କରୋନାରେ କରୁଣାର ଅପମୃତ୍ୟୁ

ସକାଳୁ ସକାଳୁ ପେଟ ଚାଖଣ୍ଡକ ପାଇଁ ରାସ୍ତାକଡ଼ରେ ଅଖାପାଲ ପକେଇ ପରିବା ଦୋକାନ ଖୋଲି ଗରାଖ ଈଶ୍ୱରଙ୍କୁ ଅନିଶା କରୁଥାନ୍ତି ବୁଢା ପରିବାଦୋକାନୀ ଜଣକ। ଅଖାପାଲରେ ଆଳୁ ପିଆଜ ସହ ଦଣ୍ଡି, ବଟକରା ସଜେଇ ରଖିଥାନ୍ତି। କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ସରକାରଙ୍କ କର୍ଫୁ ଭଳି କଟକଣା ଥିଲେ ବି ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ପାଇଁ କଟକଣା ନ ଥାଏ। ତେଣୁ ବୁଢା ଲୋକ ଜଣକ ନିର୍ଦ୍ୱନ୍ଦ୍ୱରେ ଦୋକାନ ଖୋଲି ବସିଥାନ୍ତି। କାଁ ଭାଁ ଲୋକ ରାସ୍ତାରେ ଯାଆସ କରୁଥାନ୍ତି।

ହଠାତ୍ ପୁଲିସ୍ ଗାଡି ସାଇରନ ବଜେଇ ମାଡ଼ିଆସିଲା। ତିନି ଚାରିଟା ଗାଡ଼ିରେ ସରକାରୀ ବାବୁ ଓ ପୁଲିସ ମାନେ ଫକଫାକ କରି ଗାଡିରୁ ଓହ୍ଲେଇ ପଡିଲେ। ପୁଲିସ ଓ ସରକାରୀ ବାବୁଙ୍କ ହାତରେ ଠେଙ୍ଗା, ବାଉଁଶ ଫାଳିଆ। ପାରା ମିଲିଟାରୀ ଫୋର୍ସଭଳି ବୁଢା ଆଡକୁ ମାଡି ଆସିଲେ। ହଠାତ୍ ଜଣେ ପୁଲିସ ବାବୁ ବୁଢା ପାଖକୁ ଝପଟିଆସି ଚଢାଗଳାରେ କହିଲେ-

‘ମଉସା ! କରୋନା ପାଇଁ କର୍ଫୁ ଭଳି ଅବସ୍ଥା ହୋଇଛି। ତୁରନ୍ତ ଦୋକାନ ଉଠା ଏଠୁ।’

ବୁଢା ପରିବାଦୋକାନୀ ଜଣକ କିଛି ବୁଝିବା ଆଗରୁ ତା ମୁଣ୍ଡରେ ଦୁଇ ତିନିଥର ଶକ୍ତ ପାହାର ବାଜିଲା। ବୁଢା ଆଖିରୁ ଜୁଳୁଜୁଳିଆ ବାହାରିଗଲା। ସେଇ ଅଖାପାଲ ଉପରେ ବୁଢା ଚାରିକାତ ମେଲି ଚିତ୍କାର କରି ପଡିଲା ଉଠିଲା।

ସରକାରୀ ବାବୁମାନେ ଏତକ କାଣ୍ଡ କରି ଗାଡିରେ ଧୂଳି ଉଡେଇ ସାଇରନ ବଜେଇ ଚାଲିଗଲେ। ଆଖପାଖ ଦୋକାନୀମାନେ ବୁଢାର ଏପରି ଅବସ୍ଥା ଦେଖି ଭୟଭୀତ ହୋଇପଡିଲେ। ସାହସ ସଂଚୟ କରି ବୁଢାକୁ ତା’ ଭଡାଘରକୁ ଟେକିନେଇ ପାଣି ଛାଟିବା ସହ ବିଞ୍ଚାବିଞ୍ଚି କରି ସେବା ଆରମ୍ଭ କରିଦେଲେ। କରୋନା ସଂକ୍ରମଣ ପାଇଁ ସରକାର ବାରମ୍ୱାର ଟିଭିରେ କହୁଛନ୍ତି ଡାକ୍ତରଖାନା ନ ଆସି ଫୋନରେ ପରାମର୍ଶ କରିବା ପାଇଁ। ତେଣୁ ଲୋକମାନେ ଡାକ୍ତରଙ୍କୁ ଫୋନ କରି ବୁଢାର ଚିକିତ୍ସାକଲେ। କିନ୍ତୁ ସେତେବେଳକୁ ସବୁ ସରିଯାଇଥିଲା। ନିଶ୍ଚଳ ହୋଇଯାଇଥିଲା ବୁଢା ପରିବା ବିକାଳୀର ଶରୀର।

