ଦିନେ ଦୁବ କଅଁଳୁ ନଥିଲା,ଆଜି ସୁନା ଫଳୁଛି ! ଉଚ୍ଚଶିକ୍ଷିତ ସଫଳ ଚାଷୀ ପ୍ରସନ୍ନଙ୍କ କାହାଣୀ . . .

ଆଠଗଡ଼(ନୀଳକଣ୍ଠ ଡୋରା): କଥାରେ ଅଛି ଚାଷ କାମ ଯାହାର କି ଆନନ୍ଦ ତାହାର। ଆଉ ଏହି ଉକ୍ତିକୁ  ପ୍ରମାଣିତ କରି ଦେଖାଇଛନ୍ତି ଜଣେ ଶିକ୍ଷିତ ଯୁବକ। କଠିନ ପରିଶ୍ରମ କରି ଏକର ଏକର ଜମିରେ ଫଳାଉଛନ୍ତି ସୁନାର ଫସଲ। ବିଜ୍ଞାନରେ ସ୍ନାତକ ଶିକ୍ଷାଲାଭ କରିଥିବା ଏହି ଯୁବକ ଜଣକ ଭାଗଚାଷ ସୂତ୍ରରେ ୧୦ ଏକର ବଣବୁଦାରେ ଭର୍ତ୍ତି ପାହାଡ଼ିଆ ଜମିକୁ ସବୁଜ ବଣରେ ପରିଣତ କରିଦେଇଛନ୍ତି। ଦୁବ କଅଁଳୁ ନଥିବା ଟାଙ୍ଗରା ଭୂଇଁକୁ ସବୁଜିମାରେ ଭରିଦେବା ସହ ଏକ ହଜାରରୁ ଉର୍ଦ୍ଧ୍ୱ ଦେଶୀ କୁକୁଡା ଚାଷ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ସଫଳ ଚାଷୀ ପ୍ରସନ୍ନ କୁମାର ରାଉତ

କଟକ ଜିଲ୍ଲା ତିଗିରିଆ ବ୍ଲକ ସୁଦର୍ଶନପୁର ଗ୍ରାମର ଯୁବକ ପ୍ରସନ୍ନ କୁମାର ରାଉତ। ୨୦୦୧ରେ ବାଲୀ ମହାବିଦ୍ୟାଳୟରୁ ବିଜ୍ଞାନରେ ସ୍ନାତକ ଶିକ୍ଷାପରେ ଏକ ହୋଟେଲ ଖୋଲିଥିଲେ। ରୋଜଗାର ଢ଼େର ଥିଲେ ମଧ୍ୟ ମନ ଚାଷକୁ ଡାକୁଥିଲା। ଶେଷରେ ହୋଟେଲ ବ୍ୟବସାୟ ଛାଡ଼ି ପାହାଡ଼ିଆ ଅଞ୍ଚଳରେ ସୁନାର କ୍ଷେତ ସୃଷ୍ଟି କରି ସେ ନିଜକୁ ପ୍ରକୃତି କୋଳରେ ହଜାଇ ଦେଇଛନ୍ତି । ଟାଙ୍ଗର ଭୂମିରେ ଫଳାଇଛନ୍ତି ସବୁଜ ପନିପରିବା। ଯେଉଁଆଡେ ଚାହିଁଲେ ଖିଲି ଖିଲି ହୋଇ ହସୁଛି ସବୁଜ କ୍ଷେତ। ଫସଲକୁ ଦେଖିଲେ ଆଖି ପୁରିଯାଉଛି।  ପ୍ରଥମେ ସୋରିଷ ଚାଷ ଆରମ୍ଭ କରି ପରବର୍ତ୍ତୀ ସମୟରେ କଦଳୀ ଚାଷ, ଅମୃତଭଣ୍ଡା, ବାଇଗଣ, ବିରି , ଆଳୁ ଭଳି ବିଭିନ୍ନ ଚାଷ କରିଛନ୍ତି ।

ପ୍ରସନ୍ନଙ୍କର ନିଜର ଜମି ନଥିଲା। ତିଗିରିଆ ଅଞ୍ଚଳରେ ପାହାଡ଼ିଆ କିସମର ଜମିର ମାଲିକାନା ଥିବା ଲୋକମାନେ କୌଣସି ଚାଷବାସ କରୁନଥିବା ବେଳେ ପ୍ରସନ୍ନ ୨୦୦୬ରୁ ଭାଗସୂତ୍ରରେ ଚାଷ କରିବାକୁ ସ୍ଥିର କରିଥିଲେ। ଆଉ ଏଥିପାଇଁ ତାଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିଥିଲା।  ଜମି ମିଳିଲା ପରେ ଦିନରାତି ଏକ କରି ଲକ୍ଷ୍ୟ ପୂରଣରେ ଲାଗି ପଡିଥିଲେ । ଅନାବନା ଗଛରେ ଭର୍ତ୍ତି ଥିବା ଏହି ଜମିକୁ ସଫା କରି ବ୍ୟବସ୍ଥିତ ଢ଼ଙ୍ଗରେ ଚାଷ ଆରମ୍ଭ କରିଥିଲେ ।

ତେବ ଚାଷ କରି ବର୍ତ୍ତମାନ ବାର୍ଷିକ ଦେଢ଼ରୁ ଦୁଇ ଲକ୍ଷ ଟଙ୍କା ରୋଜଗାର କରିପାରୁଛନ୍ତ । ନିଜେ ଭଲ ଦୁଇ ପଇସା ରୋଜଗାର କରିବା ସହ ୫ ରୁ ୧୦ଜଣକୁ କାମ ରୋଜଗାର ଦେଇପାରିଛନ୍ତି। ପୈତୃକ ଜମିକୁ ପଡ଼ିଆ ପକେଇ ରାଜ୍ୟ ବାହାରେ ବିଭିନ୍ନ ଶିଳ୍ପ କାରଖାନାରେ ଦିନ କାଟୁଥିବା ଯୁବପିଢ଼ିଙ୍କ ପାଇଁ ଉଦାହରଣ ଉଚ୍ଚଶିକ୍ଷିତ ପ୍ରସନ୍ନ।  ରାଜ୍ୟ ବାହାରକୁ ନଯାଇ ନିଜ ଗାଁରେ ନିଜ ମାଟିରେ ସୁନାର ଫସଲ ଫଳାଇବାକୁ ଆହ୍ୱାନ ଦେଇଛନ୍ତି।

You might also like