• translate
Rajalaxmi Sahoo

ମୁମ୍ବାଇ(ସୁରେଶ ଦାଶ): ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ଘଟଣାରେ ଫିଲ୍ଲ ନିର୍ମାତା ଶେଖର କପୁର ଇ-ମେଲ ମାଧ୍ୟମରେ ମୁମ୍ବାଇ ପୋଲିସକୁ ତାଙ୍କର ବୟାନ ପଠାଇଛନ୍ତି।ଶେଖର, ମୁମ୍ବାଇରେ ନ ଥିବାରୁ ସେ ତାଙ୍କ ବୟାନକୁ ଇ-ମେଲ ମାଧ୍ୟମରେ ପଠାଇଥିବା ଜଣାପଡ଼ିଛି। ସେ ଏବେ ଉତ୍ତରାଖଣ୍ଡରେ ଅଛନ୍ତି।କରୋନା ଯୋଗୁ ମୁମ୍ବାଇ ଫେରି ନ ପାରିବାରୁ ସେ  ଇ-ମେଲ ମାଧ୍ୟମରେ ତାଙ୍କର ବୟାନ ପଠାଇଛନ୍ତି। ତେବେ ଏହି ବୟାନରେ ଶେଖର ଏମିତି କିଛି କଥା କହିଛନ୍ତି ଯାହା ସମସ୍ତଙ୍କୁ ଚକିତ କରିଛି।

ଶେଖର ତାଙ୍କ ବୟାନରେ କହିଛନ୍ତି, "ଫିଲ୍ମ 'ପାନି' ଯଶରାଜ ଫିଲ୍ମ ଦ୍ୱାରା ନିର୍ମିତ ହେବାପାଇଁ ଯୋଜନା ହୋଇଥିଲା ଓ ଫିଲ୍ମରେ ସୁଶାନ୍ତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହି ଫିଲ୍ମର ପ୍ରଡକ୍ସନ୍ ପାଇଁ ମୁଁ ଅନେକ ଥର ଯଶରାଜ ଫିଲ୍ମ ପରିଦର୍ଶନ କରୁଥିଲି। ଏହି ସମୟରେ ସୁଶାନ୍ତଙ୍କ ସହ ମୋର ସାକ୍ଷାତ ହୋଇଥିଲା। ଏହାପରେ ଆମେ  ଯୋଗାଯୋଗରେ ଥିଲୁ। ୨୦୦୦ରେ ଯଶରାଜ ଫିଲ୍ମ ଏହି ଫିଲ୍ମ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲା। ୨୦୧୩ରେ ଫିଲ୍ମର ପ୍ରଡକ୍ସନ୍ ଆରମ୍ଭ ହୋଇଥିଲା ଓ ଏହାର ପରବର୍ତ୍ତୀ ଦୁଇରୁ ତିନି ବର୍ଷ ମଧ୍ୟରେ ଫିଲ୍ମର ଶୁଟିଂ ଆରମ୍ଭ ହୋଇଥିଲା।ଏପରିକି ଫିଲ୍ମର ପ୍ରି-ପ୍ରଡକ୍ସନ ପାଇଁ ପ୍ରାୟ ୭ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ଓ ଫିଲ୍ମରେ ସୁଶାନ୍ତ 'ଗୋରା' ଭୂମିକା ନିଭାଇ ଥିଲେ। ଏହି ଭୂମିକାରେ ଅଭିନୟ କରି କିପରି ଭାବରେ ଦର୍ଶକଙ୍କ ମନ ଜିତି ପାରିବେ ସେନେଇ ସୁଶାନ୍ତ ପୂରାପୂରି ଚେଷ୍ଟା କରୁଥିଲେ। ଯାହା ପ୍ରମାଣ କରିଥିଲା ଯେ, ସୁଶାନ୍ତ ଅଭିନୟ ପାଇଁ କେତେ ପାଗଳ ଥିଲେ।"

ଶେଖର ଆହୁରି କହିଛନ୍ତି, "ଆଦିତ୍ୟ ଚୋପ୍ରା ଏବଂ ମୁଁ ପରେ ଏହି ଫିଲ୍ମ ନିର୍ମାଣର କିଛି ବିଷୟ ଉପରେ ସହମତ ହୋଇ ନ ଥିଲୁ। ଏହାପରେ ଫିଲ୍ମ ନିର୍ମାଣ ହେବ ନାହିଁ ବୋଲି ସୁଶାନ୍ତ ଜାଣିବା ପରେ ଦୁଃଖିତ  ଥିଲେ। ବାସ୍ତବରେ ଏହି ଫିଲ୍ମରେ ସୁଶାନ୍ତଙ୍କ  ଭୂମିକା ପ୍ରମୁଖ ଥିଲା"।

