ୍ତି, ଖୁବ୍‌ଶୀଘ୍ର ଏନେଇ ନୋଟିସ ଜାରି କରାଯିବ । ଗତବର୍ଷ ମଧ୍ୟ ଏହିଭଳି ଏକ ନିଷ୍ପତି ନିଆଯାଇଥିଲା । କିଛି ନିର୍ଦ୍ଧିଷ୍ଟ ନିୟମ କାନୁନ ଅନୁଯାୟୀ କଏଦୀଙ୍କୁ ଜେଲରୁ ବାହାର କରାଯାଇଥିଲା ।

ଶୁକ୍ରବାର ହୋଇଥିବା ଶୁଣାଣିରେ ସିଜେଆଇ ଏନ୍‌ ଭି ରମଣା କହିଛନ୍ତି ଯେ ସାମ୍ପ୍ରତିକ ପରିସ୍ଥିତି ଅତ୍ୟନ୍ତ ବିପଜ୍ଜନକ । କରୋନାର ଦ୍ୱିତୀୟ ଲହର ପୂର୍ବ ଅପେକ୍ଷା ଅଧିକ ଭୟଙ୍କର ହେବାର ସମ୍ଭାବନା ରହିଛି । ଗତ ଥର ଦାଖଲ ହୋଇଥିବା ଆବେଦନ ଗୁଡ଼ିକର ପୁନର୍ବିଚାର କରାଯିବା ଆବଶ୍ୟକ । ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ, ୨୩ ମାର୍ଚ୍ଚ ୨୦୨୦ରେ ଏକ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଗଠନ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହି କମିଟି ବନ୍ଦୀମାନଙ୍କୁ ମୁକ୍ତ କରିବା ପାଇଁ ଗାଇଡଲାଇନ ପ୍ରସ୍ତୁତ କରିଥିଲା ।

ଯେଉଁଭଳି ମାତ୍ରାରେ ଏବେ କରୋନା ସଂକ୍ରମଣ ବୃଦ୍ଧି ପାଉଛି, ଏହାକୁ ଦୃଷ୍ଟିରେ ରଖି ପୁଣି ଥରେ କମିଟି ଗଠନ କରାଯାଇପାରେ  ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏହାସହ ଜେଲ୍‌ରେ ଅଧିକ ଭିଡ଼ କାରଣରୁ ପରିସ୍ଥିତି ଅତ୍ୟନ୍ତ ଖରାପ ରହିଥିବା ମଧ୍ୟ କହିଛନ୍ତି । ତେଣୁ ଏଦିଗରେ ତୁରନ୍ତ ପଦକ୍ଷେପ ଜରୁରୀ ହୋଇପଡ଼ିଛି । ଗତ ଥର ମୁକ୍ତ ହୋଇଥିବା ୯୦ ପ୍ରତିଶତ କଏଦୀ ଫେରି ଆସିଛନ୍ତି । ତେଣୁ ଅଧିକାଂଶ ଜେଲ ଏବେ କଏଦୀରେ ଭର୍ତ୍ତି । ବରିଷ୍ଠ ଆଇନଜୀବୀ କଲିନ୍ ଗୋନ୍ସାଲଭେସ୍ ପରାମର୍ଶ ଦେଇଛନ୍ତି ଯେ, ଯେଉଁ କଏଦୀମାନଙ୍କୁ ଜାମିନରେ ମୁକ୍ତ କରାଯାଇଥିଲା ଆଉ ଏବେ ପୁଣି ଜେଲକୁ ଫେରି ଆସିଛନ୍ତି, ସେମାନଙ୍କୁ ତୁରନ୍ତ ନିୟମିତ ଜାମିନରେ ଛାଡି ଦିଆଯାଉ ।

ତିହାର ଜେଲରେ ୧୯୦ କଏଦୀ ଆକ୍ରାନ୍ତ

ରାଜଧାନୀ ଦିଲ୍ଲୀର ସବୁଠାରୁ ବଡ଼ ଜେଲ ହେଉଛି ତିହାର ଜେଲ । ତିହାର ଜେଲ କର୍ତ୍ତୃପକ୍ଷଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ୧୯୦ ଜଣ କଏଦୀ କରୋନା ସଂକ୍ରମିତ ହୋଇସାରିଛନ୍ତି । ସେଥିମଧ୍ୟରୁ ଦୁଇ ଜଣଙ୍କ କରୋନା ଯୋଗୁଁ ମୃତ୍ୟୁ ମଧ୍ୟ ହୋଇଛି । ଅନ୍ୟପଟେ ଏବେ  ସୁଦ୍ଧା ୧୨୧ ଜଣ କଏଦୀ କରୋନାରୁ ସୁସ୍ଥ ହୋଇସାରିଛନ୍ତି । ବର୍ତ୍ତମାନ ଦିଲ୍ଲୀର ଜେଲରେ ସକ୍ରିୟ ମାମଲା ସଂଖ୍ୟା ୬୭ ହଜାର ରହିଛି । ଯଦି ଜେଲ କର୍ମଚାରୀଙ୍କ ବିଷୟରେ କହିବା  ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ୩୦୪ ଣ ଜେଲର କର୍ମଚାରୀ କରୋନା ସଂକ୍ରମିତ ହୋଇସାରିଛନ୍ତି । ସେଥିମଧ୍ୟରୁ ୨୯୩ ଜଣ ସୁସ୍ଥ  ହୋଇସାରିଛନ୍ତି । ଆଉ ୧୧ ଜଣ ଏବେ ବି ପଜିଟିଭ ଅଛନ୍ତି । ଏହି ୧୧ ଜଣଙ୍କ ମଧ୍ୟରେ ମାଣ୍ଡୋଲି ଜେଲର ଜେଲ ଅଧୀକ୍ଷକ ଅନୀତା ଦୟାଲ ଏବଂ ଦୁଇଜଣ ଜେଲ ଡାକ୍ତର ମଧ୍ୟ ସାମିଲ ଅଛନ୍ତି ।

You might also like