ବୁଢାର ସେବା କରୁଥିବା ଲୋକମାନେ ପରସ୍ପର ମୁହଁକୁ ଚାହିଁ କହୁଥିଲେ -‘ଆହା ! କେଡେ ନିରୀହ ବୁଢାଟା ! ବିଚରା ପୁଲିସ ମାଡରେ ମରିଗଲା! ପୁଅ ବୋହୁ ନ ପଚାରିବାରୁ ଅଭିମାନରେ ଘର ଛାଡି ଏଇଠି ରହି ବୁଢାଦିନେ ପରିବା ବେପାର କରି ଚଳୁଥିଲା। କୋଉ ଚୋରି ନାରୀ ତ କରୁ ନ ଥିଲା।‘

ସରକାରୀ ବାବୁମାନଙ୍କ ଏମିତିଆ କାଣ୍ଡ ଦେଖି ବିଚରା ମକରା ବୋଉ ଆଉ ନିଜକୁ ସମ୍ଭାଳି ପାରିଲାନି। ଅଣ୍ଟାରେ ଲୁଗା ଖୋସି ଦକ୍ଷିଣୀ ଷ୍ଟାଇଲରେ କୂଳବଉଁଶ ବୁଡେଇବା ଆରମ୍ଭ କରିଦେଲା। ବଡପାଟିରେ ଚିଲେଇ ଚିଲେଇ କହୁଥିଲା-

‘ରାଣ୍ଡର ଛୁଆମାନେ। ତମର ଏଡେ ବହପ। ବୁଢାଟାକୁ ଅକାରଣରେ ବାଡେଇ ମାରିଦେଲ ?‘

‘ଅଧାବଇସିଆ, ଯୋଗନିଖିଆ, ବାଡିପଡା, ଝାଡାବାନ୍ତିଆ। ତମକୁ ମରଣ ଯାହା ହେଲା ନାହିଁ। ହଇହୋ କରିନା ତ ସିନେମାରେ ବାହାରୁଛି। ସେ ନ ଆସିବା ଆଗରୁ ତମେ ଲୋକଟାକୁ ବାଡେଇ ମାରିଦେଲଣି। ଆଗକୁ ଆମ ଛୁଆ ପିଲାଙ୍କ ଅବସ୍ଥା କଣ ହବ କେଜାଣି? ତମକୁ ରାଧାଚଡକ ପଡୁରେ ବଡରୋଗୀଆ ଦଳ।’

ସକାଳୁ ସକାଳୁ ପତ୍ନୀ ଅନିତାଙ୍କୁ ଚା ପାଇଁ ଫର୍ମାଇସ କରୁ କରୁ ଅଳସ ଭାଙ୍ଗୁଥିଲେ ସିଦ୍ଧାର୍ଥ ବାବୁ। ଏଇ ପାଖ ସହରରେ ତାଙ୍କର ପୋଷ୍ଟିଂ ଉପଜିଲ୍ଳାପାଳଭାବେ। ହାତରେ ଚା-ଜଳଖିଆ ଧରି ପହଞ୍ଚୁ ପହଞ୍ଚୁ ପତ୍ନୀ ଅନୀତା ପଚାରିଲେ-

-‘ଜାନୁ ଆଜି ଏମିତି ହାଲିଆ କ’ଣ ଦେଖାଯାଉଛ? କ’ଣ ହେଇଛି କି ?’

ପତ୍ନୀଙ୍କ ମୁହଁରୁ କଥା ଛଡେଇ ନେଇ ଉତ୍ତର ଦେଲେ ସିଦ୍ଧାର୍ଥ। କହିଲେ

-‘ବୁଝିଲ ଡାର୍ଲିଂ ଏ ଚାକିରୀରେ କେତେ ଟେନସନ ତମେ ବୁଝିପାରିବନି। କରୋନା ପାଇଁ ଚାରିଆଡେ କର୍ଫୁ ଭଳି ଅବସ୍ଥା। ଏ ଶଳା ଲୋକଗୁଡା କିଛି ମାନୁ ନାହାନ୍ତି ହୋ। ଆଇନ କାନୁନ ପୁଲିସ କାହାକୁ ଖାତିର ନାହିଁ ଯେମିତି। ହୁଁ-ଶଳାଙ୍କୁ ଏମିତିଆ ଶାସ୍ତି ଦରକାର। କାଲି ଗୋଟାକୁ ନାଦିଲି ଦି’ଚାରି ପାହାର। ସେତିକିବେଳୁ ମୋ ଖୁଆରେ କଣ ଗୋଟେ ପଶିଯାଇଛି ଯେ ବଡକଷ୍ଟ ଭୋଗିଲାଣି ମଣିଷ।’

