ଲକ୍ଷ୍ନୌ: ତାଜମହଲରୁ ମିଳିଲାନି ବୋମା। ପ୍ରେମର ପ୍ରତୀକ ତାଜମହଲ ପରିସରରେ ବୋମା ଥିବା ଖବର ସମ୍ପୂର୍ଣ୍ଣ ମିଛ । ଛାନଭିନ ପରେ ପୁଣି ଥରେ ତାଲମହଲକୁ ପର୍ଯ୍ୟଟକଙ୍କ ପାଇଁ ଖୋଲି ଦିଆଯାଇଛି। ବର୍ତ୍ତମାନ ପରିସ୍ଥିତି ସ୍ୱାଭାବିକ ହୋଇଛି। ତାଜମହଲ ପରିସରରୁ କୌଣସି ବିସ୍ଫୋରକ ସାମଗ୍ରୀ ମିଳି ନଥିବା ସୂଚନା ଦେଇଛନ୍ତି ଆଗ୍ରା ଜୋନ୍‌ ଏଡିଜି। ଫୋନ ଯୋଗେ ମିଥ୍ୟା ଖବର ଦେଇଥିବା ବ୍ୟକ୍ତିଙ୍କୁ ପୋଲିସ ବର୍ତ୍ତମାନ ଗିରଫ କରିଛି ଏବଂ ତାଙ୍କୁ ପଚରାଉଚରା କରାଯାଉଛି।  ବୋମା ଥିବାର ଖବର ମିଳିବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ସିଆଇଏସଏଫ୍ ଟିମ୍ ।

ବୋମା ଫୁଟିବ ବୋଲି କେହି ଜଣେ ପୁଲିସକୁ ଫୋନ୍‌ କରିବାରୁ ଆଜି ସକାଳ ସମୟରେ ପର୍ଯ୍ୟଟକଙ୍କୁ ତାଜମହଲ ପରିସରରୁ ସ୍ଥାନାନ୍ତର କରାଯାଇଥିଲା। ତୁରନ୍ତ ବମ ସ୍କ୍ୱାର୍ଡଙ୍କୁ ଡକାଯାଇ ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା। ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ତାଜମହଲର ସବୁ ଫାଟକ ବନ୍ଦ କରି ଦିଆଯାଇଥିଲା। ନିକଟସ୍ଥ ଅଞ୍ଚଳର ସୁରକ୍ଷା ବ୍ୟବସ୍ଥା ମଧ୍ୟ ବଢ଼ାଇ ଦିଆଯାଇଥିଲା। ତେବେ ଏହାକୁ ନେଇ ପର୍ଯ୍ୟଟକ ଏବଂ ସିଆଇଏସଏଫ୍ ମଧ୍ୟରେ କଥା କଟାକଟି ହୋଇଥିଲା।

ଫିରୋଜବାଦରୁ ଜଣେ ବ୍ୟକ୍ତି ଫୋନ୍ କରି ତାଜମହଲରେ ବୋମା ଥିବା କଥା କହିଥିଲେ। କେବଳ ଏତିକି ନୁହେଁ ଖୁବଶୀଘ୍ର ବୋମା ଫାଟିବ ବୋଲି ମଧ୍ୟ କହିଥିଲା ଦୁର୍ବୃତ୍ତ। ତେବେ ଛାନଭିନ୍ ପରେ ବୋମା ନମଳିବା ପରେ ପ୍ରଥମେ ଫୋନ କରିଥିବା ଯୁବକର ଫୋନ ଟ୍ରେସ କରାଯାଇଥିଲା। ଏବେ ସଂପୃକ୍ତ ବ୍ୟକ୍ତିକୁ ଗିରଫ କରିଛି ପୋଲିସ। ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ, ଏବେ ମାମଲାର ଯାଞ୍ଚ ଚାଲିଛି ବୋଲି ଏସପି କହିଛନ୍ତି।  ଯୁବକକୁ ପଚରାଉଚୁରା କରିବାକୁ, ସେ କହିଛନ୍ତି ଚାକିରୀ ନମିଳିବାରୁ ସେ ବହୁତ ଚିନ୍ତିତ ଥିଲା । ତେଣୁ ଏପରି ଏକ ଫୋନ କଲ କରିଦେଇଥିଲା। ତେବେ ଏ ଘଟଣାରେ କେତେ ସତ୍ୟତା ରହିଛି ତାହା ପରେ ଜଣାପଡ଼ିବ। ତେବେ ସୁରକ୍ଷା ବ୍ୟବସ୍ଥା ଯାଂଚ ପରେ କୌଣସି ଭୟ ନଥିବା ଦର୍ଶାଇ ତାଜମହଲ ପୁଣି ଖୋଲି ଦିଆଯାଇଛି।

Other Stories