ନିଆଁ ଲିଭାଇବାକୁ କି ପଦକ୍ଷେପ ନେଉଛନ୍ତି ସରକାର? ଆଜିର ବର୍ଷା ଲିଭାଇଛି କି ନିଆଁ?

ବାରିପଦା: ଓଡ଼ିଶାରେ କେମିତି କାବୁ ହେବ ଜଙ୍ଗଲ ନିଆଁ ? ରାଜ୍ୟବ୍ୟାପୀ ଦାଉ ଦାଉ ଜଳୁଥିବା ବନାଗ୍ନିର ଧାସ ଆଜି ଦିଲ୍ଲୀ ଛୁଇଁଛି। ସଂସଦ ଭବନରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଭେଟି ସ୍ଥିତି ସଂପର୍କରେ ଅବଗତ କରିଛନ୍ତି, ଆଉ ଉଦବେଗ ବାଢ଼ିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ରାଜ୍ୟର ସବୁ ବିଜେପି ସାଂସଦ। ଟୁଇଟ୍ କରି ଧର୍ମେନ୍ଦ୍ର କହିଛନ୍ତି, କେବଳ ଶିମିଳିପାଳ ନୁହେଁ, ରାଜ୍ୟର ସବୁ ସମ୍ବେଦନଶୀଳ ଜଙ୍ଗଲରେ ନିଆଁକୁ ଆୟତ୍ତ କରିବା ଏବଂ ଏହାର ପୁନରାବୃତ୍ତି ନହେବା ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରାଯାଇଛି। ପରେ ଗଣମାଧ୍ୟମକୁ ସାଂସଦ ସୁରେଶ ପୂଜାରୀ ଜଙ୍ଗଲ ନିଆଁ ପଛରେ ମନୁଷ୍ୟକୃତ ଷଡ଼ଯନ୍ତ୍ରର ଥିଓରୀ ରଖିଛନ୍ତି।

ସେ ଭିତରେ ଜଙ୍ଗଲ ତସ୍କରୀ ଓ ହାତୀ ଶିକାର ସାଙ୍ଗକୁ କାମ୍ପା ପାଣ୍ଠି ବାଟମାରଣା ପାଇଁ ବି ନିଆଁର ସାହାରା ନିଆଯାଇଥାଇ ପାରେ ବୋଲି ଅଭିଯୋଗ କରିଛନ୍ତି ସୁରେଶ। ତେବେ ସାଂସଦଙ୍କୁ ଭେଟିବା ପରେ ଜଙ୍ଗଲ ନିଆଁ ସ୍ଥିତିର ଅନୁଧ୍ୟାନ ପାଇଁ ଖୁବଶୀଘ୍ର କେନ୍ଦ୍ରୀୟ ଏକ୍ସପର୍ଟ ଟିମ୍ ଓଡ଼ିଶା ଆସୁଥିବା ନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଜାଭଡେକର।

ଏପଟେ ଆଜି ବି ରାଜ୍ୟର ୧୭ଟି ଜିଲ୍ଲାରେ ହୁତୁହୁତୁ ହୋଇଛି ଜଳୁଛି ଜଙ୍ଗଲ। ବନାଗ୍ନିର ତାଣ୍ଡବରେ ପୋଡିଯାଉଛି ବୃକ୍ଷଲତା, ବିଗିଡ଼ି ଚାଲିଛି ପରିବେଶ ସନ୍ତୁଳନ। ନିଆଁକୁ କାବୁ କରିବାକୁ ବନ ଓ ଅଗ୍ନିଶମ କର୍ମଚାରୀଙ୍କ ଆପାଣ ଚେଷ୍ଟା ସତ୍ତ୍ୱେ ମାଡ଼ି ମାଡ଼ି ଚାଲିଛି ଜଙ୍ଗଲ ନିଆଁ। ଦେବଗଡ଼ ବନଖଣ୍ଡରେ ଗଲା ୧୦ ଦିନ ଧରି ବନଖଣ୍ଡର ପ୍ରାୟ ସବୁ ଜଙ୍ଗଲରେ ନିଆଁ ସାଙ୍ଗକୁ ପ୍ରଚଣ୍ଡ ଧୂଆଁରେ ଆକଚାମାକଚା  ହେଉଛନ୍ତି ଜୀବଜନ୍ତୁ ଓ ଜଙ୍ଗଲ ପାଖ ଗାଁ ବାସିନ୍ଦା।

ହେଲେ ଏ ଭିତରେ ଆଶ୍ୱସ୍ତିର ଖବର ଆଣିଛି ବର୍ଷା। ମୟୂରଭଞ୍ଜ କରଞ୍ଜିଆ ବଜାର ଆଖପାଖ ଅଞ୍ଚଳରେ ବେଶ୍ କିଛି ସମୟ ଧରି ଭଲ ବର୍ଷା ହୋଇଛି। ହେଲେ ଏ ବର୍ଷା ବନାଗ୍ନି କବଳରେ ଥିବା ଶିମିଳିପାଳରେ କଣ ପ୍ରଭାବ ପକାଇଛି ତାହା ସ୍ପଷ୍ଟ ହୋଇ ନାହିଁ। ତେବେ ଉପଗ୍ରହ ଚିତ୍ରରୁ ଶିମିଳିପାଳରେ ଲାଗିଥିବା ନିଆଁ ସଂପୂର୍ଣ୍ଣ ଆୟତ୍ତାଧୀନ ବୋଲି କହିଛନ୍ତି ଟାସ୍କଫୋର୍ସ ମୁଖ୍ୟ ସନ୍ଦୀପ ତ୍ରିପାଠୀ। ଅପରପକ୍ଷେ ରାଜ୍ୟବ୍ୟାପୀ ଜଙ୍ଗଲ ନିଆଁର ସ୍ଥିତିକୁ ଦେଖି ରାଜ୍ୟ ସରକାର ଆଜି ଫିଲ୍ଡ ସ୍ତରରେ କାମ କରୁଥିବା ସବୁ ଜଙ୍ଗଲ ଅଧିକାରୀଙ୍କ ଛୁଟି ବାତିଲ କରିଛନ୍ତି।

ଏପଟେ ଶିମିଳିପାଳ ପାଇଁ ଆଜି ମୟୂରଭଞ୍ଜର ବିଭିନ୍ନ ସ୍ଥାନରେ ରାଜରାସ୍ତାରେ ଜଳିଛି ପ୍ରତିବାଦର ନିଆଁ। ଏସିଆ ମହାଦେଶର ଦ୍ୱିତୀୟ ବୃହତ ଜୈବମଣ୍ଡଳ ଶିମିଳିପାଳକୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ଫେଲ୍ ମାରିଥିବା ଅଭିଯୋଗରେ ଆଜି ସକାଳୁ ୯ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ପାଳନ କରିଛି ଭଞ୍ଜସେନା ସଂଗଠନ।

You might also like