ସିଦ୍ଧାର୍ଥଙ୍କ ଏପରି କଥାରେ ଅନୀତାଙ୍କ ମୁହଁର ଭାବଭଙ୍ଗୀ ବଦଳିଗଲା କିଛି କ୍ଷଣ ପାଇଁ। ତମତମ ହୋଇ କହିଲେ-

‘ହଇହୋ ତମେ ପରା ହାକିମ। ଅର୍ଡର ଦେଲେ ପୁଲିସ ପିଟିଥାନ୍ତା। ତମେ ଅଯଥାରେ ବଳ କଷୁଥିଲ କାହିଁକି ମୁଁ ଟିକେ ଶୁଣେ ?’

ସକାଳୁ ସକାଳୁ ପତ୍ନୀଙ୍କ ଆଗରେ ନିଜର ପାରିଲା ପଣିଆ ଦେଖେଇ ନିଶରେ ଟିକେ ହାତ ମାରୁଥିଲେ ସିଦ୍ଧାର୍ଥ ବାବୁ। ପଛ ଆଇନା ଆଗରେ ଠିଆହୋଇ  ଗୋଟେ ଗଡ ଜିତିଲା ଭଳି ଭଙ୍ଗୀରେ କହିଲେ-

‘ହଇହୋ! ସବୁବେଳେ ନେତା, ମନ୍ତ୍ରୀ, ଅଫିସରଙ୍କ ଫୋନ ଆଟେଣ୍ଡ, ମିଟିଂ, ଭିଡିଓ କନଫରେନ୍ସ, ଟୁର, ଫାଇଲ କାମ କରି କରି ମଣିଷ ବୋର ହେଇଗଲାଣି। ସୁଯୋଗ ମିଳିଥିଲା ଯେତେବେଳେ କର୍ଫୁ ଆଳରେ ଲୋକଟାକୁ ଦି’ଚାରି ପାହାର ପିଟିଦେଲି। ସେଥିପାଇଁ ମୋର ଦୁଇ ହାତର ଖୁଆ ମୁଣ୍ଡା ଦରଜ ହେଇଯାଇଛି।’

-‘ହଉ ରାତିକୁ ଦୁଇ ପେଗ୍‌ ବିଦେଶୀ ପକେଇ ଦେଇ ଶୋଇ ପଡିବ, ସବୁଠିକ ହେଇଯିବ। ଦରଜ ବି କମିଯିବ।’

ପତ୍ନୀ ଅନୀତାଙ୍କ କଥା ଶୁଣି ଚିଡି ଉଠିଲେ ସିଦ୍ଧାର୍ଥ। କହିଲେ-

-‘ହଇହୋ ମୁଁ ଟିକେ ରିଲାକ୍ସ ପାଇଁ ବେଳେ ବେଳେ ଟିକେ ହଟ ଡ୍ରିଙ୍କ ନିଏ। ତମେ ଏକଥା ଜାଣିଛ ବୋଲି ଜଣେଇ ହଉଛ ନା କ’ଣ?
ଶୁଣ! ସେ ଅଡର୍ଲି ହାତରେ ଟଙ୍କା ଦେଇ ମୋ ବ୍ରାଣ୍ଡଟା ମଗେଇ ରଖିଥିବ। ମୁଁ ସେ ପଟ୍ଟନାୟକ ପୁଲିସକୁ କହୁଛି। ସେ ମଦ କାଉଣ୍ଟର ମାଲିକକୁ ଫୋନ କରିଦବ। ଆମ ଅଡର୍ଲିକୁ ସେ ଆଣି ଦେଇଯିବ।’