ଶେଖର କହିଛନ୍ତି, "ଦିନେ ସନ୍ଧ୍ୟାରେ ସୁଶାନ୍ତ ମୋ ଘରକୁ ଆସିଥିଲେ ଓ ବହୁତ କାନ୍ଦିଥିଲେ। ଏହାପରେ ମୁଁ ମଧ୍ୟ କାନ୍ଦିବା ଆରମ୍ଭ କରିଥିଲି।ଫିଲ୍ମଟି ନିର୍ମାଣ ନ ହୋଇପାରିବାରୁ ତାଙ୍କୁ ବହୁତ ଆଘାତ ଲାଗିଥିଲା। ସେ ଡିପ୍ରେସନରେ ମଧ୍ୟ ଥିଲେ। ଯେତେବେଳେ ମୁଁ ଏହା ଅନୁଭବ କଲି, ସୁଶାନ୍ତଙ୍କୁ ବହୁତ ବୁଝାଇବାକୁ ଚେଷ୍ଟା କରିଥିଲି।ମୁଁ ତାଙ୍କୁ ଏହା ମଧ୍ୟ କହିଥିଲି ଯେ, ଆପଣ ନିଶ୍ଚିତ ଭାବରେ ଏହି ଫିଲ୍ମ କରିବେ। ଏଥିପାଇଁ ମୁଁ ଚେଷ୍ଟା କରିବି। ଆପଣ କେବଳ ସଠିକ୍ ସମୟକୁ ଅପେକ୍ଷା କରନ୍ତୁ। ନିରାଶ ହୁଅନ୍ତୁ ନାହିଁ।"

ଶେଖର କହିଛନ୍ତି, "ଏହି ଘଟଣାର କିଛି ଦିନ  ପରେ ମୁଁ ଲଣ୍ଡନ ଯାଇଥିଲି। ଏହି ସମୟରେ  ସୁଶାନ୍ତ ମୋ ସହ ଯୋଗାଯୋଗରେ ଥିଲେ। କିଛି ଦିନ ପରେ ମୁଁ ଭାରତ ଫେରି ଆସିଥିଲି। ଏହାପରେ ସୁଶାନ୍ତ ମୋତେ କହିଥିଲେ ଯେ, ଯଶରାଜଙ୍କ ସହ ହୋଇଥିବା ଚୁକ୍ତି ଭାଙ୍ଗିବା ପରଠାରୁ ତାଙ୍କୁ ଇଣ୍ଡଷ୍ଟ୍ରିରେ ଭିନ୍ନ ବ୍ୟବହାର କରାଯାଉଛି।"

ଏହାପରେ ସୁଶାନ୍ତଙ୍କୁ ମୁଁ ପାଖାପାଖି ସାତ ମାସ ପର୍ଯ୍ୟନ୍ତ ଦେଖିବାକୁ ପାଇନଥିଲି ବୋଲି ଶେଖର କହିଛନ୍ତି। ସେ ଡିପ୍ରେସନ ଆଡକୁ ଯାଉଛନ୍ତି ବୋଲି ମଧ୍ୟ ମୋର ଧାରଣା ନ ଥିଲା। ପରେ ଯେତେବେଳେ ମୁଁ ଜାଣିବାକୁ ପାଇଲି ସେ ଆତ୍ମହତ୍ୟା କରିଛନ୍ତି, ତାହା ମୋତେ ଆଶ୍ଚର୍ଯ୍ୟ କରିଥିଲା ବୋଲି ଶେଖର କହିଛନ୍ତି।

ଜୁନ୍‌ ୧୪ରେ ସୁଶାନ୍ତ ମୁମ୍ବାଇ ସ୍ଥିତ ଫ୍ଲାଟ୍‌ରେ ଆତ୍ମହତ୍ୟା କରିଥିଲେ। ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣାରେ ଏ ଯାବତ ୩୨ ଜଣଙ୍କୁ ଜେରା କରି ସାରିଲାଣି ମୁମ୍ବାଇ ପୋଲିସ।

ଅନ୍ୟପକ୍ଷରେ, ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣାରେ ପୋଲିସର ତଦନ୍ତକୁ ନେଇ ସୁଶାନ୍ତଙ୍କ ପରିବାର ଲୋକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ତେଣୁ ସଠିକ ତଦନ୍ତ ପାଇଁ ପରିବାର ଲୋକ ଦାବି କରିଛନ୍ତି।ବାନ୍ଦ୍ରା ପୋଲିସ, ସାଇବର ସେଲ୍, ଫୋରେନସିକ୍ ବିଭାଗ ଏବଂ ମୁମ୍ବାଇ କ୍ରାଇମ୍ ଶାଖା ଦ୍ୱାରା ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣାର ତଦନ୍ତ କରାଯାଉଛି।

ଯଦିଓ ଶେଖର ତାଙ୍କ ବୟାନ ଇ-ମେଲ ମାଧ୍ୟମରେ ପଠାଇଛନ୍ତି, କିନ୍ତୁ ପୋଲିସ ଷ୍ଟେସନରେ ହାଜର ହୋଇ ଶେଖର ବୟାନ ଦିଅନ୍ତୁ ବୋଲି ପୋଲିସ ଚାହୁଁଥିବା ଜଣାପଡ଼ିଛି।

Other Stories