ଦିଲ୍ଲୀରେ ପହଞ୍ଚିଲା କରୋନା ଭାଇରସ୍‌; ଡାକ୍ତରଖାନାରେ ଭର୍ତ୍ତି ହେଲେ ୩ ସନ୍ଦିଗ୍ଧ

ନୂଆଦିଲ୍ଲୀ: ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ସନ୍ଦିଗ୍ଧ ୩ ଜଣଙ୍କୁ ଭର୍ତ୍ତି କରାଯାଇଛି। ସେମାନେ କୋରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ଅନୁମାନ କରାଯାଉଛି। ତିନଜଣଙ୍କୁ ବିଶେଷ ୱାର୍ଡରେ ରଖାଯାଇଛି। ଏଏନଆଇ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ,  ହସ୍‌ପିଟାଲର ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ୍‌ ମୀନାକ୍ଷି ଭରଦ୍ୱାଜ ଏହି ସୂଚନା ଦେଇଛ୍ତି।

ଛତିଶଗଡ଼ରେ ମଧ୍ୟ ଜଣେ ସନ୍ଦିଗ୍ଧ କରୋନା ଭୂତାଣୁ ସଂକ୍ରମଣ ଶିକାର ହୋଇଥିବା ସନ୍ଦେହ କରାଯାଉଛି । ଦିଲ୍ଲୀ, ଛତିଶଗଡ଼ ସମେତ ଦେଶର ୮ଟି ରାଜ୍ୟରେ କରୋନା ଭୂତାଣୁ ସଂକ୍ରମଣ ସନ୍ଦେହରେ ୧୦୦ ଜଣେ ରୋଗୀ ଡାକ୍ତରଙ୍କ ନୀରିକ୍ଷଣରେ ଅଛନ୍ତି।କରୋନା ଭାଇରସ ସଂକ୍ରମଣରେ ଚୀନରେ ବର୍ତ୍ତମାନ ସୁଦ୍ଧା ୧୦୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗତକାଲି ରାଜଧାନୀ ବେଜିଂରେ ଜଣକର ମୃତ୍ୟୁ ଘଟିଛି।  ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଉହାନ ଅଂଚଳ ।

ଉହାନ ଅଂଚଳରେ ମେଡିକାଲ ଅଧ୍ୟୟନ କରୁଥିବା ଶତାଧିକ ଭାରତୀୟ ଛାତ୍ର ରହୁଛନ୍ତି । ଭାରତୀୟଙ୍କୁ ଉଦ୍ଧାର ଲାଗି କେନ୍ଦ୍ରର ବୈଦେଶିକ ବ୍ୟାପାର ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ପ୍ରୟାସ ଜାରି ରହିଛି । ଉହାନରୁ ୨୫୦ ଭାରତୀୟଙ୍କୁ ଆଣିବାକୁ ମୁମ୍ବାଇରୁ ଯିବ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ। ଉହାନ ଏୟାରପୋର୍ଟ ପକ୍ଷରୁ ଅନୁମତି ପରେ ଭାରତୀୟଙ୍କୁ ସେଠାରୁ ଅଣାଯିବ।

ସେପଟେ ଭାରତକୁ ଚୀନରୁ ଆସୁଥିବା ଯାତ୍ରୀଙ୍କ ଉପରେ ନଜର ରଖିଛନ୍ତି ସରକାର।  ଏବେ ସୁଦ୍ଧା ୧୫୫ଟି ବିମାନର ମୋଟ ୩୩ ହଜାର ୫୫୨ ଯାତ୍ରୀଙ୍କ ସ୍କ୍ରିନିଂ କରାଯାଇଛି । ସୋମବାର ୧୮ଟି ବିମାନରେ ଆସିଥିବା ୪ ହଜାର ୩୫୯ ଛାତ୍ରୀଙ୍କ ଯାଞ୍ଚ କରାଯାଇଥିଲା । ୧୨ ଜଣ ଯାତ୍ରୀଙ୍କ ନମୁନାକୁ ପୁଣେ ସ୍ଥିତ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଭାଇରଲୋଜିକୁ ପଠାଯାଇଛି। ନେପାଳ ସୀମାରୁ ଭାରତକୁ ପ୍ରବେଶ କରୁଥିବା ଲୋକଙ୍କୁ ମଧ୍ୟ ଯାଞ୍ଚ କରାଯାଉଛି ।

ବିହରର ଛପରାରେ ଚୀନ୍‌ରୁ ଫେରିଥିବା ଜଣେ ଯୁବତୀଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ପରେ ତାଙ୍କୁ ପାଟନା ସ୍ଥାନାନ୍ତର କରାଯାଇଛି।

You might also like