ସ୍ୱାମୀଙ୍କ କଥାରେ ବିରକ୍ତି ପ୍ରକାଶ କରି କହିଲେ ଅନୀତା-

-‘ତମେ ତ ଚାକରବାକର ଲୋକଙ୍କୁ ଦଶ ପଚାଶ ଟଙ୍କା ପାଇଁ ସନ୍ଦେହ କରିବ। ପରିବା ଆଣିଲେ ପରିବା ଦୋକାନୀକୁ ଫୋନକରି ପଚାରିବ କୋଉ ପରିବା ଦର କେତେ? ଯଦି କୋଉ ପିଅନ, ଚପରାଶି ଦଶ-ପଚାଶ ଟଙ୍କା ରଖିଦେଲା କ’ଣ‌ଟା ମାରା ହେଇଗଲା ସେଇଠୁ ? ମୁଁ ଅଡର୍ଲିକୁ କହିପାରିବିନି। ତମେ କହି ଦେଇଯାଅ।’

ରାଗରେ କମ୍ପି ଉଠିଲେ ସିଦ୍ଧାର୍ଥ। ପତ୍ନୀ ଅନୀତାଙ୍କୁ ଗାଳିଦେବା ଭଙ୍ଗୀରେ କହିଲେ-

‘ତୁମେ ଏ ପିଅନ ଚପରାଶିଙ୍କୁ କେତେ ଜାଣିଛ ? ଅଫିସକୁ ଯିଏ ଆସିଲା ତା’ଠୁ ପଚାଶ, ଶହେ ପକେଇଲେ। ତା’ପରେ ପୁଣି ପରିବା ସଉଦାରୁ ମାରିବେ। ନିହାତି ଟାଉଟରଗୁଡା ଏମାନେ।’

ସିଦ୍ଧାର୍ଥଙ୍କୁ କଥାରେ ବାଧାଦେଇ ପତ୍ନୀ ଅନୀତା କହିଲେ-

‘ବୁଝିଲ, ସେମାନେ ଆମର ସେବାକାରୀ। ସେମାନଙ୍କୁ ଏମିତି କୁହନି। ତୁମ ମୁହଁରେ ଶୋଭାପାଉନି। ଆଉ ତମେ ଯୋଉ ଦଶରା, ରଜ, ପର୍ବପର୍ବାଣୀରେ ପଥର ବାଲା, ଡିଲର ସଂଘ, କ୍ରସର ମାଲିକ, ଗାଡି ମାଲିକ ସଂଘରୁ ମୋଟା ଅଙ୍କର ଉପହାର ଉଠଉଛ। ସେଗୁଡା କ’ଣ? ’
‘ମତେ ରଗାଅନି କହୁଛି। ହୁଁ…’

ପତ୍ନୀ ଅନୀତାଙ୍କ କଥାଗୁଡା ସିଦ୍ଧାର୍ଥ ବାବୁଙ୍କୁ କଟା ଘା’ରେ ଚୂନ ଦେବା ଭଳି ଲାଗୁଥିଲା। ହଠାତ୍ଗ‍ କଲିଂ ବେଲ ବାଜି ଉଠିଲା। କ୍ୱାଟରର ସଦର ଦରଜା ଖୋଲି ଅନୀତା ସକାଳର ଖବର କାଗଜ ଆଣୁ ଆଣୁ କରୋନା ସମ୍ପର୍କିତ ଖବର ଜାଣିବା ପାଇଁ ଟିକେ ଆଖି ବୁଲେଇ ଆଣୁ ଆଣୁ ଗୋଟାଏ ଯାଗାରେ ଅଟକି ଗଲେ। ପ୍ରଥମ ପୃଷ୍ଠାରେ ଫଟ ସହ ହ୍ୟାଙ୍ଗର ନ୍ୟୁଜ୍। ‘କର୍ଫୁ ବେଳେ ଉପ-ଜିଲ୍ଳାପାଳଙ୍କ ଠେଙ୍ଗାମାଡରେ ବୁଢା ପରିବା ବିକାଳିର ମୃତ୍ୟୁ।’

ପୂରା ଖବରଟିକୁ ବିସ୍ମୟର ସହ ପଢିଲେ ଅନୀତା। ଶେଷ ବେଳକୁ ମୁହଁରେ ଉକୁଟି ଆସୁଥିଲା ଗୋଟେ ଶ୍ରମଝାଳ। କ୍ଷୀପ୍ର ବେଗରେ ଘର ଭିତରକୁ ଯାଇ ସିଦ୍ଧାର୍ଥଙ୍କ ହାତକୁ ଖବର କାଗଜଟି ବଢେଇ ଦେଲେ ଅନୀତା। ରାଗରେ ତମତମ ହୋଇ କହିଲେ-

