ଚଳଚ୍ଚିତ୍ର ‘ଦ ଲିଷ୍ଟ ଅଫ୍ ଦିଜ୍’ଙ୍କୁ ନେଇ ଚର୍ଚ୍ଚା
୨୦ବର୍ଷ ତଳର ଗ୍ରାହାମ ଷ୍ଟେନ୍ସ ପୋଡ଼ି ଘଟଣା ଉପରେ ଆଧାରିତ ଫିଲ୍ମ
ପରଦାକୁ ଆସୁଛି ବହୁଚର୍ଚ୍ଚିତ ଖ୍ରୀଷ୍ଟିଆନ୍ ମିସୋନାରୀ ଗ୍ରାହାମ୍ ଷ୍ଟେନ୍ସ ହତ୍ୟାକାଣ୍ଡ ଉପରେ ଆଧାରିତ ଫିଲ୍ନ ‘ଦ ଲିଷ୍ଟ୍ ଅଫ୍ ଦିଜ୍’। ଉଭୟ ଭାରତୀୟ ଓ ବିଦେଶୀ କଳାକାରଙ୍କୁ ନେଇ ନିର୍ମିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅନୀଶ ଡାନିଏଲ୍।
ପ୍ରଥମେ ଆମେରିକା, ପରେ ଭାରତ ଓ ଅଷ୍ଟ୍ରେଲିଆରେ ଏହାର ରିଲିଜ୍ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ନିକଟରେ ରିଲିଜ ହୋଇଥିବା ଫିଲ୍ମର ଟ୍ରେଲର୍ ୨୦ ବର୍ଷ ତଳର ସେହି କାଳ ରାତିର ଘଟଣାକୁ ଦର୍ଶକଙ୍କ ମନରେ ପୁନର୍ଜୀବିତ କରିଛି।
୧୯୯୯ ମସିହା, ୨୨ ଜାନୁଆରୀର ଶୀତୁଆ ରାତି। କେନ୍ଦୁଝର-ମୟୂରଭଞ୍ଜ ସୀମାନ୍ତବର୍ତ୍ତୀ ମନୋହରପୁରରେ ଘଟିଗଲା ନିର୍ମମ ହତ୍ୟାକାଣ୍ଡ। କୁଷ୍ଠ ରୋଗୀଙ୍କ ସେବା ଆଳରେ ଆଦିବାସୀଙ୍କ ବେଆଇନ ଧର୍ମ ପରିବର୍ତ୍ତନ କରାଉଥିବା ସନ୍ଦେହରେ, ଅଷ୍ଟ୍ରେଲୀୟ ମିସୋନାରୀ ଗ୍ରାହାମ୍ ଷ୍ଟେନ୍ସ ଓ ତାଙ୍କ ଦୁଇ ପୁଅଙ୍କୁ ଗାଡ଼ି ଭିତରେ ଶୋଇଥିବା ଅବସ୍ଥାରେ ଜିଅନ୍ତା ଜାଳିଦେଲେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର କିଛି ଲୋକ।
ତେବେ କଣ ଥିଲା ହତ୍ୟାକାଣ୍ଡ ପଛର ରହସ୍ୟ? କଣ ଥିଲା ଷ୍ଟେନ୍ସ ଦମ୍ପତ୍ତିଙ୍କ ଉଦ୍ଦେଶ୍ୟ? ସେବା ନା ଧର୍ମାନ୍ତରୀକରଣ? ଏଭଳି କିଛି ପ୍ରଶ୍ନ ସହିତ ପରଦାକୁ ଆସୁଛି ଗ୍ରାହାମ୍ ଷ୍ଟେନ୍ସ ହତ୍ୟାକାଣ୍ଡ ଉପରେ ଆଧାରିତ ଫିଲ୍ନ ‘ଦ ଲିଷ୍ଟ୍ ଅଫ୍ ଦିଜ୍’ (THE LEAST OF THESE)
ଭାରତୀୟ ନିର୍ଦ୍ଦେଶକ ଅନୀଶ ଡାନିଏଲ୍ଙ୍କ ନିର୍ଦ୍ଦେଶିତ ଏହି ଫିଲ୍ନରେ ଓଲିଉଡ୍ ଅଭିନେତା ମନୋଜ ମିଶ୍ରଙ୍କ ସହ ବଲିଉଡ୍ କଳାକାର ସରମାନ୍ ଯୋଶୀ ଓ ପ୍ରକାଶ ବେଲାଓ୍ୱାଡ଼ି ପ୍ରମୁଖ ଅଭିନୟ କରିଛନ୍ତି। ତେବେ ଷ୍ଟେନ୍ସ ଦମ୍ପତ୍ତି ଭାବେ ନଜର ଆସିବେ ଷ୍ଟିଫେନ୍ ବାଲ୍ଡଓ୍ୱିନ୍ ଓ ଶାରି ରିଗ୍ବି। ଥ୍ରୀ-ଇଡିୟଟ୍ ଫେମ୍ ସର୍ମାନ ଯୋଶୀଙ୍କୁ ଏଥିରେ ସାମ୍ବାଦିକ ଭୂମିକାରେ ଦେଖିବାକୁ ମିଳିବ।
ନିକଟରେ ଇଂରାଜୀରେ ରିଲିଜ୍ ହୋଇଥିବା ଏହାର ଟ୍ରେଲର୍ରେ ଓଡ଼ିଶାର ଆଦିବାସୀ ସଂସ୍କୃତିର ଛାପ ମଧ୍ୟ ଦେଖିବାକୁ ମିଳୁଛି। ଆସନ୍ତା ଫେବୃୟାରୀ ୧ରେ ଏହା ଆମେରିକାରେ ରିଲିଜ୍ ହେବାକୁ ଥିବା ବେଳେ ଭାରତରେ ମାର୍ଚ୍ଚ ଆଡ଼କୁ ରିଲିଜ ହେବ ବୋଲି ସୂଚନା ମିଳିଛି।
ଏହି ହତ୍ୟାକାଣ୍ଡରେ ପ୍ରାୟ ୫୦ ଜଣ ଲୋକ ସାମିଲ ଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଦାରା ସିଂକୁ ୨୦୧୧ରେ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ ସୁପ୍ରିମକୋର୍ଟ।