ସରକାରଙ୍କୁ ୭୨ ଘଣ୍ଟିଆ ମହଲତ ଦେଲା ବିଜେପି

ଚାଷୀ ଆନ୍ଦୋଳନକୁ ଆହୁରି ତୀବ୍ର କଲା ବିଜେପି

ଭୁବନେଶ୍ୱର: ଧାନ ସଂଗ୍ରହର ଅବ୍ୟବସ୍ଥାକୁ ନେଇ ସମ୍ବଲପୁରରେ ଚାଷୀ ଆନ୍ଦୋଳନକୁ ଆହୁରି ତୀବ୍ର କଲା ବିଜେପି। ଗତକାଲି ରାତି ସାରା ଦଳୀୟ ନେତା ଥାନାରେ ବସି ରହିବା ପରେ ଥାନା ବାହାରେ ପୋଲିସ୍ ସହ ଦଳୀୟ କର୍ମୀ ମୁହାଁମୁହିଁ ହେବାରୁ ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ହୋଇଥିଲା। ତେବେ ପରେ ଆରଡିସିଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ ପାଇଁ ୭୨ ଘଣ୍ଟାର କଣ୍ଟ ଦେଇଛି ବିଜେପି। ଏପଟେ ବିଜେପିର ଆନ୍ଦୋଳନକୁ ବିଜେଡି ଡ୍ରାମା ବୋଲି କହିଥିଲା ବେଳେ, କଂଗ୍ରେସ ଉଭୟ ବିଜେପି ଓ ବିଜେଡି ଉପରେ ବର୍ଷିଛି।

ଠେଲାପେଲା…ଧସ୍ତାଧସ୍ତି…ଆଜି ଏମିତି କିଛି ଚିତ୍ର ଦେଖିବାକୁ ମିଳିଥିଲା ସମ୍ବଲପୁର ଟାଉନ ଥାନା ସାମ୍ନାରେ। ଗତକାଲି ଆର୍ଡିସି ଅଫିସ୍ ସାମ୍ନାରେ ଯାହା ହୋଇଥିଲା ଆଜି ଟାଉନ୍ ଥାନା ସମ୍ମୁଖରେ ତାର ରିପିଟ ହେଲା। କହିବାକୁ ଗଲେ ତାହାଠାରୁ ବି ଅଧିକ ଉତ୍ତେଜନାପୂର୍ଣ୍ଣ ସ୍ଥିତି। ଥାନା ଭିତରେ ବିଜେପି ନେତା, ଥାନା ବାହାରେ ବିଜେପି କର୍ମୀ। ମଣ୍ଡି ଅବ୍ୟବସ୍ଥା ନେଇ ଗତକାଲି ରାତି ତମାମ୍ ଟାଉନ ଥାନାରେ ଧାରଣା ଦେବା ପରେ ଆଜି ବିଜେପି କର୍ମୀ ଥାନାକୁ ପ୍ରବେଶ ଉଦ୍ୟମ କରିବାରୁ ସୃଷ୍ଟି ହୋଇଥିଲା ଏଭଳି ସ୍ଥିତି।

ଥାନା ସମ୍ମୁଖରେ ବେଶ୍ କିଛି ସମୟର ଧସ୍ତାଧସ୍ତି ପରେ ଦଳୀୟ ନେତା ଓ କର୍ମୀ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣାରେ ବସି ନାରାବାଜି କରିବା ସାଙ୍ଗକୁ ସରକାରଙ୍କ ଉପରେ ବର୍ଷିଥିଲେ। ଜିଦ୍ ଥିଲା ମଣ୍ଡିରୁ ଧାନ ଉଠିଲେ ଥାନାରୁ ଉଠିବେ ନହେଲେ ନାଇଁ। ତେବେ ପ୍ରଥମେ ଜିଲ୍ଲାପ୍ରଶାସନର ଟିମ୍ ଓ ପରେ ଆର୍ଡିସିଙ୍କ ସହ ଆଲୋଚନା ପରେ ସମସ୍ୟା ସମାଧାନ ପାଇଁ ସରକାରଙ୍କୁ ୭୨ ଘଣ୍ଟିଆ ମହଲତ ଦିଆଯାଇଛି। ସେ ପର୍ଯ୍ୟନ୍ତ ଆନ୍ଦୋଳନକୁ ସ୍ଥଗିତ ରଖିବା ବିଷୟ ଘୋଷଣା କଲା ପ୍ରତିନିଧି ଦଳ।

ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ଯେ, ମଣ୍ଡିରେ ଧାନ ପଡ଼ିଛି। ଧାନ ଉଠାଇବା କଥା ସରକାର ଚିନ୍ତା କାହିଁକି କରୁନାହାନ୍ତି? ଧାନ ଉଠାଇବାର ନିଷ୍ପତ୍ତି ନେଲେ ଆମେ ଉଠିବୁ ହୋଲି ସମୀର କହିଛନ୍ତି। ସେପଟେ ବରଗଡ଼ ସାଂସଦ ସୁରେଶ ପୂଜାରୀ କହିଛନ୍ତି ଯେ, ସରକାରଙ୍କ ସହ ଆଲୋଚନା କରିବାକୁ ଆମେ ଆସିଥିଲୁ। ଆମେ ଥାନାରେ ଅଛୁ, ସେମାନେ ଭାବୁଛନ୍ତି ଆମେ ଗିରଫ ଭୟରେ ପଳାଇବୁ। କିନ୍ତୁ ଯେ ପର୍ଯ୍ୟନ୍ତ ଚାଷୀଙ୍କ କଥା ଶୁଣାଯାଇନାହିଁ ସେ ପର୍ଯ୍ୟନ୍ତ ଆମେ ଆନ୍ଦୋଳନ କରିବୁ ବୋଲି ସୁରେଶ କହିଛନ୍ତି।

ଏପଟେ ଧାନମଣ୍ଡିରେ ଅବ୍ୟବସ୍ଥାକୁ ନେଇ କଂଗ୍ରେସ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିଶାନା କରିଥିଲା ବେଳେ, ବିଜେପିର ଆନ୍ଦୋଳନକୁ ଡ୍ରାମା ବୋଲି କହିଛି ବିଜେଡି।

ଧାନ ସଂଗ୍ରହ ପରଠୁ ରାଜ୍ୟର ପ୍ରାୟ ସବୁ ମଣ୍ଡିରେ ସାମ୍ନାକୁ ଆସିବାରେ ଲାଗିଛି ଅବ୍ୟବସ୍ଥାର ପୁଳାପୁଳା ଚିତ୍ର। ଚାଷୀ ହନ୍ତସନ୍ତ ହେଉଥିଲା ବେଳେ ରାଜନୀତି ବି ଜୋର୍ ଧରିଛି।

ସମ୍ବଲପୁରରୁ ସହ ଦେବେନ୍ଦ୍ର ବେହାରା, ସଂଜୟ ଜେନା ଓ ଭୁବନେଶ୍ୱରରୁ ହରିହର ଚାନ୍ଦଙ୍କ ରିପୋର୍ଟ

You might also like