‘ହେଇ ନିଅ। ତୁମ କାରନାମା ବାହାରିଛି ଏଥିରେ। ହଇହୋ ତୁମେ ଆଉ କାହାକୁ ପାଇଲନି। ଶେଷରେ ଏ ଅଶୀ ବର୍ଷର ବୁଢାଟାକୁ ବାଡେଇ ମାରିଦେଲ। ହଁ ମ…। ନିଜ ପାଳିତ ବାପାକୁ ଯେତେବେଳେ ସ୍ନେହ ଆଦର କରି ଘରେ ରଖିପାରିଲନି ଏ ବୁଢାଟାକୁ ବାଡେଇଦବା ତମ ପାଇଁ କୋଉ ବଡକଥା, ନୁହେଁ କି? ତୁମେ ମଣିଷ ନା ପଶୁ? ଏମିତି ଲୋକ ଉପରକୁ ତୁମ ହାତ ଉଠିଲା କେମିତି? ନିଅ ଏଥର ସମ୍ଭାଳ। ଏଇନା ପୁଲିସବାଲା, ମିଡିଆ ବାଲା ମୋ ଘର ଦୁଆରେ ଗୋଡ କଚାଡିବେ।’

ଅନୀତାଙ୍କ କଥା ଶୁଣି ସିଦ୍ଧାର୍ଥଙ୍କ ମୁହଁ ଗମ୍ଭୀର ଦିଶୁଥିଲା। ଗୋଟେ ଅବିଶ୍ୱାସ ଆଉ ବିସ୍ମୟ ଭଙ୍ଗୀରେ ଖବର କାଗଜ ଉପରେ ନଜର ପକାଉଥିଲେ ସିଦ୍ଧାର୍ଥ। ଭୟରେ ଥରିଉଠୁଥିଲା ତାଙ୍କ ଶରୀର। ବାରମ୍ୱାର ଗର୍ଜି ଉଠୁଥିଲା କଲିଂ ବେଲ୍‌। ଝରକାବାଟେ ବାହାରକୁ ଦେଖୁଥିଲେ ପତ୍ନୀ ଅନୀତା। ନିଜେ ଏସ୍‌ପି ବ୍ରିଫିଙ୍ଗ କରୁଥିଲେ ପ୍ରେସକୁ। ମୃତ ପରିବା ବିକାଳୀଙ୍କ ପାଖରୁ ମିଳିଥିବା କାଗଜପତ୍ରରୁ ଜଣାପଡିଛି ଯେ କର୍ଫୁ ବେଳେ ମାଡରେ ମୃତ ବୁଢା ଜଣକ ଉପ-ଜିଲ୍ଳାପାଳଙ୍କ ବାପା। ସବୁଠୁ ବଡକଥା ହେଲା ବୁଢା ଜଣକ ପ୍ରତିଦିନ ଏକ ଡାଇରୀରେ ଲେଖୁଥିଲେ ପ୍ରଭୁ ମୋ ପୁଅକୁ ଭଲରେ ରଖ।

କେହି କେହି ମିଡିଆ ବାଲା କ୍ୟାମେରା ସାମ୍ନାରେ ଗଳା ଫଟାଇ କହୁଥିଲେ- ‘ଅମୁକ ସହରରେ କର୍ଫୁ ବେଳେ ଅଘଟଣ। ଅଫିସରଙ୍କ ଠେଙ୍ଗାମାଡରେ ବୁଢା ପରିବା ବିକାଳୀର ମୃତ୍ୟୁ ସୂଚାଉଛି ଯେମିତି କରୋନାରେ କରୁଣାର ଅପମୃତ୍ୟୁ ଘଟିଛି।

ଝରକା ଫାଙ୍କରୁ ଏସବୁ ଦୃଶ୍ୟକୁ ଅବଲୋକନ କରୁଥିବା ଅନୀତା ପାଷାଣ ପ୍ରତିମାଟିଏ ପରି ଠିଆହୋଇ ରହିଥିବା ବେଳେ ଆଖିରୁ ବହିଯାଉଥିଲା ଧାରଧାର ଲୁହ।

ବିମଳ ପତି

ଥାନୁଆଳ, ହରିଦାସପୁର, ଯାଜପୁର-୭୫୫୦୨୪
ମୋ: ୯୪୩୮୪୧୬୨୩୫

You might also like