କ୍ୟାନ୍ସର ପୀଡ଼ିତ ବାପାଙ୍କୁ ସ୍ୱର୍ଣ୍ଣ ପଦକ ଉତ୍ସର୍ଗ କଲେ ଏହି ଆଥ୍‌ଲେଟ୍‌

ନୂଆଦିଲ୍ଲୀ: କ୍ୟାନ୍ସର୍‌ ସହ ଯୁଝୁଥିବା ମୋ ବାପା କହିଥିଲେ, “ ତୁମେ ଆଗକୁ ବଢ଼, ଯାହା ହେବ ଦେଖାଯିବ” ଏଥିପାଇଁ ଏସିଆନ ଗେମ୍ସର ଏହି ଗୋଲ୍ଡ ମେଡାଲ ମୋ ପିତା ଓ ମୋ ପରିବାରକୁ ସମର୍ପିତ। ଏସିଆନ୍‌ ଗେମ୍ସରେ ଶଟ୍‌ଫୁଟ୍‌ରେ ସ୍ୱର୍ଣ୍ଣ ଜିତିବା ପରେ ଏହା ଥିଲା ଭାରତୀୟ ଆଥ୍‌ଲେଟ ତଜିନ୍ଦର ସିଂ ପାଲ୍‌ଙ୍କ ମନର କଥା।

ଏକ ଇଣ୍ଟରଭିୟୁରେ ସେ ତାଙ୍କ ଖେଳ ଜୀବନ ସହ ଜଡ଼ିତ ଅନେକ କଥା ସାମ୍ନାକୁ ଆଣିଛନ୍ତି। ଗୋଲ୍ଡ ମେଡାଲକୁ ପିତା କରମ ସିଂଙ୍କୁ ସମର୍ପଣ କରିବା ସହିତ ସେ କହିଛନ୍ତି, “ମୋ ପିତା ବିଗତ ଦୁଇ ବର୍ଷ ହେବ କ୍ୟାନ୍ସରରେ ଆକ୍ରାନ୍ତ ଅଛନ୍ତି। କିନ୍ତୁ ସେ ମତେ କେବେ ବି ମେଡିସିନ୍‌ ଆଣିବାକୁ ଡାକ୍ତରଖାନକୁ ପଠାଇନାହାନ୍ତି। ସେ ସବୁବେଳେ କୁହନ୍ତି ତୁମେ ତୁମ ପ୍ରାକ୍ଟିସ୍‌ କର। ଆଗକୁ ଚିନ୍ତା କରନି”।

ତଜିନ୍ଦର ସିଂ ପାଲ୍‌ ତାଙ୍କ କୋଚ୍‌ ମହେନ୍ଦ୍ର ସିଂ ଢିଲେନ୍‌ଙ୍କ ମାର୍ଗଦର୍ଶନରେ ଅଭ୍ୟାସ କରି ପୁରୁଷ ବର୍ଗ ଶଟଫୁଟ୍‌ରେ ଏସିଆନ୍‌ ରେକର୍ଡ ସହ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେ ୨୦.୭୫ ମିଟର ସହିତ ଭାରତର ତ୍ରିରଙ୍ଗା ଉଚ୍ଚା କରିଛନ୍ତି। ଭାରତୀୟ ନୌସେନାରେ କାମ କରୁଥିବା ପଞ୍ଜାବର ତଜିନ୍ଦର ପାଲ୍‌ ପୂର୍ବବର୍ଷ ଭୁବନେଶ୍ୱରରେ ହୋଇଥିବା ଏସିଆନ୍‌ ଆଥଲେଟକ୍ସି ଚାମ୍ପିୟନସିପ୍‌ରେ ମଧ୍ୟ ରୌପ୍ୟ ପଦକ ଜିତିଥିଲେ।

ତଜିନ୍ଦର ପାଲ୍‌ ପଦକ ଜିତିବା ପରେ ମିଡିଆକୁ କହିଛନ୍ତି, ସେ ପ୍ରଥମେ କ୍ରିକେଟର ହେବାକୁ ଚାହୁଁଥିଲେ। କିନ୍ତୁ ତାଙ୍କ ବାପା ତଜିନ୍ଦରଙ୍କୁ ଆଥଲେଟିକ୍ସ ଆଡକୁ ଯିବାପାଇଁ ପ୍ରେରଣା ଦେଇଥିଲେ। ସେ କହିଛନ୍ତି।, “ମୁଁ ଗାଁରେ କ୍ରିକେଟ୍‌ ଖେଳୁଥିବା ସମୟରେ ମୋ ବାପା ମତେ ଅନ୍ୟ କିଛି ଖେଳିବାକୁ କହିଥିଲେ । ସେହି ସମୟରେ ମୋ ଦାଦା ଗୁରୁଦେବ ସିଂ ପଥର ଫିଙ୍ଗା ଖେଳ ଖେଳୁଥିଲେ। ମୁଁ ବି ତାଙ୍କ ସହ ଅଭ୍ୟାସ କଲି। ସେଥିପାଇଁ ସେ ମୋର ପ୍ରଥମ ଗୁରୁ”।

You might also like